କ୍ୟାବିନେଟ୍‌ ନିଷ୍ପତ୍ତି : ବିଧାନ ପରିଷଦକୁ ମୋହର, ଆସନ୍ତା ଅଧିବେଶନରେ ସଂକଳ୍ପ

ସଚିବାଳୟ ଗୋଟିଏ, ବୈଠକ ଅଲଗା, ସର୍ଦାର ପଟେଲ୍‌ ହଲ୍‌ରେ ପରିଷଦ ବୈଠକ

ଭୁବନେଶ୍ୱର : ଓଡ଼ିଶାରେ ହେବ ବିଧାନ ପରିଷଦ। ରାଜ୍ୟ କ୍ୟାବିନେଟ ଆଜି ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ ଦେବା ସହିତ ନ୍ୟାୟିକ ସ୍ୱୀକୃତି ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆସନ୍ତା ୪ ତାରିଖରେ ଆରମ୍ଭ ହେବାକୁୁ ଥିବା ବିଧାନସଭାର ମୌସୁମୀ ଅଧିବେଶନରେ ଭାରତୀୟ ସମ୍ବିଧାନର ଧାରା ୧୬୯(୧) ଅନୁଯାୟୀ ସଂକଳ୍ପ ପ୍ରସ୍ତାବ ଆସିବ। ସାଧାରଣ ନିର୍ବାଚନ ପୂର୍ବରୁ ଏହି ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ ବୋଲି କୁହାଯାଉଛି। ଏଥିସହିତ ଆଜି କ୍ୟାବିନେଟ୍‌ ବିଭିନ୍ନ ବିଭାଗର ମୋଟ ୮ଟି ପ୍ରସ୍ତାବ ଉପରେ ମୋହର ଲଗାଇଛନ୍ତି।

କ୍ୟାବିନେଟ୍‌ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ କହିଥିଲେ, ମୁଖ୍ୟମନ୍ତ୍ରୀ ୨୦୧୫ ଜାନୁଆରି ୭ ତାରିଖରେ ବିଧାନ ପରିଷଦ ଗଠନ ସଂପର୍କରେ ସ୍ଥିତି ଅନୁଧ୍ୟାନ ଲାଗି ଏକ ପାଞ୍ଚ ଜଣିଆ କମିଟି ଗଠନ କରିଥିଲେ। ଏହି କମିଟି କର୍ଣ୍ଣାଟକ, ବିହାର, ମହାରାଷ୍ଟ୍ର ଓ ତେଲେଙ୍ଗାନା ବୁଲି ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସଭ୍ୟ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହିତ ନୂତନ ବିଧାନ ପରିଷଦ ଗଠନ, ସଭ୍ୟ ଚୟନ, ସମାଜର ବିଭିନ୍ନ ବିଭାଗରୁ ସଭ୍ୟମାନଙ୍କ ସଂରକ୍ଷଣ ଆଦି ସ୍ଥିତି ଅନୁଧ୍ୟାନ କରିଥିଲେ। ଗତ ୩ ତାରିଖରେ ଏହି କମିଟି ସେମାନଙ୍କର ମନ୍ତବ୍ୟ ସହିତ ସୁପାରିସ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲେ।

ଉତ୍ତମ ଶାସନ ଓ ବୈଧାନିକ ଆଲୋଚନାକୁ ଅଧିକ ବଳିଷ୍ଠ କରିବା ଲାଗି ସରକାର ବିଧାନ ପରିଷଦ ଗଠନ ପାଇଁ ନିଷ୍ପତ୍ତି ନେବା ସହିତ କମିଟିର ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଥିସହିତ ଓଡ଼ିଶାରେ ବିଧାନ ପରିଷଦ ଗଠନ ଲାଗି ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ମନ୍ତ୍ରୀ କହିଥିଲେ, ଓଡ଼ିଶା ବିଧାନ ପରିଷଦର ନୂଆ ପ୍ରକୋଷ୍ଠ ନିର୍ମାଣ ହେଲା ପର୍ଯ୍ୟନ୍ତ ଭୁବନେଶ୍ୱର ଜୟଦେବ ଭବନ ପଛପାଖରେ ଥିବା ପୁରାତନ ବିଧାନ ସୌଧ ଅର୍ଥାତ୍‌ ସର୍ଦାର ବଲ୍ଲଭ ଭାଇ ପଟେଲ୍‌ ହଲ୍‌ ପରିସରରେ ଏହା କାର୍ଯ୍ୟ କରିବ। କିନ୍ତୁ ବିଧାନସଭା ସଚିବାଳୟ ଦ୍ୱାରା ବିଧାନ ପରିଷଦ ନିୟନ୍ତ୍ରିତ ହେବ। ବିଧାନ ପରିଷଦ ପାଇଁ ବାର୍ଷିକ ୩୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।

ଅନ୍ୟପକ୍ଷରେ ବିଧାନସଭା ସଦସ୍ୟ ସଂଖ୍ୟାର ଏକ ତୃତୀୟାଂଶ ଆସନ ବିଧାନ ପରିଷଦରେ ରହିବେ। ଏଣୁ ପ୍ରସ୍ତାବିତ ଓଡ଼ିଶା ବିଧାନ ପରିଷଦର ସଦସ୍ୟ ସଂଖ୍ୟା ୪୯ରେ ସୀମିତ ରହିବ। ପରୋକ୍ଷ ନିର୍ବାଚନ ଓ ମନୋନୟନ ପଦ୍ଧତିରେ ଏହି ଆସନଗୁଡ଼ିକ ପୂରଣ ହେବ। ପରିଷଦ ଏକ ସ୍ଥାୟୀ ବ୍ୟବସ୍ଥାପକ ସଭା ଓ ପ୍ରତି ଦୁଇ ବର୍ଷରେ ଏକ ତୃତୀୟାଂଶ ସଭ୍ୟ ଅବସର ଗ୍ରହଣ କରିବାର ବ୍ୟବସ୍ଥା ରହିଛି।

ଉଲ୍ଲେଖଥାଉକି, ଆସନ୍ତା ଅଧିବେଶନରେ ଏହି ସଂକଳ୍ପକୁ ବିଧାନସଭା ପାରିତ କରିବା ପରେ ରାଜ୍ୟ ସରକାର ଏହାକୁ କେନ୍ଦ୍ରକୁ ପଠାଇବେ। ସମ୍ବିଧାନ ସଂଶୋଧନ ପାଇଁ କେନ୍ଦ୍ର ସରକାର ବିଧିବଦ୍ଧ ଭାବେ ବିଲ୍‌ ଆଣିବେ। ଉଭୟ ସଦନ ଏହାକୁ ମୋହର ଲଗାଇବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ନିଆଯିବ। ଏହା ପରେ ନିର୍ବାଚନ କମିସନ ପ୍ରକ୍ରିୟା ଆରମ୍ଭ କରିବେ।

୪୯ ଜଣ ସଦସ୍ୟଙ୍କ ମଧ୍ୟରୁ ୯ଜଣଙ୍କୁ ରାଜ୍ୟପାଳ ମନୋନୀତ କରିବେ। ସମାଜର ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମଧ୍ୟରୁ ଏହି ସଦସ୍ୟଙ୍କୁ ବଛାଯିବ। ୪ ଜଣ ସଦସ୍ୟଙ୍କୁ ଶିକ୍ଷକ ସଂଗଠନ ଓ ଆଉ ୪ ଜଣଙ୍କୁ ରାଜ୍ୟର ଗ୍ରାଜୁଏଟ୍‌ସ ବାଛିବେ। ସମୁଦାୟ ରାଜ୍ୟକୁ ୪ଟି ନିର୍ବାଚନମଣ୍ଡଳୀରେ ଭାଗ ବାଣ୍ଟି ନିର୍ବାଚନ କମିସନ ଏହି ନିର୍ବାଚନ କରାଇବେ।୧୬ ଜଣ ସଦସ୍ୟଙ୍କୁ ବିଧାୟକମାନେ ନିର୍ବାଚିତ କରିବେ। ଏବଂ ବଳକା ୧୬ ଜଣଙ୍କୁ ପଞ୍ଚାୟତ ଓ ପୌରସଂସ୍ଥାମାନେ ଚୟନ କରିବେ। ଏ କ୍ଷେତ୍ରରେ ମଧ୍ୟ ଅନୁରୂପ ନିୟମ ଅନୁସୃତ ହେବ।

କେଉଁ ସଦସ୍ୟଙ୍କ କାର୍ଯ୍ୟକାଳ ପ୍ରଥମ ୨ ବର୍ଷ ପାଇଁ ରହିବ, କେଉଁମାନେ ପ୍ରଥମ ୪ବର୍ଷ ଦାୟିତ୍ୱ ତୁଲାଇବେ, ତାହା ଲଟେରି ମାଧ୍ୟମରେ ହିଁ ନିର୍ଣ୍ଣୟ ହେବ। ବିଧାନସଭାର ବିଧାୟକମାନେ ପାଉଥିବା ଦରମା, ଭତ୍ତା ଓ ଅନ୍ୟାନ୍ୟ ସମସ୍ତ ସୁବିଧା ବିଧାନ ପରିଷଦର ସଦସ୍ୟଙ୍କୁ ମିଳିବ। ତେବେ ବିଧାୟକମାନେ ଯେଭଳି ନିଜ ନିର୍ବାଚନମଣ୍ଡଳୀରେ ଅର୍ଥ ଖର୍ଚ୍ଚ କରୁଛନ୍ତି, ପରିଷଦର ସଦସ୍ୟଙ୍କ କ୍ଷେତ୍ରରେ ସେଭଳି ସୁଯୋଗ ନ ଥିବାରୁ ସେମାନେ ପାଣ୍ଠି ସମୁଦାୟ ଓଡ଼ିଶାରେ ବିନିଯୋଗ କରିପାରିବେ।

ସରକାର ଚାହିଁଲେ ବିଧାନସଭା ଭଳି ବିଧାନ ପରିଷଦରେ ମଧ୍ୟ ଯେ କୌଣସି ଚିଠା ବିଲ୍‌ ଆଗତ କରିପାରିବେ। ହେଲେ ଅର୍ଥ ସଂକ୍ରାନ୍ତ ବିଲ୍‌ କେବଳ ବିଧାନସଭାରେ ହିଁ ଉପସ୍ଥାପିତ ହେବ। ଏ କ୍ଷେତ୍ରରେ ବିଧାନ ପରିଷଦର କ୍ଷମତାକୁ କିଛି ପରିମାଣରେ ସଙ୍କୁଚିତ କରାଯାଇଛି। ବିଧାନସଭା ଏ ସଂକ୍ରାନ୍ତ ବିଲ୍‌ ଅନୁମୋଦନ କରିବା ପରେ ବିଧାନ ପରିଷଦ ସର୍ବାଧିକ ୧୫ ଦିନ ମଧ୍ୟରେ ଏହାକୁ ମୋହର ମାରି ଫେରାଇବାକୁ ବାଧ୍ୟ। କିନ୍ତୁ ଅନ୍ୟ ବିଲ୍‌ କ୍ଷେତ୍ରରେ ସଦସ୍ୟମାନଙ୍କର ଆପତ୍ତି କରିବାର କ୍ଷମତା ରହିଛି। ସେହିପରି ବିଧାନ ପରିଷଦରେ ଯେଉଁ ବିଲ୍‌ ପ୍ରଥମେ ଆଗତ ହେବ, ତାହା ପରବର୍ତୀ ସମୟରେ ବିଧାନସଭାକୁ ଆସି ପାରିତ ହେବାର ବ୍ୟବସ୍ଥା ରହିଛି।

ବିଧାନସଭାରେ ଯେଭଳି ବାଚସ୍ପତି ଓ ଉପବାଚସ୍ପତି ପଦ ରହିଛି, ଠିକ୍‌ ସେମିତି ବିଧାନ ପରିଷଦରେ ମଧ୍ୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବି ରହିବ। ସରକାର ଚାହିଁଲେ, ବିଧାନ ପରିଷଦର ସଭ୍ୟଙ୍କୁ ମନ୍ତ୍ରୀ ପରିଷଦରେ ସ୍ଥାନ ଦେଇପାରନ୍ତି। ତେବେ ମୋଟ ମନ୍ତ୍ରୀ ସଂଖ୍ୟା ବଢିପାରିବ ନାହିଁ। ସେହିଭଳି ବିଧାନ ପରିଷଦ ସଦସ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇପାରିବେ।

ସମ୍ବିଧାନର ୧୬୯ ଧାରା ଅନୁଯାୟୀ ବିଭିନ୍ନ ରାଜ୍ୟରେ ବିଧାନ ପରିଷଦ ଗଠନର ବ୍ୟବସ୍ଥା ରଖାଯାଇଛି। ବର୍ତ୍ତମାନ ୭ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ବିହାର, ଜାମ୍ମୁ କଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଓ ଉତ୍ତର ପ୍ରଦେଶରେ ବିଧାନ ପରିଷଦ ରହିଛି। ଓଡ଼ିଶା ଭଳି ଆସାମରେ ମଧ୍ୟ ବିଧାନ ପରିଷଦ ଗଠନ ପାଇଁ ପ୍ରକ୍ରିୟା ଚାଲିଛି।

ସମ୍ବନ୍ଧିତ ଖବର