୨୨ ପ୍ରସ୍ତାବରେ କ୍ୟାବିନେଟ୍ ମୋହର

ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଇଡ୍‌କୋ ଦେବ ଜମି
ବଢ଼ିଲା ଓଏଏସ୍ ଓ ଓଏଫ୍ଏସ୍ ପଦବି
କୃଷି ସ୍ନାତକ ଡିଗ୍ରିକୁ ବୃତ୍ତିଗତ ଡିଗ୍ରି ମାନ୍ୟତା
ଅଙ୍ଗନବାଡ଼ି ପିଲାଙ୍କୁ ଜୋତା, ସୁଏଟର୍

ଭୁବନେଶ୍ବର : ପର୍ଯ୍ୟଟନ ଠାରୁ ଆରମ୍ଭ କରି କୃଷି ଯାଏ। ସମବାୟ ବିଭାଗ ଠାରୁ ଆରମ୍ଭ କରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପର୍ଯ୍ୟନ୍ତ ପ୍ରାୟ ସବୁ ବର୍ଗରେ ସୁଧାର ତଥା ସମସ୍ତଙ୍କୁ ସନ୍ତୁଷ୍ଟ କରିବା ଲାଗି ଆଜି ରାଜ୍ୟ ସରକାର ୨୨ଟି ବଡ଼ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମପାଳିର ପ୍ରଥମ ବର୍ଷ ପୂର୍ତି ଅବସରରେ କ୍ୟାବିନେଟ୍ ବୈଠକ ଡକାଯାଇଥିଲା, ଯେଉଁଥିରେ ବିଭିନ୍ନ ବିଭାଗରୁ ଆସିଥିବା ଏ ସଂକ୍ରାନ୍ତ ପ୍ରସ୍ତାବଗୁଡ଼ିକୁ ମନ୍ତ୍ରିମଣ୍ଡଳ ଅନୁମୋଦନ ପ୍ରଦାନ କରିଥିଲା। ଭିଡ଼ିଓ କନଫରେନ୍ସିଂ ଯୋଗେ ଅନୁଷ୍ଠିତ ଆଜିର କ୍ୟାବିନେଟ୍ ବୈଠକକୁ ଅନେକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି।

କ୍ୟାବିନେଟ୍ ବୈଠକ ସଂପର୍କରେ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଓଡ଼ିଶା ପର୍ଯ୍ୟଟନ ନୀତି ୨୦୧୬ ସଂଶୋଧନ ସଂପର୍କରେ ସେ କହିଥିଲେ, ଏବେ ଇଡ଼କୋ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଉଭୟ ସରକାରୀ ଓ ବେସରକାରୀ ଜମି ଚିହ୍ନଟ, ଅଧିଗ୍ରହଣ ଓ ଆବଣ୍ଟନ କରିବ। ଏଥିପାଇଁ ଇଡ଼କୋ ଏକ ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରିବ। ଯଦି ପ୍ରସ୍ତାବିତ ଜମିରେ କୌଣସି ଭିତ୍ତିଭୂମି ବିକାଶ ହୋଇନଥାଏ, ସେ କ୍ଷେତ୍ରରେ ଆଇପିଆର୍ ଦର, ଅତିରିକ୍ତ ୨ ପ୍ରତିଶତ ଇଡ଼କୋ ପ୍ରଶାସନିକ ଖର୍ଚ୍ଚ ବାବଦରେ ନେବ। ଅନ୍ୟଥା ଭିତ୍ତିଭୂମିର ବିକାଶ ହୋଇଥିଲେ ବିକାଶ ଖର୍ଚ୍ଚ ସହିତ ଆଇପିଆର୍ ଦର ଯାହା ଅନ୍ୟ ଶିଳ୍ପସଂସ୍ଥା ପାଇଁ ବି ନିଆଯାଉଛି, ତାହା ଏ କ୍ଷେତ୍ରରେ ପ୍ରୟୋଗ କରାଯିବ। ଏହି ସଂଶୋଧନ ଯୋଗୁଁ କୌଣସି ଆର୍ଥିକ ବୋଝ ରହିବ ନାହିଁ । ଏହାଦ୍ବାରା ଓଡ଼ିଶା ପର୍ଯ୍ୟଟନ ପ୍ରକଳ୍ପ ନିମନ୍ତେ ଜମି ଆବଣ୍ଟନ ପ୍ରକ୍ରିୟାକୁ ସରଳୀକୃତ ଓ ସମାନତା ପ୍ରଦାନ କରାଯାଇପାରିବ।

କୃଷି ଓ ଆନୁଷଙ୍ଗିକ ବିଷୟର ପାଠ୍ୟକ୍ରମକୁ ବୃତ୍ତିଗତ ଡିଗ୍ରି ମାନ୍ୟତା ଦିଆଯିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି। କୃଷି ସ୍ନାତକ ଡିଗ୍ରି (ବିଏସସି କୃଷି)କୁ ମେଡ଼ିକାଲ, ଇଞ୍ଜିନିୟରିଂ ଓ ଭେଟନାରି ଡିଗ୍ରି ସହିତ ସମାନ କରିବାକୁ ଜାତୀୟ କୃଷି ଆୟୋଗ ଅନୁମାଦନ କରିଥିଲେ। ରାଜ୍ୟରେ କୃଷିର ଉନ୍ନତି ପାଇଁ ଏହି ବର୍ଗର ଯୁବକଙ୍କ ଅବଦାନକୁ ବିଚାରକୁ ନେଇ ସରକାର କୃଷି ଓ ଆନୁଷଙ୍ଗିକ ବିଷୟର ୟୁ ଜି ପାଠ୍ୟକ୍ରମକୁ ବୃତ୍ତିଧାରୀ ବା ପ୍ରଫେସନାଲ କୋର୍ସ ଭାବେ ଗ୍ରହଣ କରାଯିବ। ଏହାଦ୍ବାରା ଡିଗ୍ରିଧାରୀମାନଙ୍କର ଦକ୍ଷତା ବଢିବ ଓ ପ୍ରତିଭାବାନ ବ୍ୟକ୍ତିଙ୍କୁ କୃଷି କ୍ଷେତ୍ର ପ୍ରତି ଆକର୍ଷିତ କରାଯାଇପାରିବ।

ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା ଅଧୀନରେ ରାଜ୍ୟର ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ରରେ ନାମ ଲେଖାଇଥିବା ୩ରୁ ୬ବର୍ଷର ଶିଶୁମାନଙ୍କୁ ପ୍ରତିବର୍ଷ ନିର୍ଧାରିତ ରଙ୍ଗର ଦୁଇ ହଳ ୟୁନିଫର୍ମ ଯୋଗାଇ ଦିଆଯାଉଛି। ରାଜ୍ୟ ସରକାର ସ୍ଥିର କରିଛନ୍ତି ଯେ ଏହି ଶିଶୁମାନଙ୍କୁ କ୍ଷତ ଓ ଅଙ୍କୁଶ କୃମି ତଥା ଜୀବାଣୁ ସଂକ୍ରମଣରୁ ରକ୍ଷା କରିବା ଏବଂ ଶୀତଦିନରେ ଶୀତରୁ ରକ୍ଷା କରିବା ପାଇଁ ୨୦୧୯-୨୦ରୁ ଏକ ହଳ ଲେଖାଏଁ ଜୋତା, ମୋଜା ଓ ୨୦୨୦-୨୧ରୁ ଗୋଟିଏ ଲେଖାଏଁ ସୁଏଟର ଦିଆଯିବ। ଏହି ଅର୍ଥ ରାଜ୍ୟ ତହବିଲରୁ ଖର୍ଚ୍ଚ ହେବ।

ଆଖୁ ଚାଷୀମାନଙ୍କ ଠାରୁ ଚଳିତ ଆଖୁପେଡ଼ା ଋତୁ ପାଇଁ କିଣାଯାଇଥିବା ଆଖୁର ପ୍ରାପ୍ୟ ତୁରନ୍ତ ପ୍ରଦାନ ନିମନ୍ତେ ସରକାର ଗ୍ୟାରେଣ୍ଟର ପଡ଼ିଛନ୍ତି। ୧୫କୋଟିର ଏହି ସରକାରୀ ଗ୍ୟାରେଣ୍ଟିର ସମୟସୀମା ଅବଧି ଜାରି ହେବା ଦିନଠାରୁ ୮ମାସ ରଖାଯାଇଛି। ଆଖୁପେଡ଼ା ଋତୁ କାର୍ଯ୍ୟ ଗତ ଫେବ୍ରୁଆରି ୧୦ରୁ ଆରମ୍ଭ କରାଯାଇ ଏପ୍ରିଲ ୧୧ ଭିତରେ ଶେଷ ହୋଇଛି। ଚଳିତବର୍ଷ ଆସ୍କା ଚିନିକଳରେ ମୋଟ ୭୯୩୩୮ ମେଟ୍ରିକ୍ ଟନ୍ ଆଖୁ ପେଡ଼ା ହୋଇଛି। ଏହି ବର୍ଷ ୬୪ ହଜାର ୮୫୦ କ୍ବିଣ୍ଟାଲ ଚିନି ଉତ୍ପାଦନ ହୋଇଛି। ଏହି ପରିମାଣର ଉତ୍ପାଦନ ପାଇଁ ଆଖୁର କ୍ରୟ ମୂଲ୍ୟ ବାବଦକୁ ଚିନିକଳ ଆପାତତଃ ୨୩ କୋଟି ୫୬ଲକ୍ଷ ଟଙ୍କା ଚାଷୀଙ୍କୁ ପ୍ରଦାନ କରିବ। ଏଣୁ ଚାଷୀଙ୍କୁ ତୁରନ୍ତ ପ୍ରାପ୍ୟ ଦେବା ନିମନ୍ତେ ଆସ୍କା ଚିନି କଳ କ୍ୟାସ କ୍ରେଡ଼ିଟ୍ ପାଇଁ ୧୫ କୋଟି ନଗଦ ଋଣ କରିଛି। ଏଥିପାଇଁ ସଂସ୍ଥା ୧୫ କୋଟି ଟଙ୍କା ଗ୍ୟାରେଣ୍ଟି ମାଗିଥିଲା।

ରାଜ୍ୟ କ୍ୟାବିନେଟ୍ ଆଜି ଓଡ଼ିଶା ଅର୍ଥ ସେବା ନିୟମାବଳୀରେ ସଂଶୋଧନ ଆଣିଛନ୍ତି। ଏହି କ୍ରମରେ ପେ ବ୍ୟାଣ୍ଡ-୪ ଅନ୍ତର୍ଭୁକ୍ତ ପଦବି ଲାଗି ଥିବା ପଦୋନ୍ନତି କମିଟି‌ରେ ମୁଖ୍ୟଶାସନ ସଚିବ ବା ଅତିରିକ୍ତ ମୁଖ୍ୟସଚିବ ମୁଖ୍ୟ ରହିବେ। ଏବଂ ବିଭାଗ ଶାସନ ସଚିବ ବା ସ୍ବତନ୍ତ୍ର ଶାସନ ସଚିବ ସଭ୍ୟ ରହିବେ। ସାଧାରଣ ପ୍ରଶାସନ ଓ ପେନସନ୍ ଅଭିଯୋଗ ବିଭାଗର ସଂଶୋଧିତ ନିୟମାବଳୀ ସହିତ ସମାନତା ଆଣିବା ପାଇଁ ଏଭଳି ସଂଶୋଧନ କରାଯାଇଥିବା କୁହାଯାଇଛି।

ସେହିଭଳି ଓଡ଼ିଶା ବିଧି ସେବାର ବିଧି ଅଧିକାରୀ, ଅନୁଶାସନ ସଚିବ, ଉପଶାସନ ସଚିବ ଏବଂ ଯୁଗ୍ମ ଶାସନ ସଚିବଙ୍କ ପଦୋନ୍ନତି କମିଟିରେ ଏକ ପରିବର୍ତନ ଅଣାଯାଇଛି। ଏହି କମିଟିରେ ବିଧି ଚେତକଙ୍କୁ ସଦସ୍ୟ ରହିବା ନେଇ ଥିବା ଅସଙ୍ଗତି ଏଡ଼ାଇ ତାଙ୍କ ସ୍ଥାନରେ ସ୍ବତନ୍ତ୍ର ଶାସନ ସଚିବ ବା ତାଙ୍କ ଅନୁପସ୍ଥିତିରେ ଅତିରିକ୍ତ ଶାସନ ସଚିବଙ୍କୁ ଚୟନ ବୋର୍ଡର ସଦସ୍ୟ ରଖାଯିବ।

ରାଜ୍ୟ ସରକାର ଆଜି ଓଡ଼ିଶା ପ୍ରଶାସନିକ ସେବା (କନିଷ୍ଠ ବର୍ଗ)ରେ ୧୯୨ ପଦବି ସୃଷ୍ଟି କରିଛନ୍ତି। ଏହା ଫଳରେ ପଦବି ସଂଖ୍ୟା ୯୯୬ରୁ ୧୧୮୮କୁ ବୃଦ୍ଧି ପାଇବ। ଏହି ନୂଆ ପଦବିରେ ନିଯୁକ୍ତି ପାଇବାକୁ ଥିବା ଅଧିକାରୀ ୩୦ଟି ଉପ ଜିଲ୍ଲାପାଳ ଭାବେ ଲଘୁ ଖଣିଜ କାର୍ଯ୍ୟାଳୟରେ ନିଯୁକ୍ତି ଦିଆଯିବ। ଏହାବ୍ୟତୀତ ୫୮ ଜଣ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏବଂ ୨୩ ଜଣ ଉପନିବନ୍ଧକ, ୨୫ଟି ପୌରପାଳିକାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ପାଇବେ ବୋଲି ସରକାର ସ୍ଥିର କରିଛନ୍ତି।

ଅନୁରୂପ ଭାବେ ସରକାର କହିଛନ୍ତି, ଗତ ୫ବର୍ଷ ଭିତରେ ବଜେଟ୍ ଆକାର ଦ୍ବିଗୁଣିତ ହୋଇଛି। ଏଥିସହିତ ସମନ୍ବିତ ଅର୍ଥ ପରିଚାଳନା ବ୍ୟବସ୍ଥାର ଅଧିକ ପ୍ରୟୋଗ ପାଇଁ କୋଷାଗାରମାନଙ୍କରେ ଅର୍ଥସେବା ଅଧିକାରୀଙ୍କ ସଂଖ୍ୟା ବଢାଯିବା ଦରକାର। ଏହାଛଡା ଓଡ଼ିଶା ଟିକସ ଓ ହିସାବ ସେବା ଅଧିକାରୀଙ୍କ ପଦୋନ୍ନତିରେ ମନ୍ଥରତାକୁ ଦୂର କରିବା ଲାଗି ଓଡ଼ିଶା ଅର୍ଥ ସେବା କ୍ୟାଡ଼ରର ପୁନର୍ଗଠନ କରାଯାଇଛି। ଆଜି କ୍ୟାବିନେଟ୍ ଓଡ଼ିଶା ଅର୍ଥସେବା କ୍ୟାଡର କନିଷ୍ଠ ସ୍ତରରେ ୧୦୪ଟି ପଦବି ସୃଷ୍ଟି କରିଛନ୍ତି। ଏଥିସହିତ ଓଏଫ୍ଏସ କ୍ୟାଡ଼ରର ପଦବି ସଂଖ୍ୟା ୮୦୭ରୁ ବୃଦ୍ଧି ପାଇ ୯୧୧ ହେବ।

ସମ୍ବନ୍ଧିତ ଖବର