କୋଟିଆକୁ ବାଦ୍ ଦେଲେ ଆଉ ବଡ଼ ସୀମା ବିବାଦ ନାହିଁ : ମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଶାର ୧୪ଟି ଜିଲ୍ଲାର ସୀମା ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟର ସୀମା ସହ ସଂଲଗ୍ନ ଅଛି। ଏହା ମଧ୍ୟରୁ କେବଳ କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜକୁ ବାଦ୍ ଦେଲେ ଆଉ ବଡ଼ ଧରଣର ସୀମା ବିବାଦ ନାହିଁ। ଆଜି ବିଧାନସଭାରେ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ତାରା ପ୍ରସାଦ ବାହିନୀପତିଙ୍କ ପୃଥକ ପୃଥକ ଲିଖିତ ପ୍ରଶ୍ନର ଉତ୍ତରରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏହି ସୂଚନା ଦେଇଛନ୍ତି। ସୀମା ବିବାଦରୁ ଅନେକ ସମୟରେ ଉତ୍ତେଜନା ସୃଷ୍ଟି ହେବା ସହ ଓଡ଼ିଆ ପରିବାରଗୁଡ଼ିକ ସରକାରୀ ଯୋଜନା ଓ ଅନ୍ୟାନ୍ୟ ସୁବିଧାରୁ ବଞ୍ଚିତ ହେଉଥିବା ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ଏପରି ଖବର ସରକାରଙ୍କ ପାଖରେ ନାହିଁ।

କୋଟିଆ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, ଆନ୍ଧ୍ରପ୍ରଦେଶ ସହ କୋଟିଆ ଗ୍ରାମପୁଞ୍ଜର ସୀମା ବିବାଦ ରହିଛି। ଏହି ମାମଲାରେ ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ରଖିଛନ୍ତି। କୋଟିଆ ଗ୍ରାମପୁଞ୍ଜର ପରିବାରଗୁଡ଼ିକ ସମସ୍ତ ‌ସରକାରୀ ଯୋଜନାର ସୁବିଧା ପାଉଛନ୍ତି। କୋଟିଆରେ ନିକଟ ଅତୀତରେ ଖୋଲାଯାଇଥିବା ସରକାରୀ ଅଫିସ, ଡାକ୍ତରଖାନା ଓ ଥାନା ଅଚଳ ହୋଇଯିବା ଖବର ସରକାରଙ୍କ ହସ୍ତଗତ ହୋଇ ନାହିଁ। କୋଟିଆରେ ସୁରକ୍ଷା କର୍ମଚାରୀ ମୁତୟନ କରାଯାଇଛି। ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ୧୦ ଶଯ୍ୟା ବିଶିଷ୍ଟ ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି। ସରକାର କୋଟିଆ ଗ୍ରାମପୁଞ୍ଜର ସର୍ବବିଧ ଉନ୍ନତି ନିମନ୍ତେ ଏକ ଉନ୍ନୟନ ପ୍ୟାକେଜ୍ ପ୍ରସ୍ତୁତ କରିଛନ୍ତି ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା ନିୟମିତ କରାଯାଉଛି।

ଶ୍ରୀ ମାର୍ଣ୍ଡିଙ୍କ ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଶ୍ରୀ ସୋଲୋମନଙ୍କ ୨୮.୧୨.୧୯୩୮ରେ ଦେଇଥିବା ରିପୋର୍ଟ ଓ ସମ୍ବନ୍ଧିତ ନଥି ପତ୍ର ଅନୁଧ୍ୟାନ କରି ଆବଶ୍ୟକ ସ୍ଥଳେ ଦ୍ବିପାକ୍ଷିତ ସୀମା ଚିହ୍ନଟ କରିବା ପାଇଁ ସ୍ଥିର ହୋଇଛି। ପଶ୍ଚିମବଙ୍ଗ ରାଜ୍ୟର ପଦିମା ମୌଜାର ଦକ୍ଷିଣ-ପଶ୍ଚିମ କୋଣକୁ ଲାଗିଥିବା ଏକ ଅଂଶର ୨୭ଟି ପ୍ଲଟ୍‌କୁ ନେଇ ଉପୁଜିଥିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ବାଲେଶ୍ବର ଜିଲ୍ଲାପଳ ଓ ପୂର୍ବ ମେଦିନାପୁର ଜିଲ୍ଲାପାଳ ଯୁଗ୍ମ ବୈଠକ କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ମୟୂରଭଞ୍ଜ ଜିଲ୍ଲାର ୮ଟି ଗ୍ରାମ ମଧ୍ୟରୁ ୪ଟି ଗ୍ରାମ ବିବାଦ ଉପରେ ଯୁଗ୍ମ ତଦନ୍ତ କରାଯାଇ ସଂପୃକ୍ତ ଗ୍ରାମଗୁଡ଼ିକର ମାନଚିତ୍ର ଓ ପଟ୍ଟା ସଂ‌େଶାଧିତ ହୋଇ ପଶ୍ଚିମବଙ୍ଗ ଡିଏଲ୍‌ଆର୍‌ଏସ୍‌ଙ୍କୁ ଆବଶ୍ୟକ ସଂଶୋଧନ ପାଇଁ ପଠାଯାଇଛି। କେନ୍ଦୁଝର ଓ ଝାଡ଼ଖଣ୍ଡ ରାଜ୍ୟର ସିଂହଭୂମ ଜିଲ୍ଲାରେ ବୈତରଣୀ ନଦୀର ଗତିପଥ ପରିବର୍ତ୍ତନ ଓ ଅନ୍ୟାନ୍ୟ ବିଷୟର ଯୁଗ୍ମ ତଦନ୍ତ ବ୍ୟତୀତ ଅନ୍ୟ କୌଣସି ବିବାଦ ନାହିଁ। କେବଳ ମାନଚିତ୍ର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ନଥିପତ୍ରର ସଂଶୋଧନ ନିମନ୍ତେ ଯୁଗ୍ମ ପଦ‌େକ୍ଷପ ଗ୍ରହଣ କରାଯାଉଛି। ଗଞ୍ଜାମ ଜିଲ୍ଲାର ୨୧ଟି ଗ୍ରାମ ସମ୍ପର୍କରେ ଆନ୍ଧ୍ରପ୍ରଦେଶ କର୍ତ୍ତୃପକ୍ଷଙ୍କ ସହିତ ଯୁଗ୍ମ ତଦନ୍ତ ଶେଷ ହୋଇଥି‌େଲ ବି ବିବରଣୀ ଚୂଡ଼ାନ୍ତ ହୋଇ ନାହିଁ। ଏଥି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ସେହିପରି ଗଜପତି ଜିଲ୍ଲାରେ ୧୬ଟି ଗ୍ରାମରେ ଆନ୍ଧ୍ରପ୍ରଦେଶ ସହ ଯୁଗ୍ମ ତଦନ୍ତ ଶେଷ ହୋଇଥିଲେ ହେଁ ବିବରଣୀ ଚୂଡ଼ାନ୍ତ ହୋଇ ନାହିଁ। ଏଥି ପାଇଁ ପଦକ୍ଷେପ ନିଆଯାଉଛି।

ସମ୍ବନ୍ଧିତ ଖବର