ଗାନ୍ଧୀ ବୈଷୟିକ ଶିକ୍ଷାନୁଷ୍ଠାନକୁ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର : ୧୯୯୭ ମସିହାରେ ରାୟଗଡ଼ା ଜିଲ୍ଲା ଗୁଣୁପୁରରେ ସ୍ଥାପିତ ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟର ଆଣ୍ଡ ଟେକ୍ନୋଲୋଜି ଘରୋଇ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି।

ଆଜି ଗୃହରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଉଷା ଦେବୀ ଗାନ୍ଧୀ ବିଶ୍ୱବିଦ୍ୟାଳୟ ବିଲ୍‌ ଆଗତ କରିଥିଲେ। ଦୀର୍ଘ ପ୍ରାୟ ୨୦ ବର୍ଷ ଧରି ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ଥାପିତ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ବୈଷୟିକ ତଥା ବିଭିନ୍ନ କ୍ଷେତ୍ରରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଥିବାରୁ ଏହାକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାର ଆବଶ୍ୟକତା ରହିଥିବା ସେ ଦର୍ଶାଇଥିଲେ। ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ଉପ ମୁଖ୍ୟ ସଚେତକ ରୋହିତ ପୂଜାରୀ, ବିଧାୟକ ଅଶ୍ୱିନୀ କୁମାର ପାତ୍ର, ପ୍ରଭାତ ରଂଜନ ବିଶ୍ୱାଳ, ପ୍ରିୟଦର୍ଶୀ ମିଶ୍ର ଓ ପୂର୍ଣ୍ଣଚନ୍ଦ୍ର ସେଠୀ। ତେବେ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପଚାରିଥିଲେ ଯେ ଏହା ବିଶ୍ୱବିଦ୍ୟାଳୟରେ ପରିଣତ ହେଲେ କେତେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚତର ବୈଷୟିକ ଶିକ୍ଷା ସୁବିଧା ଯୋଗାଇଦେବାର ବ୍ୟବସ୍ଥା କରିବ। ମନ୍ତ୍ରୀ କହିଥିଲେ ଯେ ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର କମିଟି ରାଜ୍ୟରେ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକର ବୃତ୍ତିଗତ ଫି ନିୟନ୍ତ୍ରଣ ଦାୟିତ୍ୱରେ ଥିବାରୁ ଏହା ଜରିଆରେ ଛାତ୍ରଛାତ୍ରୀଙ୍କୁ ଶୋଷଣ କରାଯିବାର ସମ୍ଭାବନା ନାହିଁ।

ସମ୍ବନ୍ଧିତ ଖବର