ରାଜ୍ୟ ବଜେଟ ଯୋଜନାବଦ୍ଧ ରାସ୍ତା ପ୍ରଦର୍ଶିତ କରୁ ନାହିଁ: ଧର୍ମେନ୍ଦ୍ର ପ୍ରଧାନ

ନରସିଂହ ମିଶ୍ର କହିଲେ-ନୈରାଶ୍ୟଜନକ ବଜେଟ, ଅନ୍ତଃସାର ଶୂନ୍ୟ ବଜେଟ କହିଲେ ବିଷ୍ଣୁ ସେଠୀ

ଭୁବନେଶ୍ୱର: ରାଜ୍ୟ ଅଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ସେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ମୋଟ ବଜେଟ ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ରଖିଛନ୍ତି। ତେବେ ରାଜ୍ୟ ସରକାରଙ୍କ ବଜେଟକୁ ନେଇ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହା ଯୋଜନାବଦ୍ଧ ରାସ୍ତା ପ୍ରଦର୍ଶିତ କରୁ ନାହିଁ। ଅମାପ ଖଣିଜ ସମ୍ପଦ, ବିସ୍ତତ ବେଳାଭୂମି, ବିଶାଳ ଜଙ୍ଗଲ ସମ୍ପଦ ତଥା ପରିଶ୍ରମୀ ଓଡ଼ିଆ ରାଜ୍ୟର ମୂଳ ସମ୍ବଳ। ଓଡ଼ିଶାକୁ କେବଳ ଦେଶର ନୁହେଁ। ସମଗ୍ର ବିଶ୍ୱର ଆର୍ଥିକ ଦୃଷ୍ଟିରୁ ଅଗ୍ରଣୀ ଅଞ୍ଚଳ ଭାବେ ଗଢ଼ି ତୋଳିବା ପାଇଁ ନୂଆ ଯୋଜନା, ନୂଆ କୌଶଳ ତଥା ନୂଆ ଆଭିମୁଖ୍ୟର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି କି ମୋଦି ସରକାରଙ୍କର ପୂର୍ବୋଦୟର ବିକାଶ ପାଇଁ ପ୍ରାଥମିକତା, ଖଣି ନିଲାମୀ ମାମଲାରେ କେନ୍ଦ୍ର ସରକାରଙ୍କର ନୀତି ସୁଧାର କାରଣରୁ ରାଜ୍ୟକୁ ଲାଭ ଓ ଓଡ଼ିଶା ପାଇଁ ଅଧିକ ବ୍ୟୟବରାଦର ପ୍ରତିଫଳନ ରାଜ୍ୟ ବଜେଟରେ ପ୍ରତିଫଳିତ ହୋଇଛି।

ବିରୋଧୀ ଦଳ ଉପନେତା କହିଛନ୍ତି, ଏଥର ବଜେଟ୍‌ ନୂଆ ବୋତଲରେ ପୁରୁଣା ମଦ ଭଳି ହୋଇଛି। କେନ୍ଦ୍ର ବଜେଟରେ ଆସିଥିବା ଅନୁଦାନକୁ ନେଇ ଯୋଜନା ହୋଇଛି। ବଜେଟରେ ଭିତ୍ତିଭୂମିର ବିକାଶ ଓ ବେକାରମାନଙ୍କ ପାଇଁ କିଛି ନାହିଁ। ଏହା ଅନ୍ତଃସାର ଶୂନ୍ୟ ବଜେଟ ବୋଲି କହିଛନ୍ତି ବିଷ୍ଣୁ ସେଠୀ।

କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି, ଏହି ବଜେଟ ନୈରାଶ୍ୟଜନକ ଓ ଲୋକ ବିରୋଧୀ, ବଜେଟରେ ଗୁଣାତ୍ମକ ଶିକ୍ଷାକୁ ପ୍ରାଥମିକତା ଦିଆଯାଇନି। ଦିଲ୍ଲୀ ଭଳି ଶିକ୍ଷା କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରାଯାଉନି। କୃଷି କ୍ଷେତ୍ରରେ ଗତବର୍ଷ ଅପେକ୍ଷା ବ୍ୟୟ ବରାଦ କମିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର