୭ ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର : ଏଣିକି ମାର୍କ ନୁହେଁ, ପରୀକ୍ଷା

ଭୁବନେଶ୍ବର : ପୂର୍ବରୁ କ୍ୟାରିଅର୍‌ ମାର୍କ ଭିତ୍ତିରେ ମତ୍ସ୍ୟ ଅଧିକାରୀ ପଦବିରେ ନିଯୁକ୍ତି ଦିଆଯାଉଥିଲା। ସେତେବେଳେ ରାଜ୍ୟରେ ମତ୍ସ୍ୟ ବିଜ୍ଞାନ ଶିକ୍ଷା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ହିଁ ଏକମାତ୍ର ବିଶ୍ବବିଦ୍ୟାଳୟ ଥିଲା। ମତ୍ସ୍ୟ ଅଧିକାରୀ ପଦବି ପାଇଁ ୮୦ ପ୍ରତିଶତ ମାର୍କ ଓ ୨୦ ପ୍ରତିଶତ ସାକ୍ଷାତକାର ଭିତ୍ତିରେ ଓଡ଼ିଶା ଲୋ‌କସେବା ଆୟୋଗ (ଓପିଏସ୍‌ସି) ପ୍ରାର୍ଥୀ ଚୟନ କରୁଥିଲେ। ଇତି ମଧ୍ୟରେ କିଛି ଘରୋଇ ବିଶ୍ବବିଦ୍ୟାଳୟ ମତ୍ସ୍ୟ ବିଜ୍ଞାନ ଶିକ୍ଷାଦାନ କରୁଛନ୍ତି। ଏପରି କି ରାଜ୍ୟ ବାହାରୁ ମଧ୍ୟ ଅନେକ ପ୍ରାର୍ଥୀ ଆବେଦନ କରୁଛନ୍ତି। ସେମାନଙ୍କୁ ସୁଯୋଗ ଦେବା ପାଇଁ ଓଡ଼ିଶା ମତ୍ସ୍ୟ ସେବା ‘କ’ ଓ ‘ଖ’ ବର୍ଗ ନିଯୁକ୍ତି ସର୍ତାବଳୀ ନିୟମ, ୨୦୧୩ରେ ରାଜ୍ୟ ସରକାର ସଂଶୋଧନ ଆଣିଛନ୍ତି। ସଂଶୋଧିତ ନିୟମ ଅନୁଯାୟୀ ଏଣିକି ମାର୍କ ପରିବର୍ତେ ପ୍ରତିଯୋଗିତା ପରୀକ୍ଷା ଜରିଆରେ ସହକାରୀ ମତ୍ସ୍ୟ ଅଧିକାରୀ ପଦବିରେ ସିଧାସଳଖ ନିଯୁକ୍ତି ଦିଆଯିବ। ଓଡ଼ିଶା ଲୋ‌କସେବା ଆୟୋଗ (ଓପିଏସ୍‌ସି) ଏହି ପ୍ରତିଯୋଗିତା ପରୀକ୍ଷା ଆୟୋଜନ କରିବ।

ଆଜି ସନ୍ଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ସହିତ େମାଟ ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ବୈଠକ ପରେ ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଲେ ଯେ ମତ୍ସ୍ୟ ଅଧିକାରୀ ଚୟନ ନିମନ୍ତେ ପ୍ରତିଯୋଗିତା

କରାଯିବ। ବର୍ତମାନ ଡାକ୍ତର ନିଯୁକ୍ତି ସମେତ ବିଭିନ୍ନ କ୍ଷେତ୍ରରେ ପ୍ରତିଯୋଗିତା ପରୀକ୍ଷା ଜରିଆରେ ନିଯୁକ୍ତି ବ୍ୟବସ୍ଥା କରାଯାଇଛି। ମତ୍ସ୍ୟସେବା ବିଭାଗର କେବଳ ନିର୍ଦେଶକ ପଦବିକୁ ଛାଡ଼ି ଅନ୍ୟ ସମସ୍ତ ପଦବି ପାଇଁ ବିଭାଗୀୟ ପଦୋନ୍ନତି କମିଟି(ଡିପିସି) ବିଭାଗୀୟ ସଚିବ ପରିଚାଳନା କରିବେ।

କ୍ୟାବିନେଟ୍‌ରେ ମଞ୍ଜୁରି ପାଇଥିବା ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ ଜନଜାତି ଉନ୍ନୟନ ସମବାୟ ନିଗମ(ଟିଡିସିସି)କୁ ଋଣମୁକ୍ତ କରାଯିବ। ଏ ନେଇ ସୂଚନା ଦେଇ ମୁଖ୍ୟ ସଚିବ କହିଲେ, ୧୯୬୭ରେ ଏହି ନିଗମ ଗଠନ କରାଯାଇଥିଲା। ୧୯୯୧ରେ ମହୁଲ ଫୁଲ ସଂଗ୍ରହ ବିକେନ୍ଦ୍ରୀକରଣ କାରବାରେ ଟିଡିସିସିର ୧୦.୬୫ କୋଟିର କ୍ଷତି ହୋଇଥିଲା। ବର୍ତମାନ ପର୍ଯ୍ୟନ୍ତ ସେହି କ୍ଷତି ଗଡ଼ିଆସୁଛି। କ୍ରମବର୍ଧିଷ୍ଣୁ କ୍ଷତି ଓ ସୁଧ ବାବଦକୁ ସେହି ରାଶି ଏବେ ୩୬.୩୯ କୋଟିରେ ପହଞ୍ଚିଛି। ଫଳରେ ଦେବାଳିଆ ସଂସ୍ଥାରେ ପରିଣତ ହୋଇଛି ଏହି ନିଗମ। କ୍ୟାବିନେଟ୍‌ ନିଷ୍ପତ୍ତି ଅନୁଯାୟୀ ନିଗମ ଉପରେ ଥିବା ଋଣ ଓ ସୁଧ ବାବଦକୁ ବାକି ଥିବା ୩୬.୩୯ କୋଟିର ରାଶିକୁ ସମାନ ଭାବରେ ଅଂଶପୁଞ୍ଜି ନିବେଶକୁ ପରିବର୍ତିତ କରାଯିବ। ଏହା ଦ୍ବାରା ନିଗମ କମ୍ପାନି ଆଇନ ବଳରେ ବ୍ୟାଙ୍କରୁ ଋଣ ଉଠାଇ ଲଘୁଜାତ ସଂଗ୍ରହ କାରବାର ତ୍ବରାନ୍ବିତ କରିପାରିବ ବୋଲି ସେ କହିଥିଲେ।

ନିକଟରେ ଅନୁଷ୍ଠିତ ଇସ୍ପାତ ଓ ଖଣି ବିଭାଗରେ ଭୂତତ୍ତ୍ବବିତ୍‌ଙ୍କ ଭଳି ପଞ୍ଚାୟତିରାଜ ବିଭାଗ ଓ ଜଳସଂପଦ ବିଭାଗରେ ଭୂବୈଜ୍ଞାନିକଙ୍କ କ୍ୟାଡର ପୁନର୍ଗଠନ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି କ୍ୟାବିନେଟ୍‌। ପ୍ରବେଶ ସ୍ତର ଅର୍ଥାତ୍‌ କନିଷ୍ଠ ପ୍ରଥମ ଶ୍ରେଣୀଠାରୁ ଅତିରିକ୍ତ ନିର୍ଦେଶକ ପଦବି ପର୍ଯ୍ୟନ୍ତ କ୍ୟାଡର ପୁନର୍ଗଠନ ହୋଇଛି। ପଞ୍ଚାୟତିରାଜ ବିଭାଗରେ କ୍ୟାଡର ସଂପ୍ରସାରଣ ଓ ପୁନର୍ଗଠନ ପରେ ପଦବି ସଂଖ୍ୟା ୧୯ରୁ ୩୯କୁ ବୃଦ୍ଧି ପାଇବ। ସେହିପରି ଭୂତଳ ଜଳ ଉନ୍ନୟନ ନିର୍ଦେଶାଳୟରେ କ୍ୟାଡର ସଂଖ୍ୟା ୩୪ରୁ ୪୮କୁ ବୃଦ୍ଧି ପାଇବ।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନରେ ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ସୁସଂଗଠିତ କରିବା ପାଇଁ ୭୧ଟି ଅତିରିକ୍ତ ଜିଲ୍ଲା ମଙ୍ଗଳ ସଂପ୍ରସାରଣ ଅଧିକାରୀ, ୯ଟି ଜିଲ୍ଲା ମଙ୍ଗଳ ଅଧିକାରୀ, ତିନିଟି ଯୁଗ୍ମ ନିର୍ଦେଶକ ପଦବି ବୃଦ୍ଧି କରାଯିବା ସହିତ େଗାଟିଏ ଅତିରିକ୍ତ ନିର୍ଦେଶକ ପଦବି ସୃଷ୍ଟି କରାଯାଇଛି। କ୍ୟାବିନେଟ୍‌ ଅନୁମୋଦନ ଦେଇଥିବା ଓଡ଼ିଶା ଉଦ୍ୟାନ କୃଷି ସେବା ସର୍ତାବଳୀ ସଂଶୋଧନ ନିୟମ, ୨୦୧୮ ଅନୁଯାୟୀ ୨୦୧୪ରେ ଜାରି ହୋଇଥିବା ପଦୋନ୍ନତି ନିୟମରେ ପରିବର୍ତନ କରାଯାଇଛି। ତଦନୁଯାୟୀ ଓଭରସିୟର ବା ଉଦ୍ୟାନ କୃଷି ଉପଦର୍ଶକ ଓ ପ୍ରଦର୍ଶନ ସହାୟକଙ୍କ ପଦୋନ୍ନତି ପାଇଁ +୨ ବିଜ୍ଞାନର ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତାକୁ ଅପସାରଣ କରାଯାଇଛି। ଫଳରେ ୧୪ଜଣ ଓଭରସିୟର ପଦୋନ୍ନତି ସୁଯୋଗ ପାଇପାରିବେ ବୋଲି ମୁଖ୍ୟ ସଚିବ କହିଥିଲେ।

ସମ୍ବନ୍ଧିତ ଖବର