ଓଡ଼ିଶା ବଜେଟ୍‌ ୨୦୨୦-୨୧: କୃଷି ବଜେଟ୍‌ ୧୯,୪୦୮ କୋଟି

ପ୍ରସ୍ତୁତ ହେବ ‘ଜଳବାୟୁ ବଜେଟ୍‌’

ଭୁବନେଶ୍ବର: ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କୃଷି ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏଥିରେ ୧୯,୪୦୮ କୋଟି ଟଙ୍କାର ବ୍ୟୟ ବରାଦର ପ୍ରସ୍ତାବ ରହିଛି। ବଜେଟ୍‌ରେ ଜଳସେଚନ ଉପରେ ସର୍ବାଧିକ ଗୁରୁତ୍ବାରୋପ କରାଯାଇଛି। ଏଇ ବର୍ଷ ୧ ଲକ୍ଷ ୮୪ ହଜାର ହେକ୍ଟର ଜମିକୁ ଜଳସେଚନ କରାଯିବାର ଲକ୍ଷ୍ୟ ରହିଛି। ଲକ୍ଷ୍ୟ ପୂରଣ ପାଇଁ ବିଭିନ୍ନ ଯୋଜନାରେ ଜଳସେଚନ ପ୍ରକଳ୍ପ ପାଇଁ ଅର୍ଥ ବରାଦ କରାଯାଇଛି। ୨୦୧୩-୧୪ ଆର୍ଥିକ ବର୍ଷରେ ପ୍ରଥମ ଥର ପାଇଁ କୃଷି ବଜେଟ୍‌ ଆଗତ କରାଯାଇଥିଲା। ସେତେବେଳେ ବ୍ୟୟବରାଦ ଥିଲା ୭,୧୬୨ କୋଟି ଟଙ୍କା। ଏବେ ଏହା ବଢ଼ି ୧୯ ହଜାର କୋଟି ଟଙ୍କାକୁ ଟପିଯାଇଛି।

ଜଳସେଚନ କ୍ଷମତା ବଢ଼ାଇବା ପାଇଁ ବଜେଟ୍‌ରେ ଥିବା ବ୍ୟବସ୍ଥା ଅନୁଯାୟୀ ଜଳ ସଂରକ୍ଷଣ, ଜଳ ବ୍ୟବହାର ଦକ୍ଷତା, ଜଳସେଚନ, ନଳ ଦ୍ବାରା ପାନୀୟ ଜଳ ଯୋଗାଣ, ଶିଳ୍ପ କ୍ଷେତ୍ରରେ ଜଳର ବ୍ୟବହାରକୁ ସାମଗ୍ରିକ ଭାବେ ଦୃଷ୍ଟିରେ ରଖି ସମସ୍ତ ନଦୀରେ ୫ ବର୍ଷ ମଧ୍ୟରେ ମୋଟ ୧୨ ହଜାର କୋଟି ଟଙ୍କା ନିବେଶ କରି ‘ଇନ୍‌-ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍ଚର୍‌’ ନିର୍ମାଣ କରିବାର ପ୍ରସ୍ତାବ ରହିଛି। ଚଳିତ ବଜେଟ୍‌ରେ ଏ ବାବଦରେ ୧,୦୯୨ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ପିଏମ୍‌କେଏସ୍‌ୱାଇ ମାଧ୍ୟମରେ ଅସମ୍ପୂର୍ଣ୍ଣ ଥିବା ପ୍ରକଳ୍ପଗୁଡ଼ିକୁ ତ୍ବରିତ ଜଳସେଚନ ସୁବିଧା ଯୋଜନାରେ ସମ୍ପୂର୍ଣ୍ଣ କରିବା ନିମନ୍ତେ ୧,୮୧୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ରାଜ୍ୟ ପାଣ୍ଠିରୁ ପ୍ରଚଳିତ ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମ ଅଧୀନରେ ନିର୍ମାଣାଧୀନ ଓ ନୂଆ ପ୍ରକଳ୍ପଗୁଡ଼ିକ ପାଇଁ ୯୧୦ କୋଟି ଏବଂ ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଯୋଜନା ଅଧୀନରେ ୩୩ଟି ଚାଲୁ ରହିଥିବା ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ୫୪୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପୁରାତନ ସେଚ ପ୍ରକଳ୍ପଗୁଡ଼ିକର ଆଧୁନିକୀକରଣ ନିମନ୍ତେ ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାରେ ୬୩୫ କୋଟି ଟଙ୍କା ନିବେଶ କରାଯିବ। ୨୦୨୦-୨୧ ପାଇଁ ଏହି ଯୋଜନାରେ ୯୦ କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୨୦-୨୧ ଆର୍ଥିକ ବର୍ଷରେ ଅତିରିକ୍ତ ଜଳସେଚନ କ୍ଷମତା ସୃଷ୍ଟି ନିମନ୍ତେ ଜଳନିଧି ଯୋଜନା ପାଇଁ ଆର୍‌ଇଡିଏଫ୍‌ ସହାୟତାରେ ୧୮୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ୧୫ ହଜାର ଗଭୀର ନଳକୂପ ସମ୍ପୂର୍ଣ୍ଣ ନିମନ୍ତେ ‘ଡିପ୍ ବୋର୍‌ୱେଲ୍‌ ସ୍କିମ୍‌’ ଅଧୀନରେ ୪୫୯ କୋଟି ଟଙ୍କା ଏବଂ ୧୨୫୦ଟି ଗୋଷ୍ଠୀ ଉଠା ଜଳସେଚନ ପଏଣ୍ଟ ସ୍ଥାପନ ପାଇଁ ବିଜୁ କୃଷକ ବିକାଶ ଯୋଜନାରେ ୩୬୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୧,୦୯୮ କୋଟି ଟଙ୍କା ବ୍ୟୟ ଅଟକଳରେ ‘ସର୍ବସାଧାରଣ ପୋଖରୀ ମାଧ୍ୟମରେ ଭୂତଳ ଜଳସ୍ତର ବୃଦ୍ଧି’ ଯୋଜନା କାର୍ଯ୍ୟକାରୀ ହେବ। ‘ସବୁଜ ଜଳବାୟୁ ପାଣ୍ଠି’, ମହାତ୍ମା ଗାନ୍ଧୀ ନରେଗା ଓ ରାଜ୍ୟର ନିଜସ୍ବ ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ ହେବ। ଏଥିରେ ୧୫ଟି ଜିଲ୍ଲାର ୧୦ ହଜାର ପୋଖରୀ ନବୀକରଣ ହେବ।

‘ଜଳବାୟୁ ବଜେଟ୍‌’ ନାମରେ ଏକ ଦସ୍ତାବିଜ୍ ପ୍ରସ୍ତୁତ କରିବାର ପ୍ରସ୍ତାବ ରହିଛି ବୋଲି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି। ଏହା ଜଳବାୟୁ ସମ୍ବନ୍ଧୀୟ ସରକାରୀ ଖର୍ଚ୍ଚର ତଥ୍ୟ ହାସଲ କରିବାରେ ସହାୟକ ହେବ। ଏପରି ଦସ୍ତାବିଜ୍ ପ୍ରସ୍ତୁତ କରିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ହେବ। ମହିଳା ସଶକ୍ତୀକରଣ ଓ ଶିଶୁମାନଙ୍କର ଅଧିକାର ଓ ସାମଗ୍ରିକ ବିକାଶ ରାଜ୍ୟ ସରକାରଙ୍କ ପ୍ରମୁଖ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଅଟେ। ୨୦୨୦-୨୧ ଠାରୁ ୨ଟି ସ୍ବତନ୍ତ୍ର ଦସ୍ତାବିଜ ଯଥା ‘ଜେଣ୍ଡର୍‌ ବଜେଟ୍‌’ ଓ ‘ଚାଇଲ୍‌ଡ୍‌ ବଜେଟ୍‌’ ପ୍ରକାଶ କରାଯାଉଛି ବୋଲି ଅର୍ଥ ମନ୍ତ୍ରୀ ସୂଚନା ଦେଇଥିଲେ।

୨୦୨୦-୨୧ ଆର୍ଥିକ ବର୍ଷରେ ସୁନ୍ଦରଗଡ଼, ମୟୂରଭଞ୍ଜ ଓ କୋରାପୁଟ ଜିଲ୍ଲାରେ ଓମ୍‌ବାଡ୍‌ସି ପାଣ୍ଠି ଅଧୀନରେ ପ୍ରାୟ ୧୪୦ କୋଟି ଟଙ୍କା ଅଟକଳରେ ୪ଟି ଜଳଛାୟା କ୍ଲଷ୍ଟର୍‌ ଓ ୧୨୦୨ଟି ଜଳ ଅମଳ ଷ୍ଟ୍ରକ୍ଚର୍‌ ନିର୍ମାଣ କାର୍ଯ୍ୟକ୍ରମ ହାତକୁ ନିଆଯିବ। ସେହିପରି ଜିଲ୍ଲା ଖଣିଜ ପାଣ୍ଠି ସଂଯୋଜନାରେ ୨୨୦ କୋଟି ବ୍ୟୟ ଅଟକଳରେ ବୃହତ ଉଠା ଜଳସେଚନ ପ୍ରକଳ୍ପ, ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ଆଡ଼ିବନ୍ଧ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଚାଷୀମାନଙ୍କୁ ଦିଆଯାଉଥିବା ବିଭିନ୍ନ ସହାୟତା ସମ୍ପର୍କରେ ସୂଚନା ଦେଇ ଅର୍ଥ ମନ୍ତ୍ରୀ କହିଥିଲେ, ରାଜ୍ୟ ସରକାର ‘ସମୃଦ୍ଧି କୃଷି ନୀତି-୨୦୨୦’ ଘୋଷଣା କରିଛନ୍ତି, ଯାହା କୃଷକଙ୍କର ନିରବଚ୍ଛିନ୍ନ ଓ ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ଉପରେ ପର୍ଯ୍ୟବେସିତ। ୨୦୧୮-୧୯ ଆର୍ଥିକ ବର୍ଷର କାଳିଆ ଯୋଜନା ପ୍ରଣୟନ କରାଯାଇଛି। ଏହା ଓଡ଼ିଶା ଇତିହାସରେ ଏକ ସର୍ବବୃହତ ‌ବ୍ୟକ୍ତିିକୈନ୍ଦ୍ରିକ ହିତାଧିକାରୀ ଯୋଜନା। ବର୍ତ୍ତମାନ ସୁଦ୍ଧା କାଳିଆ ଯୋଜନାରେ ୪୩ ଲକ୍ଷ କୃଷକଙ୍କୁ ସହାୟତା ଯୋଗାଇ ଦିଆଯାଇଛି ଓ ୫,୧୧୫ କୋଟି ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମା କରାଯାଇଛି। ଏ ବର୍ଷ କାଳିଆ ଯୋଜନାରେ ୩,୧୯୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ‘ପରମ୍ପରାଗତ କୃଷି ବିକାଶ ଯୋଜନା’ ମାଧ୍ୟମରେ ୨୦,୮୦୦ ହେକ୍ଟର ଜମିରେ ଜୈବିକ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ୪୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଚାଷୀମାନଙ୍କୁ ଆଗୁଆ ବିହନ ଯୋଗାଇ ଦେବା ପାଇଁ ୧୦୦ କୋଟି ଓ ସାର ଯୋଗାଇ ଦେବା ପାଇଁ ଆଉ ୧୦୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠିର ବ୍ୟବସ୍ଥା କରାଯାଇଛି। ଓୟୁଏଟିକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ସହ କୃଷି ଗବେଷଣା ଓ ସମ୍ପ୍ରସାରଣ କ୍ଷେତ୍ରରେ ବିଶ୍ବସ୍ତରୀୟ ମାନଦଣ୍ଡ ସୃଷ୍ଟି କରିବା ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ। କୃଷି ଗବେଷଣା, ଶିକ୍ଷା ଓ ଭିତ୍ତିଭୂମି ବିକାଶ ପାଇଁ ୧୫୦ କୋଟି ଟଙ୍କାର ରେକର୍ଡ ପରିମାଣର ବ୍ୟୟବରାଦ କରାଯାଇଛି, ଯାହା କି ଗତ ବର୍ଷ ଠାରୁ ୫ ଗୁଣା ଅଧିକ।

କୃଷକମାନଙ୍କୁ ସୁବିଧାରେ ଋଣ ଉପଲବ୍ଧ କରାଇବା ନିମନ୍ତେ ଘୋଷଣା କରି ଶ୍ରୀ ପୂଜାରୀ କହିଲେ, ନାବାର୍ଡ ସହାୟତାରେ ଜିଲ୍ଲା ୱାରି ଋଣ ଯୋଜନା ପ୍ରସ୍ତୁତ ହେବ। ଏହା ଦ୍ବାରା କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକ୍ରମରେ ୪୩,୨୮୨ କୋଟି ଟଙ୍କାର ଋଣ କ୍ଷମତା ସୃଷ୍ଟି କରାଯାଇ ସମବାୟ ଓ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ ମାଧ୍ୟମରେ ଋଣ ପ୍ରଦାନ କରାଯିବ। କୃଷକମାନଙ୍କୁ ସୁଧ ରିହାତି ପ୍ରଦାନ ନିମନ୍ତେ ୭୦୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ସମବାୟ ବ୍ୟାଙ୍କମାନେ ୨୦୨୦-୨୧ରେ ୧୫ ହଜାର କୋଟି ଟଙ୍କାର କୃଷି ଋଣ ପ୍ରଦାନ କରିବେ। ସମବାୟ ସଂସ୍ଥାମାନଙ୍କୁ ଆର୍ଥିକ ସହାୟତା ନିମନ୍ତେ ୨୪ କୋଟି ଟଙ୍କା, ସମବାୟ ବ୍ୟାଙ୍କଗୁଡ଼ିକୁ ସାଧାରଣ ଅଂଶ ସହାୟତା ପାଇଁ ୪୦ କୋଟି ଏବଂ ପ୍ରାଥମିକ କୃଷି ସମବାୟ ସମିତିମାନଙ୍କୁ ପୁଞ୍ଜି ଅଂଶ ନିବେଶ ବାବଦକୁ ୭୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। କୃଷକ, କ୍ଷୁଦ୍ର ଉଦ୍ୟୋଗୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଉନ୍ନତି ସାଧନ କ୍ଷେତ୍ରରେ ଯୋଗଦାନ ଦେଇଥିବା ଶ୍ରେଷ୍ଠ ବ୍ୟାଙ୍କକୁ ‘ମୁଖ୍ୟମନ୍ତ୍ରୀ ପୁରସ୍କାର’ ପ୍ରଦାନ କରାଯିବ। ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ଚଳିତ ବଜେଟ୍‌ରେ ଗତ ବର୍ଷ ଠାରୁ ଅଧିକ ୩୫ ପ୍ରତିଶତ ବ୍ୟୟ ବରାଦ କରାଯାଇଛି। ଏଥର ବ୍ୟୟବରାଦ ପରିମାଣ ୧,୨୧୧ କୋଟି ଟଙ୍କା ରହିଛି। ଖାରଜଳ ମାଛ ଚାଷ, ସାମୁଦ୍ରିକ ମ‌ାଛ ଚାଷ, ସଘନ ଓ ଆଭ୍ୟନ୍ତରୀଣ ମାଛ ଚାଷର ଉନ୍ନୟନ ନିମନ୍ତେ ୧୬ କୋଟି ଟଙ୍କା ଏବଂ ମତ୍ସ୍ୟଚାଷର ସମନ୍ବିତ ଉନ୍ନୟନ ଓ ପରିଚାଳନା ପାଇଁ ‘ନୀଳ ବିପ୍ଳବ’ ଯୋଜନା ଅଧୀନରେ ୧୧୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପଶୁ ଓ ଗୋପାଳନ କ୍ଷେତ୍ର‌େର ଗବେଷଣା ଓ ବିକାଶକୁ ତ୍ବରାନ୍ବିତ କରିବା ଲକ୍ଷ୍ୟରେ ୧୦ କୋଟି ଟଙ୍କା ବ୍ୟୟରେ ‘ସେଣ୍ଟର୍‌ ଅଫ୍ ଏକ୍ସଲେନ୍ସ ଫର୍‌ ଭେଟେରନାରି ସାଇନ୍‌ସେସ୍‌’ ପ୍ରତିଷ୍ଠାର ପ୍ରସ୍ତାବ ରଖାଯାଇଛି। ଉନ୍ନତମାନର ଦୁଗ୍ଧ କ୍ରିୟାକରଣ ନିମିତ୍ତ ଓମ୍‌ଫେଡ୍‌ ଦ୍ବାରା ୫ ଲକ୍ଷ ଏଲ୍‌ପିଡି ବିଶିଷ୍ଟ ଡାଏରି ପ୍ଲାଣ୍ଟ୍‌ ପ୍ରତିଷ୍ଠା ପାଇଁ ଆର୍‌ଆଇଡିଏଫ୍‌ ସହାୟତାରେ ୫୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଭ୍ରାମ୍ୟମାଣ ପଶୁ ଚିକିତ୍ସା ୟୁନିଟ୍‌ ପାଇଁ ୧୮ କୋଟି ଓ ପଶୁଧନ ସ୍ବାସ୍ଥ୍ୟସେବା ଉନ୍ନୟନ ପାଇଁ ୬୦ କୋଟି ଟଙ୍କା ବରାଦ ହୋଇଛି।

ଗାନ୍ଧୀଙ୍କ ‘ପରଶମଣି’ରୁ ଆରମ୍ଭ
କୃଷି ବଜେଟ୍‌ ଉପସ୍ଥାପନ ଆରମ୍ଭରୁ ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରିଥିଲେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଗାନ୍ଧୀଙ୍କ ପରଶମଣିକୁ ଉଦ୍ଧୃତ କରିଥିଲେ। ‘…ଯେତେବେଳେ ତୁମେ ସଂଶୟରେ ଥିବ ବା ନିଜ ଚିନ୍ତାରେ ଘାରି ହେଉଥିବ, ସେତେବେଳେ ଏହି ପରାମର୍ଶଟି ପ୍ରୟୋଗ କର। ତୁମେ ଦେଖିଥିବା ସବୁଠାରୁ ଗରିବ ଓ ଅସହାୟ ଲୋକ କଥା ମନେ ପକାଅ ଏବଂ ନିଜକୁ ନିଜେ ପଚାର ଯେ ତୁମେ ଯାହା କରିବାକୁ ଯାଉଛ, ତାହା ସେହି ଲୋକଟିର କୌଣସି ଉପକାରରେ ଲାଗିବ କି ? ଏଥିରୁ ସେ କିଛି ଲାଭ ପାଇବ କି ? ଏହା ତା’କୁ ତା’ ଜୀବନ ଓ ଭାଗ୍ୟରେ ପରିବର୍ତ୍ତନ ଆଣିବାରେ ସହାୟକ ହେବ କି ? ଅନ୍ୟ କଥାରେ, ଏହା କ’ଣ କ୍ଷୁଧା ଏବଂ ଆଧ୍ୟାତ୍ମିକ ଅଭାବବୋଧ ଦୂର କରି ତା’ ପାଇଁ ସ୍ବରାଜ ଆଣି ଦେବାରେ ସହାୟକ ହେବ କି ?’ ଗାନ୍ଧୀଙ୍କ ଏହି ପରଶମଣିକୁ ପାଥେୟ କରି ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ସଶକ୍ତୀକରଣ ପାଇଁ ପ୍ରୟାସ ଜାରି ରଖିଛନ୍ତି ବୋଲି ଅର୍ଥ ମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଉକ୍ତିକୁ ଉଦ୍ଧୃତ କଲେ
କୃଷି ବଜେଟ ପଢ଼ିଲା ବେଳେ ମୁଖ୍ୟମନ୍ତ୍ରୀଙ୍କ ଉକ୍ତିକୁ ଉଦ୍ଧୃତ କରି ଅର୍ଥ ମନ୍ତ୍ରୀ କହିଲେ, ‘ଯଦି ତୁମେ ତୁମ ଲୋକଙ୍କୁ ଭଲ ପାଅ ତେବେ ତୁମେ ନିର୍ବାଚନ ପାଇଁ ପ୍ରତିଦ୍ବନ୍ଦ୍ବିତା କର ନାହିଁ…. ତୁମେ ପରିବର୍ତ୍ତନ ଏବଂ ରୂପାନ୍ତୀକରଣ ପାଇଁ ପ୍ରତିଦ୍ବନ୍ଦ୍ବିତା କର। ଯଦି ତୁମେ ଲୋକଙ୍କୁ ଭଲ ପାଉଥିବ- ତେବେ ପ୍ରତିଟି ଇଚ୍ଛାରେ, ପ୍ରତି ପଦକ୍ଷେପରେ, ପ୍ରତି କର୍ମରେ, ପ୍ରତି ଚିହ୍ନ‌େର ଏବଂ ପ୍ରତି ନିଃଶ୍ବାସରେ, ତୁମେ ସେମାନଙ୍କ ପାଇଁ କାମ କର।’

କୁନ୍ତଳା କୁମାରୀଙ୍କ କବିତା
କୃଷି ବଜେଟ୍‌ରେ ପ୍ରଖ୍ୟାତ କବୟିତ୍ରୀ କୁନ୍ତଳା କୁମାରୀ ସାବତଙ୍କ ପଂକ୍ତିକୁ ଉଦ୍ଧାର କରି ଅର୍ଥ ମନ୍ତ୍ରୀ କହିଲେ, ‘ନବ ଆଲୋକ, ନବ ପୁଲକେ…ନିଖିଳ ଅବନୀ ହସିବ, ଫୁଟିବ ପ୍ରସୂନ ବନେ ଉପବନେ…ନବଗାନେ ପିକ ରସିବ।’

କୃଷି ବଜେଟ୍‌ରେ ଗଙ୍ଗାଧର ମେହେରଙ୍କ କବିତା
କୃଷି ବଜେଟ୍‌ ଶେଷରେ ପ୍ରଖ୍ୟାତ କବି ଗଙ୍ଗାଧର ମେହେରାଙ୍କ କବିତାକୁ ଉଦ୍ଧୃତ କରି ଅର୍ଥ ମନ୍ତ୍ରୀ ତାଙ୍କ ଅଭିଭାଷଣ ଶେଷ କରିଥିଲେ। କବିତାଟି ଥିଲା, ‘ଛାଡ଼ି‌େ‌ଦଲେ କୃଷିକି ସବୁ ହେବ ନାଶ…ନ ମିଳିବ ଗ୍ରାସ ଯେ ନ ମିଳିବ ବାସ, କୃଷି ତୋର ବେଦ ରେ କୃଷି ତୋ ପୁରାଣ…କୃଷି ବିନା ନ ରହି ପାରଇ ପରାଣ’।

ବୀର କିଶୋର ଦାସଙ୍କ କବିତାରେ ଶେଷ ହେଲା ଅଭିଭାଷଣ
ସାଧରଣ ବଜେଟ୍‌ ଉପସ୍ଥାପନ ଶେଷରେ ଜାତୀୟ କବି ବୀର କିଶୋର ଦାସଙ୍କ କବିତାକୁ ଅର୍ଥ ମନ୍ତ୍ରୀ ଉଦ୍ଧୃତ କରିଥିଲେ। କବିତାଟି ଥିଲା, ‘ଜୀବସେବା ଭାଇ…ଅହିଂସା ନୀତିର ଅସଲ ଭିତ୍ତି, ଜୀବ ସେବାରେ ଯେ ଜୀବନ ସମ୍ପିଛି…ସବୁଠାରେ ପାରେ ସଭିଙ୍କି ଜିତି।’

 

ସମ୍ବନ୍ଧିତ ଖବର