୯ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି

ଭୁବନେଶ୍ୱର : ଖୋର୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ତ୍ୱରାନ୍ଵିତ କରିବା ଲାଗି ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଦଶପଲ୍ଲା-ବଲାଙ୍ଗୀର ଅଂଶବିଶେଷ ରେଳପଥ ବିକାଶ କାର୍ଯ୍ୟ ଆଗେଇ ନେବା ପାଇଁ ସରକାର ୮୮୧ ଏକର ୭୪୫ ଡିସିମିଲ ଜମି ରେଳବାଇକୁ ହସ୍ତାନ୍ତର କରିଛନ୍ତି। ୪ଟି ଜିଲ୍ଲା ଅନ୍ତର୍ଗତ ୧୭୨ଟି ମୌଜାର ଏହି ଜମିକୁ ଆନୁଷଙ୍ଗିକ ଦେୟ ଓ ବିନା ପଞ୍ଜୀକରଣ ମୂଲ୍ୟରେ ପ୍ରଦାନ କରାଯାଇଛି। ଆଜି ଏ ସଂକ୍ରାନ୍ତ ଏକ ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛି। କେବଳ ସେତିକି ନୁହେଁ, କୋରାପୁଟ ଜିଲ୍ଲାବାସୀଙ୍କ ଲାଗି ଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ଲାଗି ସରକାର ୩୧୭ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ସମ୍ବଲପୁର ଆଇଆଇଏମ୍‌କୁ ୧୮୧.୭୭ ଏକର ସରକାରୀ ଜମି ଦିଆଯାଇଛି। କେବଳ ସେତିକି ନୁହେଁ, ରାଜ୍ୟପାଳଙ୍କ ଆପତ୍ତି ପରେ ବିପିୟୁଟି ବିଲ୍‌ରେ ଥିବା ପ୍ରୋ- ଚାନ୍‌ସେଲରଙ୍କ ପଦବିକୁ ମଧ୍ୟ ପ୍ରତ୍ୟାହାର କରିନିଆଯାଇଛି। ଏହିଭଳି ମୋଟ ୯ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ଲାଗିଛି।

କ୍ୟାବିନେଟ୍‌ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଲେ, ଦଶପଲ୍ଲାରୁ ବଲାଙ୍ଗୀର ପର୍ଯ୍ୟନ୍ତ ରେଳପଥ ନିର୍ମାଣ ପାଇଁ ରାଜ୍ୟ ସରକାର ବିନା ମୂଲ୍ୟରେ ଜମି ଯୋଗାଇଦେବା ସହିତ ନିର୍ମାଣ ଖର୍ଚର ଶତକଡ଼ା ୫୦ ଭାଗ ବହନ କରିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ। ଏନେଇ ରେଳ ମନ୍ତ୍ରାଳୟକୁ ଜଣାଇବା ପରେ ଏହି ରେଳପଥ ବିକାଶକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଥିଲେ। ରାଜ୍ୟ ସରକାର ତାଙ୍କ ପ୍ରତିଶ୍ରୁତି ମୁତାବକ, ଆଜି ନୟାଗଡ଼, ବୌଦ୍ଧ, ସୋନପୁର ଓ ବଲାଙ୍ଗୀର ଜିଲ୍ଲାର ୮୮୧.୭୪୫ ଏକର ସରକାରୀ ଜମି ହସ୍ତାନ୍ତର କରିବା ସଂକ୍ରାନ୍ତ ଏକ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି ଦେଇଛନ୍ତିି। ଆବଶ୍ୟକ ସ୍ଥଳେ ଘରୋଇ ଜମି ମଧ୍ୟ ଅଧିଗ୍ରହଣ କରି ରେଳ ମନ୍ତ୍ରାଳୟକୁ ହସ୍ତାନ୍ତର କରାଯିବ।

ମୁଖ୍ୟଶାସନ ସଚିବ କହିଥିଲେ, ବର୍ତମାନ ପର୍ଯ୍ୟନ୍ତ ପ୍ରାୟ ୬୫ କି.ମି. ରେଳପଥ ନିର୍ମାଣ ସରିଛି। ସରକାର ହସ୍ତାନ୍ତର କରିଥିବା ଜମିରେ ଆହୁରି ୯୩ କି.ମି. ରେଳପଥ ନିର୍ମାଣ ହୋଇପାରିବ। ରେଳପଥ ମଧ୍ୟରେ ରହିଥିବା ପୋଲଗୁଡ଼ିକର ନିର୍ମାଣ କାର୍ଯ୍ୟ ସାଧାରଣତଃ ବିଳମ୍ବିତ ହେଉଥିବାରୁ ଜମି ହସ୍ତାନ୍ତର ଫଳରେ ରେଳ ବିଭାଗ ଏଗୁଡ଼ିକର କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ ହାତକୁ ନେଇପାରିବେ। ସରକାରଙ୍କ ପକ୍ଷରୁ ହସ୍ତାନ୍ତର କରାଯାଇଥିବା ଜମି ନିମନ୍ତେ ଜଙ୍ଗଲ ଓ ଅନ୍ୟାନ୍ୟ ଅନୁମୋଦନ ମିଳିସାରିଛି। ଆସନ୍ତା ୨୦୨୧ ସୁଦ୍ଧା ଖୋର୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି ରାଜ୍ୟ ସରକାର ଓ ରେଳ ମନ୍ତ୍ରାଳୟ ଦ୍ୱାରା ସ୍ୱାକ୍ଷରିତ ବୁଝାମଣାପତ୍ରରେ ଦର୍ଶାଯାଇଛି।

ବିପିୟୁଟି ଆଇନ ସଂପର୍କିତ ନିଷ୍ପତ୍ତି ଉପରେ ସୂଚନା ଦେଇ ମୁଖ୍ୟ ସଚିବ କହିଥିଲେ, ୨୦୧୬ ସେପ୍ଟେମ୍ବର ୨୯ ତାରିଖରେ ବିଧାନସଭାରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍‌ ମଞ୍ଜୁରି ଲାଭ କରି ରାଜ୍ୟପାଳଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯାଇଥିଲା। ତତ୍କାଳୀନ ରାଜ୍ୟପାଳ ବିଲ୍‌ର ଉପଧାରା ୭-ଏରେ ପ୍ରସ୍ତାବିତ ପ୍ରୋ-ଚାନ୍‌ସେଲ୍‌ର ପଦବି ଉପରେ ଆପତ୍ତି ଉଠାଇ ବିଲ୍‌ଟକୁ ଫେରାଇ ଦେଇଥିଲେ। ସେତେବେଳେ ଏହି ବିଲ୍‌ ନେଇ ବିଧାନସଭାରେ ସରଗରମ ଆଲୋଚନା ହୋଇଥିଲା। ଆଜି ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ପ୍ରୋ-ଚାନ୍‌ସେଲ୍‌ର ପଦବିକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସେହିପରି ଗୋପାଳପୁରରେ ଟାଟା ଷ୍ଟିଲ୍‌କୁ ଦିଆଯାଇଥିବା ୨୯୭୦ ଏକର ଜମି ସଂପର୍କରେ କ୍ୟାବିନେଟ୍‌ ନେଇଥିବା ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମୁଖ୍ୟ ସଚିବ କହିଥିଲେ, ଏ ମଧ୍ୟରୁ ୧୨୩୫ ଏକର ଜମି ଟାଟା ଏସ୍‌ଇଜେଡ୍‌ ନିମନ୍ତେ ବ୍ୟବହାର କରିବ। ବଳକା ୧୭୩୫ ଏକର ଜମି ଟାଟା ଷ୍ଟିଲ୍‌ କମ୍ପାନିର ପ୍ରସ୍ତାବିତ ଘରୋଇ ଶିଳ୍ପାନୁଷ୍ଠାନଭିତ୍ତିକ ପାର୍କ ପାଇଁ ବ୍ୟବହାର କରିବ। ରାଜସ୍ୱ ବିଭାଗ ପକ୍ଷରୁ ଏ ନେଇ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛନ୍ତି। ରାଜ୍ୟ ସରକାର ପୂର୍ବ ବିଜ୍ଞପ୍ତିର ପରିବର୍ତନ କରି ଏ ନେଇ ନୂଆ ବିଜ୍ଞପ୍ତି ପ୍ରକାଶ କରିବେ।

ସମସ୍ତଙ୍କୁ ପିଇବା ପାଣି ଯୋଗାଇ ଦେବାକୁ ନିଆଯାଇଥିବା ନିଷ୍ପତ୍ତି କ୍ଷେତ୍ରରେ ସରକାର ଆଉ ପାଦେ ଆଗେଇଛନ୍ତି। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ବସୁଧା ଯୋଜନାରେ କୋରାପୁଟ ଜିଲ୍ଲାର ୩ଟି ବ୍ଲକ ଯଥା: ବୋରିଗୁମ୍ମା, କୋଟପାଡ଼ ଓ ଜୟପୁରର ୨ ଲକ୍ଷ ୭୯ ହଜାର ୯୬୬ ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବା ପାଇଁ ପ୍ରସ୍ତାବ କ୍ୟାବିନେଟ୍‌ରେ ପାରିତ ହୋଇଛି। ଏହି ପ୍ରକଳ୍ପ ନିମନ୍ତେ ମୁମ୍ବାଇର ମେସର୍ସ ଜେଏମ୍‌ସି ପ୍ରୋଜେକ୍ଟକ୍ସ ଆଣ୍ଡ ରାମ୍‌କି ଇନ୍‌ଫ୍ରାଷ୍ଟକଚର୍‌(ଜେଭି)ର ସର୍ବନିମ୍ନ ପ୍ରାୟ ୩୧୬.୫୩ କୋଟିର ଟେଣ୍ଡରକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି। ମୂଳ ବ୍ୟୟ ଅଟକଳଠାରୁ ସଂପୃକ୍ତ କମ୍ପାନିର ଟେଣ୍ଡର ମୂଲ୍ୟ ୬ ପ୍ରତିିଶତରୁ କମ୍‌ ଥିଲା ବୋଲି ମୁଖ୍ୟ ସଚିବ କହିଥିଲେ। ଏହି ପ୍ରକଳ୍ପ କାର୍ଯ୍ୟ ୨୪ ମାସ ଭିତରେ ସରିବ। ଏହି ପ୍ରକଳ୍ପ ଅଧୀନରେ ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ୧୩୭ଟି ଗ୍ରାମର ୧ ଲକ୍ଷ ୫୦ ହଜାର ୬୪୩ଜଣ, କୋଟପାଡ଼ ବ୍ଲକ ଅଧୀନ ୩୮ଟି ଗ୍ରାମର ୩୪୪୨୦ଜଣ ଓ ଜୟପୁର ବ୍ଲକର ୯୩ଟି ଗ୍ରାମର ୯୪ ହଜାର ୯୦୩ଜଣ ଲୋକଙ୍କୁ ନିରାପଦ ପାନୀୟଜଳ ଯୋଗାଇ ଦିଆଯିବ।

କ୍ୟାବିନେଟ୍‌ରେ ଉପସ୍ଥାପିତ ଅନ୍ୟ ଏକ ପ୍ରସ୍ତାବ ଅନୁଯାୟୀ ସମ୍ବଲପୁର ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ(ଆଇଆଇଏମ୍‌)ର ସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ୧୮୧.୭୭ ଏକର ସରକାରୀ ଜମି ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ କୌଣସି ଦେୟ ନିଆଯିବ ନାହିଁ। କିନ୍ତୁ ଗ୍ରାଉଣ୍ଡ ରେଣ୍ଟ ବାବଦରେ ବାର୍ଷିକ ଏକର ପିଛା ୧୦୦ ଟଙ୍କା ଏବଂ ସେସ୍‌ ବାବଦରେ ବାର୍ଷିକ ଗ୍ରାଉଣ୍ଡ ରେଣ୍ଟର ୭୫ ପ୍ରତିଶତ ହିସାବରେ ଜମିର ଲିଜ୍‌ ମଞ୍ଜୁରି କରାଯାଇଛି। ଏ ବାବଦରେ ସରକାରୀ ରାଜକୋଷରୁ ପ୍ରିମିୟମ ଏବଂ ଆନୁଷଙ୍ଗିକ ଦେୟ ବାବଦରେ ମୋଟ ୨ କୋଟି ୩୫ ଲକ୍ଷ ୧୯୫୯୫ ଓ ଗ୍ରାଉଣ୍ଡ ରେଣ୍ଡ ଓ ସେସ୍‌ ବାବଦରେ ୩ ଲକ୍ଷ ୪୨୩୬୫ ଟଙ୍କାର କ୍ଷତି ସହିବାକୁ ପଡ଼ିବ।

ଏହା ବ୍ୟତୀତ କ୍ୟାବିନେଟ ନିଷ୍ପତ୍ତି କ୍ରମେ ଓଡ଼ିଶା ଅଧସ୍ତନ ଅର୍ଥ ସେବା(ବାଣିଜ୍ୟକର ଶାଖା) ନିଯୁକ୍ତି ଓ ସେବା ସର୍ତ ନିୟମ ୧୯୯୮କୁ ସଂଶୋଧନ କରାଯାଇଛି। ଏ ସଂପର୍କରେ ସୂଚନା ଦେଇ ମୁଖ୍ୟ ସଚିବ କହିଥିଲେ, ବାଣିଜ୍ୟକର ସହାୟକ ଅଧିକାରୀ ପଦବି ନିମନ୍ତେ କେହି ଏଏସ୍‌ଓ ଆଗ୍ରହ ପ୍ରକାଶ ନ କରିବାରୁ ସେମାନଙ୍କୁ ଆଉ ଚୟନ ପ୍ରକ୍ରିୟାରେ ସାମିଲ କରାଯିବ ନାହିଁ। ଏହି ପଦବିର ନାମ ପରିବର୍ତନ କରି ଏହାକୁ ବାଣିଜ୍ୟକର ସହାୟକ ଓ ଜିଏସ୍‌ଟି ଅଧିକାରୀ ଭାବେ ବିବେଚନା କରାଯିବ।

ସେହିଭଳି ୧୯୭୫ ମସିହାରୁ ଭୁବନେଶ୍ୱର ଚନ୍ଦ୍ରଶେଖରପୁରର ଆଦିମ ଓଆର ଜରପା ନାମକ ସ୍ଥାପିତ ଅନୁସୂଚିତ ଜନଜାତି ସମାଜସେବା ସଂସ୍ଥାକୁ ୧ ଏକର ଜମି ସରକାର ଯୋଗାଇ ଦେଇଥିଲେ। ଏହି ଜମି ବାବଦରେ ପ୍ରିମିୟମ୍‌ ଛାଡ଼ କରିବା ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର ମାରିଥିବା ଶ୍ରୀ ପାଢ଼ୀ କହିଥିଲେ। ଓଡ଼ିଶା ଲୋକସେବା କମିସନ(ଓପିଏସ୍‌ସି)ଙ୍କର ୨୦୧୧-୧୨ ଓ ୨୦୧୨-୧୩ ବର୍ଷର କାର୍ଯ୍ୟାବଳୀ ସମ୍ବନ୍ଧୀୟ ବାର୍ଷିକ ବିବରଣୀକୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛନ୍ତି। ଏହି ଦୁଇବର୍ଷର ବାର୍ଷିକ ବିବରଣୀ ବିଧାନସଭାରେ ଉପସ୍ଥାପିତ ହେବ।

ସମ୍ବନ୍ଧିତ ଖବର