ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପାଇଁ ସୀମା ସିଲ୍

ରାୟଗଡା : ଛତିଶଗଡର ଦାନ୍ତେୱାଡା, କୋରାପୁଟ ଜିଲ୍ଲାର ଲମତାପୁଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ପରେ ରାୟଗଡା ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ପଡ଼ୋଶୀ ଆନ୍ଧ୍ରପ୍ରଦେଶ-କନ୍ଧମାଳ-କୋରାପୁଟ-ଗଜପତି ଜିଲ୍ଲା ସୀମାକୁ ସିଲ୍ କରାଯାଇ କମ୍ବିଂ ଓ ସର୍ଚ ଅପରେସନକୁ ଜୋରଦାର୍ କରିଛି ପୁଲିସ୍। ସମସ୍ତ ଅଘଟଣକୁ ଏଡ଼ାଇବା ପାଇଁ ପୁଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେହିପରି ବିନା ଭୟରେ ମତଦାନ କେନ୍ଦ୍ରକୁ ଆସି ନିଜର ମତ ସାବ୍ୟସ୍ତ କରିବା ପାଇଁ ସାଧାରଣ ଜନତାକୁ ପୁଲିସ୍, ପ୍ରଶାସନ ଆହ୍ବାନ ଦେଇଛି।

ଚଳିତ ନିର୍ବାଚନ ରାୟଗଡା ଜିଲ୍ଲା ପୁଲିସ୍ ଓ ପ୍ରଶାସନ ପାଇଁ ଚ୍ୟାଲେଂଜ୍ ସଦୃଶ୍ୟ ହୋଇଛି। ଜିଲ୍ଲାର କଲ୍ୟାଣସିଂହପୁର, କାଶୀପୁର, ବିଷମକଟକ, ମୁନିଗୁଡା, ଚନ୍ଦ୍ରପୁର ବ୍ଲକ୍ ମାଓ ପ୍ରଭାବିତ ହୋଇଥିବା ବେଳେ କାଶୀପୁର, କଲ୍ୟାଣସିଂହପୁର ଓ ଚନ୍ଦ୍ରପୁରରେ ମାଓବାଦୀ ସକ୍ରିୟ ଅଛନ୍ତି। ୨୦ରୁ ଊର୍ଧ୍ବ ମାଓବାଦୀ କନ୍ଧମାଳ-ରାୟଗଡା-କଳାହାଣ୍ଡିରେ ସଂଗଠନ ବୃଦ୍ଧି ଦିଗରେ କାର୍ଯ୍ୟ କରିବା ପାଇଁ ନିୟମଗିରି, ଲାଞ୍ଜିଗଡ ସମେତ କଲ୍ୟାଣସିଂହପୁର ବ୍ଲକର ପାର୍ସାଲିରେ ଆଡ୍ଡା ଜମାଇଛନ୍ତି। ଭୋଟ ବର୍ଜନ ପାଇଁ ନିକଟରେ ମାଓବାଦୀ ପାର୍ସାଲିରେ ମାଓ ପୋଷ୍ଟ ଲଗାଇବା ସହ ବିଏସ୍ଏଫ୍, ସିଆରପିଏଫ୍ କ୍ୟାମ୍ପ ପ୍ରତିଷ୍ଠାକୁ ବିରୋଧ କରି ଆସୁଛନ୍ତି। ନିର୍ବାଚନ ପୂର୍ବରୁ ମାଓବାଦୀ ସୁରକ୍ଷା ବାହିନୀକୁ ଟାର୍ଗେଟ୍ କରି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ନିଜ ସ୍ଥିତି ଜାହିର୍ କରିବା ପରେ ମାଓ ଦମନ ଅଭିଯାନକୁ ପୁଲିସ୍ ଜୋରଦାର୍ କରିଛି।

ଆସନ୍ତାକାଲି ଜିଲ୍ଲାର ମାଓ ପ୍ରବଣ ବ୍ଲକରେ ମତଦାନ ହେବାକୁ ଥିବା ବେଳେ ୮୬ ଊର୍ଧ୍ବ ଅତି ସମ୍ବେଦନଶୀଳ ବୁଥ୍ ରହିଛି। ଅନ୍ୟ ସମସ୍ତ ବୁଥ୍‌କୁ କର୍ମଚାରୀ ୪୮ ଘଣ୍ଟା ପୂର୍ବରୁ ପହଞ୍ଚି ଥିବା ବେଳେ ଅତି ସମ୍ବେଦନଶୀଳ ବୁଥ୍ ଗୁଡିକୁ ପୁଲିଂ ପର୍ସନାଲ୍ ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମ୍ ଓ ଭିଭିପାଟ୍ ମେସିନ୍ ସହ ପହଞ୍ଚିଛନ୍ତି। ସମ୍ବେଦନ ଓ ଅତିସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ମତଦାନ ଯେପରି ବାଧାପ୍ରାପ୍ତ ନ ହୁଏ ସେ ଦିଗରେ ପଦକ୍ଷେପ ନେବା ପାଇଁ ନିର୍ବାଚନ କମିଶନ୍ ନିର୍ଦେଶ ଦେଇଥିବାରୁ ଜିଲ୍ଲାପାଳ ଓ ଏସପି ମିଳିତ ଭାବେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରୁଛନ୍ତି। ସୁରକ୍ଷା ବ୍ୟବସ୍ଥାରେ ୧୧ କଂପାନି ସିଆରପିଏଫ୍, ୨ କଂପାନି ବିଏସ୍ଏଫ୍, ୨ କଂପାନି ସୀମା ସୁରକ୍ଷା ବଳ ସହ ଏସଓଜି, ଡିଭିଏଫ୍ ଯବାନଙ୍କୁ ସାମିଲ୍ କରାଯାଇଛି। ସହର ଓ ଗ୍ରାମାଞ୍ଚଳରେ ପୁଲିସ୍ ପକ୍ଷରୁ ଫ୍ଲାଗ୍ ମାର୍ଚ ସହ ନାକାବନ୍ଦୀ କରି ଖାନ ତଲାସି ଜାରି ରହିଛି। ବିଶେଷ କରି କାଶୀପୁର ବ୍ଲକର ୪ଟି ବୁଥ୍ କଳାହାଣ୍ଡି ସୀମାନ୍ତ ତଥା ମାଓ ପ୍ରବଣ ପାର୍ସାଲି ସୀମାକୁ ଲାଗିଥିବାରୁ ମାଓବାଦୀଙ୍କ ପ୍ରଭାବରେ ମତଦାନ ବାଧାପ୍ରାପ୍ତ ହୋଇପାରେ।

ସେହିପରି କଲ୍ୟାଣସିଂହପୁର ବ୍ଲକର ପାର୍ସାଲି, ବଡବଡୁଣି, କରପା, ସିଙ୍ଗାରୀ, କରୱା, ମୁନିଗୁଡା ବ୍ଲକର ରଘୁବାରୀ, ଜଗଦଲପୁର, କନ୍ଧମାଳ ସୀମାନ୍ତକୁ ଲାଗିଥିବା ଚନ୍ଦ୍ରପୁର ବ୍ଲକର ୩ଟି ବୁଥ, ବିଷମକଟକର କୁର୍ଲି, ଖମ୍ବେସି, ମୁଣ୍ଡବାଲି ପ୍ରମୁଖ ବୁଥରେ ମାଓବାଦୀଙ୍କ ଭୟରେ ମତଦାନ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଯେ କୌଣସି ପରିସ୍ଥିତିରେ ବି ଅଘଟଣ ଘଟାଇ ମାଓବାଦୀ ମତଦାନକୁ ପ୍ରଭାବିତ କରିବାକୁ ଚାହୁଁଥିବାରୁ ସାରା ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି।

ସମ୍ବନ୍ଧିତ ଖବର