ଏଥର ନୂଆ ଢାଞ୍ଚାରେ ବଜେଟ୍: ଆରମ୍ଭ ହେଲା ୨୦୨୦-୨୧ ବଜେଟ୍‌ ପ୍ରସ୍ତୁତି

୫ ବର୍ଷିଆ ବିକାଶ ଯୋଜନାକୁ ଅଗ୍ରାଧିକାର, ଫେବ୍ରୁଆରି ତୃତୀୟ ସପ୍ତାହରେ ଉପସ୍ଥାପନ, ଆଗକୁ ଟଙ୍କା ଅଭାବ ହେବ ବୋଲି ମାନିଲେ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାର ଆସନ୍ତା ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ବଜେଟ୍ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଠିକ୍ ସମୟରେ ଯେଭଳି ବିଧାନସଭାରେ ବଜେଟ୍ ଉପସ୍ଥାପନ ହେବ ସେଥିପାଇଁ ଅର୍ଥ ମନ୍ତ୍ରାଳୟ ପଦକ୍ଷେପ ନେବା ଆରମ୍ଭ କରିଛି। ଅର୍ଥ ବିଭାଗ ପକ୍ଷରୁ ଏହି ମର୍ମରେ ବିଭିନ୍ନ ବିଭାଗକୁ ଗତ ଶନିବାର ଚିଠି କରାଯାଇଛି। ଉକ୍ତ ଚିଠିରେ ସରକାର ୫ ବର୍ଷିଆ ବିକାଶ ଯୋଜନାକୁ ଅଗ୍ରାଧିକାର ଦେଇଛନ୍ତି। ରାଜ୍ୟରୁ ଦାରିଦ୍ର୍ୟ ହ୍ରାସ କରିବା, କୃଷକମାନଙ୍କ ଆୟ ବଢ଼ାଇବା, ସମସ୍ତଙ୍କୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇବା, ସୁଲଭ ମୂଲ୍ୟରେ ଉତ୍ତମମାନର ସ୍ବାସ୍ଥ୍ୟସେବା ସୁବିଧା, ଉତ୍ତମ ଗୁଣବତ୍ତାଯୁକ୍ତ ଶିକ୍ଷା ଏବଂ ଦକ୍ଷତା ବିକାଶ, ଅର୍ଥନୈତିକ କାର୍ଯ୍ୟକଳାପରେ ଉନ୍ନତି ଆଣିବା ନିମନ୍ତେ ଭିତ୍ତିଭୂମି ବ୍ୟବସ୍ଥାରେ ବିକାଶ ଆଣିବା, ମହିଳା, ଏସସି, ଏସଟି ଏବଂ ଅନ୍ୟ ଦୁର୍ବଳ ବର୍ଗର ଲୋକଙ୍କୁ ବିଭିନ୍ନ ପ୍ରକାର ଅର୍ଥନୈତିକ କାର୍ଯ୍ୟରେ ସାମିଲ କରି ସେମାନଙ୍କ ସ୍ଥିତିରେ ଉନ୍ନତି ଆଣି ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ କରିବାକୁ ଏଥିରେ କୁହାଯାଇଛି।

ମଧ୍ୟମ ଅବଧିରେ ଏହି ଲକ୍ଷ୍ୟ ହାସଲ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ କେଉଁ କ୍ଷେତ୍ରରେ ଖର୍ଚ୍ଚକୁ ଗୁରୁତ୍ବ ଦିଆଯିବ ତାହା ମଧ୍ୟ ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। ମଧ୍ୟମ ଅବଧି ଭାବେ ୫ ବର୍ଷକୁ ସରକାର ବିଚାରକୁ ନେଇଛନ୍ତି। ପାଇପ ଯୋଗେ ପାନୀୟ ‌ଜଳ ଯୋଗାଣ, ରେଳ, ସଡ଼କ, ବଜାରକୁ ସଂଯୋଗ କରିବା ପାଇଁ ଆବଶ୍ୟକ ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମିର ବିକାଶ, ଶୈକ୍ଷିକ ପରିବେଶରେ‌ ଉନ୍ନତି, ସ୍ବାସ୍ଥ୍ୟ ସେବା, ଦକ୍ଷତା ବିକାଶ, ଜୀବିକା, ମହିଳା ସଶକ୍ତୀକରଣ ଏବଂ କୃଷି ସମେତ ଜଳସେଚନ କ୍ଷେତ୍ରରେ ଅଧିକ ବ୍ୟୟବରାଦ କରିବାର ଲକ୍ଷ୍ୟ ସରକାର ଏହି ବଜେଟ୍ ପ୍ରସ୍ତୁତି କାର୍ଯ୍ୟକ୍ରମରେ ରଖିଛନ୍ତି।

ଅର୍ଥ ବିଭାଗ ପକ୍ଷରୁ ବିଭିନ୍ନ ବିଭାଗକୁ ଦିଆଯାଇଥିବା ଚିଠିରେ ଏହା ଦର୍ଶାଯାଇଛି, ବିଶ୍ବ ସମେତ ଭାରତର ଅର୍ଥନୈତିକ ଅଭିବୃଦ୍ଧି ମନ୍ଥର ରହିଛି। ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କ ଟିକସ ରାଜସ୍ବ ଅପେକ୍ଷାକୃତ ଭାବେ କମ୍ ରହିଛି। ନିକଟରେ କେନ୍ଦ୍ର ସରକାର କର୍ପୋରେଟ୍ ଟିକସ ହ୍ରାସ କରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଏସବୁର ପ୍ରଭାବ ରାଜ୍ୟର ଟିକସ ଭାଗ ଉପରେ ମଧ୍ୟ ପଡ଼ିବ। ପଞ୍ଚଦଶ ଅର୍ଥ ଆୟୋଗର ସୁପାରିସ ନ ଆସିବା ପର୍ଯ୍ୟନ୍ତ ୨୦୨୦-୨୧ରେ ରାଜ୍ୟକୁ କେତେ ରାଜସ୍ବ କେନ୍ଦ୍ରୀୟ ଭଣ୍ଡାରରୁ ମିଳିବ ସେ ନେଇ ଅନିଶ୍ଚିତତା ରହିଛି।

୨୦୧୯-୨୦ ଆର୍ଥିକ ବର୍ଷର ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟ ଜିଏସଟି ଆଦାୟ ରାଶିରେ ୧୧ ପ୍ରତିଶତର ବୃଦ୍ଧି ଦେଖାଦେଇଛି। ଜିଏସଟି ଆଦାୟ ବାବଦ କ୍ଷତିପୂରଣ ରାଜ୍ୟକୁ ଯଦିଓ ଚଳିତବର୍ଷ ମଳିଯିବ ତେବେ ଆସନ୍ତା ୨୦୨୨ ଜୁନ ପରଠାରୁ ଏ ବାବଦ କ୍ଷତିପୂରଣ ରାଶି ଆଉ ମିଳିବ ନାହିଁ। ଏଥିସହିତ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ଯାହା ରହିଛି ତାହାକୁ ବିଚାରକୁ ନେଲେ ରାଜସ୍ବ ଅଭିବୃଦ୍ଧି ମଧ୍ୟ ସେତେଟା ଉତ୍ସାହଜନକ ନରହି ମଧ୍ୟମ ଧରଣର ରହିବ ବୋଲି କୁହାଯାଇଛି।

ଏଥିସହିତ ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି, ବର୍ତ୍ତମାନର ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାରେ ବଜେଟ୍ ପ୍ରସ୍ତାବ, ଆବଣ୍ଟନ ଏବଂ ବାସ୍ତବ ଖର୍ଚ୍ଚ ମଧ୍ୟରେ ଅନେକ ପାର୍ଥକ୍ୟ ରହିଯାଉଛି। ଏହାକୁ ଦୃଷ୍ଟିରେ ସରକାରୀ ଅର୍ଥ ପରିଚାଳନାରେ ସଂସ୍କାର ଅଣାଯାଇଛି। ଏହି ସଂସ୍କାର ପଦକ୍ଷେପ ସ୍ବରୂପ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ନୂଆ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିବେ। ବଜେଟର ବିଶ୍ବସନୀୟତା ବୃଦ୍ଧିରେ ଏହା ସହାୟକ ହେବ ବୋଲି ଆଶା ରଖାଯାଇଛି।

ନୂଆ ବଜେଟ୍ ପ୍ରସ୍ତୁତି ବେଳେ ଅନ୍ତର୍ଜାତୀୟ ସ୍ତରରେ ଗ୍ରହଣ କରାଯାଇଥିବା ଉତ୍ତମ ବ୍ୟବସ୍ଥାକୁ ଗ୍ରହଣ କରାଯିବ। ସରକାର ଯେଉଁସବୁ ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ତାହାକୁ କିଭଳି ଉପଲବ୍ଧ ସମ୍ବଳରେ କାର୍ଯ୍ୟକାରୀ କରାଯାଇ ପାରିବ ତାହାକୁ ବଜେଟ ପ୍ରସ୍ତୁତି ବେଳେ ଧ୍ୟାନ ଦେବାକୁ ବିଭାଗମାନଙ୍କୁ କୁହାଯାଇଛି। ବଜେଟ୍ ପ୍ରସ୍ତୁତି ବେଳେ ସବୁ ବିଭାଗକୁ ସେମାନଙ୍କ ଖର୍ଚ୍ଚର ସର୍ବୋଚ୍ଚ ସୀମା ସମ୍ପର୍କରେ ସୂଚୀତ କରି ଦିଆଯିବ। ଅର୍ଥ ବିଭାଗ ଏବଂ ଯୋଜନା ଓ ସଂଯୋଜନ ବିଭାଗ ମିଳିତଭାବେ ରାଜ୍ୟର ବିତ୍ତୀୟ ଆକଳନ କରିବେ। ନିର୍ଦ୍ଧାରିତ ବ୍ୟୟ ସୀମା ଭିତରେ ବିଭାଗ ଗୁଡ଼ିକ ବଜେଟ ପାଇଁ ପ୍ରସ୍ତାବ ମାନ ରଖିବେ ଏବଂ ତାହାକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପାଇଁ ବିଭାଗ ଗୁଡ଼ିକ ହାତରେ ୨ରୁ ୩ ମାସ ସମୟ ରହିବ ବୋଲି କୁହାଯାଇଛି।

୨୦୨୦-୨୧ ବର୍ଷ ପାଇଁ କାର୍ଯ୍ୟକାରୀ ହେବାକୁ ଥିବା ନୂଆ ବଜେଟ୍ ପ୍ରସ୍ତୁତିରେ ୨୦୧୯ ଡିସେମ୍ବର ୧୫ ସୁଦ୍ଧା‌ ବ୍ୟୟ ଅଟକଳ ପ୍ରସ୍ତୁତ କରିବା ସୁଯୋଗ ବିଭାଗ ଗୁଡ଼ିକୁ ଦିଆଯିବ। ଆସନ୍ତା ବଜେଟ୍ ପାଇଁ ଯେଉଁସବୁ ସଂଶୋଧନ କାର୍ଯ୍ୟକାରୀ ହେବ ତାହା ହେଲା ପ୍ରଶାସନିକ ଏବଂ କାର୍ଯ୍ୟକ୍ରମ ବ୍ୟୟ ପାଇଁ ଗୋଟିଏ ବଜେଟ୍ ସର୍କୁଲାର ଦିଆଯିବ। ଉପରୋକ୍ତ ଦୁଇ ପ୍ରକାର ବ୍ୟୟ ପାଇଁ ଖର୍ଚ୍ଚର ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ କରାଯିବ। ପ୍ରତ୍ୟେକ ପ୍ରଶାସନିକ ବିଭାଗକୁ ସମ୍ବଳ ଆବଣ୍ଟନର ବିଭାଗୀକରଣ ଏବଂ ଖର୍ଚ୍ଚ ସମ୍ପର୍କିତ ତାଲିକା ପ୍ରଦାନ କରାଯିବ। ଆସନ୍ତା ଡିସେମ୍ବର ମାସ ବେଳକୁ ଯୋଜନା ଓ ସଂଯୋଜନ ବିଭାଗର ପରାମର୍ଶକ୍ରମେ ଅର୍ଥ ବିଭାଗ ଏକ ‘ବିତ୍ତୀୟ ରଣନୀତି ପେପର୍‌’ ପ୍ରକାଶ କରିବେ। ଏଥିରେ ମଧ୍ୟମ ଅବଧି ପାଇଁ ରାଜସ୍ବ ଏବଂ ବ୍ୟୟ ସମ୍ପର୍କରେ ଆକଳନକୁ ସୂଚୀତ କରାଯିବ।

ବିଭିନ୍ନ କ୍ଷେତ୍ର ପାଇଁ କାର୍ଯ୍ୟକ୍ରମ ବ୍ୟୟ ସମ୍ପର୍କିତ ବଜେଟ୍ ଆକଳନ ପ୍ରସ୍ତୁତି ବେଳେ ରାଜ୍ୟ ସରକାରଙ୍କ ଅଗ୍ରାଧିକାର କ୍ଷେତ୍ର ଏବଂ ଏସଜିଡିକୁ ଗୁରୁତ୍ବ ଦେବାକୁ କୁହାଯାଇଛି। ‌ଏଥିରେ ରାଜ୍ୟ ଏବଂ କେନ୍ଦ୍ରୀୟ ଯୋଜନା ବାବଦରେ କେତେ ଅର୍ଥ ଅଟକଳ କରାଯିବ ତାହାକୁ ମଧ୍ୟ ଦୃଷ୍ଟିଦେବାକୁ କୁହାଯାଇଛି। ପୁରୁଣା ବଜେଟ ପ୍ରସ୍ତୁତି ବେଳେ ସୂଚନା ସଂଗ୍ରହ ପାଇଁ ୩୪ଟି ପରିଶିଷ୍ଟ ବ୍ୟବହାର କରାଯାଉଥିବା ବେଳେ ନୂଆ ବ୍ୟବସ୍ଥାରେ ଏହାକୁ ୩କୁ କମାଇ ଦିଆଯାଇଛି। ଏଥିରେ ବିଭାଗ ସମ୍ପର୍କରେ ଯାବତୀୟ ତଥ୍ୟ ଦାଖଲ କରିବା ନେଇ ବ୍ୟବସ୍ଥା ରହିଛି।

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ପ୍ରସ୍ତୁତି ସମ୍ପର୍କିତ କେଉଁ କାର୍ଯ୍ୟ କେବେ ସୁଦ୍ଧା ହେବ ସେ ନେଇ ସମୟ ସୀମା ନିର୍ଦ୍ଧାରଣ କରାଯାଇଛି। ଏଥିରେ ୨୦୧୯ ଅକ୍ଟୋବରରେ ବିଭିନ୍ନ ବିଭାଗ ପାଇଁ ସଚେତନତା ଓ ତାଲିମ କାର୍ଯ୍ୟକ୍ରମ ହେବ। ୨୦୧୯ ଡିସେମ୍ବରରେ ବିତ୍ତୀୟ ରଣନୀତି ପେପର୍ ପ୍ରସ୍ତୁତ ହେବ। ୨୦୧୯ ଡିସେମ୍ବର ୧୫ ସୁଦ୍ଧା ବଜେଟ୍ ଆକଳନ ପାଇଁ ପ୍ରସ୍ତାବ ଦାଖଲ ହେବ। ଡିସେମ୍ବର ୧୬ରୁ ୩୧ ତାରିଖ ମଧ୍ୟରେ ପ୍ରାକ୍ ବଜେଟ୍ ବିଚାରବିମର୍ଶ ହେବ। ପ୍ରାକ୍ ବଜେଟ୍ ପରାମର୍ଶ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ ପରେ ୨୦୨୦ ଫେବ୍ରୁଆରି ୩ରେ ବ୍ୟୟ ଅଟକଳ ସଂଶୋଧନ ହେବ। ୨୦୨୦ ଫେବ୍ରୁଆରି ୫ ତାରିଖରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ସଚିବମାନଙ୍କ ସହିତ ମୁଖ୍ୟ ଶାସନ ସଚିବ/ଉନ୍ନୟନ କମିସନର ଆଲୋଚନା କରିବେ। ୨୦୨୦ ଫେବ୍ରୁଆରି ୭ରୁ ୧୦ ତାରିଖ ମଧ୍ୟରେ ବାର୍ଷିକ ବଜେଟକୁ ମନ୍ତ୍ରିମଣ୍ଡଳ ମଞ୍ଜୁରି ଦେବ। ୨୦୨୦ ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ ବଜେଟ ଚିଠା ପ୍ରସ୍ତୁତ ହେବ। ଫେବ୍ରୁଆରି ତୃତୀୟ ସପ୍ତାହରେ ଅର୍ଥମନ୍ତ୍ରୀଙ୍କ ଦ୍ବାରା ବିଧାନସଭାରେ ବଜେଟ ଉପସ୍ଥାପନ ହେବ। ମାର୍ଚ୍ଚ ଶେଷବେଳକୁ ବ୍ୟୟମଞ୍ଜୁରି ବିଲ୍‌ ଉପସ୍ଥାପନ ହେବ ବୋଲି ଅର୍ଥ ବିଭାଗ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। ଉପରୋକ୍ତ କାର୍ଯ୍ୟ ସମ୍ପାଦନ ଦାୟିତ୍ବ ଅର୍ଥ, ଯୋଜନା ଓ ସଂଯୋଗ ସମେତ ବିଭିନ୍ନ ପ୍ରଶାସନିକ ବିଭାଗକୁ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର