ଆମ ଗାଁ ଆମ ବିକାଶ ପାଇଁ ଏବର୍ଷ ୧୨୫୦ କୋଟି

ନିୟମରେ ମୋହର ବାଜିଲା, ଠିକାଦାର ନୁହେଁ, ବିଭାଗୀୟ ଅଧିକାରୀ କରିବେ କାମ, ଓଡ଼ିଶା କୃଷି ସେବା କ୍ୟା଼ଡର ପୁନର୍ଗଠିତ

ଭୁବନେଶ୍ୱର : ୨୦୧୮-୧୯ ଆର୍ଥିକ ବର୍ଷରେ ଆମ ଗାଁ ଆମ ବିକାଶ ଯୋଜନାରେ ୧୨୫୦ କୋଟି ଟଙ୍କା ବିନିଯୋଗ ହେବ। ଜନସାଧାରଣ, ଲୋକପ୍ରତିନିଧି ଓ ଅନ୍ୟ ହିତାଧିକାରୀଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ଯେଉଁ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବେ, ସେସବୁକୁ କେବଳ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା କରାଯିବ। କୌଣସି ଠିକାଦାର ଏହି ଯୋଜନା ଅନ୍ତର୍ଗତ କାର୍ଯ୍ୟରେ ନିୟୋଜିତ ହେବେ ନାହିଁ।

ଆଜି ରାଜ୍ୟ କ୍ୟାବିନେଟ୍‌ ଆମ ଗାଁ ଆମ ବିକାଶ ଯୋଜନା ଅନ୍ତର୍ଗତ ନିୟମକୁ ଅନୁମୋଦନ କରି ଏଭଳି ଏକ ନିଷ୍ପତ୍ତି ନେଇଛି। କ୍ୟାବିନେଟ୍‌ ଅନୁମୋଦନ ହେବ ବୋଲି ପ୍ରତ୍ୟାଶା ରଖି ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।

କେବଳ ସେତିକି ନୁହେଁ, ଆଜି କ୍ୟାବିନେଟ୍‌ରେ ଓଡ଼ିଶା କୃଷି ଓ ଖାଦ୍ୟ ଉତ୍ପାଦନ ସେବା କ୍ୟାଡରରେ ପରିବର୍ତନ ପ୍ରସ୍ତାବକୁ ମଧ୍ୟ ମୋହର ଲାଗିଛି।

କ୍ୟାବିନେଟ୍‌ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଥିଲେ, ୨୦୧୮-୧୯ ଆର୍ଥିକ ବର୍ଷରୁ ରାଜ୍ୟ ସରକାର ତାଙ୍କ ନିଜସ୍ୱ ପାଣ୍ଠିରୁ ଆମ ଗାଁ ଆମ ବିକାଶ ନାମରେ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ସାଧାରଣ ଲୋକ ଓ ଗୋଷ୍ଠୀର ଉନ୍ନତିରେ ସହାୟକ ହେଉଥିବା ନୂଆ ପ୍ରକଳ୍ପ, ଯାହା ଅନ୍ୟ କୌଣସି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବ ନାହିଁ, ସେସବୁକୁ ଏଥିରେ ନିଆଯିବ।

ନିଷ୍ପତ୍ତି ହୋଇଛି, ଏହି ଯୋଜନାରେ ୧ଲକ୍ଷରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରକଳ୍ପକୁ ନିଆଯିବ। ଥରେ ପ୍ରକଳ୍ପ ଅନୁମୋଦନ ପରେ ଏହି ବାବଦ ଅର୍ଥ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଂପୃକ୍ତ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଲାଭ ଓ କ୍ଷତି ଖାତାରେ ଜମା କରିବେ। ସଂପୃକ୍ତ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦେଶକ ଏହାକୁ ସହାୟକ ଅନୁଦାନ ଭାବେ ଉଠାଇବେ ଓ ପଞ୍ଚାୟତ ସମିତି ଅର୍ଥାତ୍‌ ବ୍ଲକକୁ ୨ଟି କିସ୍ତିରେ ( ପ୍ରଥମେ ୫୨% ଓ ପରେ ୪୮%) ପ୍ରଦାନ କରିବେ। ପ୍ରକଳ୍ପର ମୂଲ୍ୟର ୨% ପ୍ରଶାସନିକ ଖର୍ଚ୍ଚ ଭାବେ ବିନିଯୋଗ କରାଯିବ। ପ୍ରଶାସନିକ ବ୍ୟୟ ବରାଦ ହେବାକୁ ଥିବା ଅର୍ଥର ୧% ବ୍ଲକ ପାଇଁ,୦.୫% ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ୦.୫% ବିଭାଗ ଖର୍ଚ୍ଚ କରିବେ। ଏହି ପ୍ରଶାସନିକ ଅର୍ଥରେ ବୈଠକ, ସାମାଜିକ ସମୀକ୍ଷା, ତଥ୍ୟ ପ୍ରବେଶକାରୀ (ଡାଟା ଏଣ୍ଟ୍ରି ଅପରେଟର) ନିୟୋଜନ ବା ନିଯୁକ୍ତି, କମ୍ପ୍ୟୁଟର କିଣାଯିବା ଆଦି ବାବଦରେ ଖର୍ଚ୍ଚ ହେବ। ଏହି ଯୋଜନାରେ ପ୍ରତି ବ୍ଲକରେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟୋଜିତ କରାଯିବ। ଅନୁମୋଦିତ ସେବା ସଂସ୍ଥା ମାଧ୍ୟମରେ ଏମାନଙ୍କୁ ନିଯୁକ୍ତି ଦେବା ଲାଗି ଜିଲ୍ଲାପାଳଙ୍କୁ କ୍ଷମତା ଅର୍ପଣ କରାଯାଇଛି।

ସବୁଠାରୁ ବଡ଼ କଥା ହେଉଛି, ପ୍ରକଳ୍ପ ଅନୁମୋଦନର ଏକ ବର୍ଷ ମଧ୍ୟରେ ଏହାର ନିର୍ମାଣ ଶେଷ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେହିପରି ଯେଉଁ ପ୍ରକଳ୍ପ ୬ମାସ ଯାଏ ଆରମ୍ଭ ହୋଇପାରିବ ନାହିଁ, ସେ ବରାଦ ଅର୍ଥ ଅନ୍ୟ ଅଞ୍ଚଳକୁ ଚାଲିଯିବ।

ସେହିପରି କୃଷି ଓ ଖାଦ୍ୟ ଉତ୍ପାଦନ ସେବା କ୍ୟାଡର ପୁନର୍ଗଠନ ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ କରିଛନ୍ତି। ଏ ସଂପର୍କରେ ସୂଚନା ଦେଇ ମୁଖ୍ୟଶାସନ ସଚିବ କହିଥିଲେ, ଜିଲ୍ଲା ଓ ବ୍ଲକସ୍ତରରେ ନୂତନ ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, କୃଷି ଜିଲ୍ଲା ଅଧିକାରୀ ଓ ବ୍ଲକ କୃଷି ଅଧିକାରୀ ପଦବି ରହିବ। କ୍ୟାଡରର ମୂଳ ପଦବିକୁ ସହକାରୀ କୃଷି ଅଧିକାରୀ ରୂପେ ନିଯୁକ୍ତି ଦିଆଯିବାର ବ୍ୟବସ୍ଥା କରାଯାଇଛି। ଅନ୍ୟ ସମସ୍ତ ବିଭିନ୍ନ ସ୍ତରର ପଦବି କ୍ଷେତ୍ରରେ ଅତିରିକ୍ତ କୃଷି ନିର୍ଦେଶକ ପର୍ଯ୍ୟନ୍ତ ପଦୋନ୍ନତି ଦ୍ୱାରା ପୂରଣ କରାଯିବାର ବ୍ୟବସ୍ଥା ରହିଛି।

କୃଷି ଅଧିକାରୀ ସେବା କ୍ୟାଡର ନିଯୁକ୍ତି ଓ ପଦୋନ୍ନତି ପାଇଁ ବର୍ତମାନ ପ୍ରଚଳିତ ଓଡ଼ିଶା କୃଷି ଓ ଖାଦ୍ୟ ଉତ୍ପାଦନ ସେବା ନିୟମ ୨୦୧୨କୁ ପ୍ରତ୍ୟାହାର କରି ଏହି ନୂଆ ନିୟମ ଲାଗୁ ହେବ।

ସମ୍ବନ୍ଧିତ ଖବର