ଫିଟୁଛି ଟିଟୋ ଗୁମର : ୪ ସହଯୋଗୀଙ୍କୁ ଜେରା, ପତ୍ନୀ ବେନଜୀରଙ୍କୁ ଡକାଯିବ

ଭୁବନେଶ୍ୱର : ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟର ସୟଦ ଉସ୍‌ମାନ ଅଲ୍ଲୀ ଓରଫ୍‌ ଟିଟୋର ପତ୍ନୀ ବେନଜୀର ଜଣେ ଗୃହିଣୀ। ହଠାତ୍‌ କ’ଣ ହେଲା ଯେ ତାଙ୍କ ଆକାଉଣ୍ଟରେ ଟଙ୍କା ବର୍ଷା। ଦୁଇ ଦୁଇଟି ପେଟ୍ରୋଲ ପମ୍ପ, ବେନଜୀର ଇନ୍‌ଫ୍ରା ପ୍ରାଇଭେଟ୍‌ ଲିମିଟେଡ୍‌ ଭଳି ସଂସ୍ଥାର ମାଲିକାନା ପଛର ଅସଲ ରହସ୍ୟ କ’ଣ?

ଏହିଭଳି କିଛି ପ୍ରଶ୍ନ ଉପରୁ ପରଦା ଉଠାଇବା ଲାଗି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ତଦନ୍ତ କରିବା ବେଳେ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ବେନଜୀରଙ୍କ ଏତେ ବଡ଼ ଆର୍ଥିକ ସାମ୍ରାଜ୍ୟ ପଛର ମହାନାୟକ ଯେ ଟିଟୋ, ଏକଥା ତଦନ୍ତକାରୀ ଦଳ ହୃଦ୍‌ବୋଧ କରିଛନ୍ତି। କେବଳ ସେତିକି ନୁହେଁ, ଟିଟୋ ନିଜ ପତ୍ନୀକୁ ସାମ୍ନାରେ ରଖି ଯେଉଁ ବିଶାଳ ସାମ୍ରାଜ୍ୟ ଗଠନ କରୁଥିଲା, ତା ପଛର ଅସଲ ଗୁମର ମଧ୍ୟ ଖୋଲିବା ଆରମ୍ଭ କଲାଣି।

କେଉଁ ପରିସ୍ଥିତିରେ ସେ ବନ୍ଧୁକ ମୁନରେ ଜମି ନେଇଛି, ଠିକାଦାରଙ୍କୁ ସବ୍‌ଲେଟ୍‌ କରିବା ପାଇଁ ବାଧ୍ୟ କରିଛି, ୧୦% ପିସି ନେଇଛି, ସେ ସଂପର୍କରେ ପୁଲିସ ହାତରେ ସଙ୍ଗିନ୍‌ ତଥ୍ୟ ଲାଗିଛି। କିଛି ପ୍ରମୁଖ ରାଜନେତା, ଯନ୍ତ୍ରୀ, ଠିକାଦାର କିଭଳି ଟିଟୋର ସାମ୍ରାଜ୍ୟର ଆକାର ବଢାଇ ଚାଲିଥିଲେ, ସେ ସଂକ୍ରାନ୍ତରେ ମଧ୍ୟ ଠୋସ୍‌ ତଥ୍ୟ ପାଇଛି ଏସ୍‌ଟିଏଫ୍‌। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦୁଇ ତିନି ଦିନ ମଧ୍ୟରେ ତଦନ୍ତକାରୀ ଦଳ ଏମାନଙ୍କୁ ଡାକି ସତକଥା ଓଗାଳିବ। ଏହାକୁ ନେଇ କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, କଟକ ଓ ଭୁବନେଶ୍ୱରରେ କିଛି ଅଧିକାରୀ ଭୟଭୀତ ହୋଇପଡିଛନ୍ତି। ରାଜନେତାଙ୍କ ଆଖିରୁ ନିଦ ହଜିଯାଇଛି।

ଟିଟୋ ସହିତ ସଲାସୁତରା କରିଥିବା ଠିକାଦାରମାନେ ମଧ୍ୟ ତ୍ରାହି ତ୍ରାହି ଡାକିଲାଣି।

ଆଜି ଏସ୍‌ଟିଏଫ୍‌ ପକ୍ଷରୁ କୁହାଯାଇଛି, ଟିଟୋର ପତ୍ନୀ ବେନଜୀର ବିବିଙ୍କୁ ଜେରା କରାଯିବ। ଖୁବ୍‌ଶୀଘ୍ର ଏସ୍‌ଟିଏଫ୍‌ର ଜଣେ ମହିଳା ଇନ୍ସପେକ୍ଟର କେନ୍ଦ୍ରାପଡ଼ା ଯାଇ ଟିଟୋର ଘରେ ହିଁ ବେନଜୀରଙ୍କୁୁ ଜେରା କରିବେ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବେନଜୀର ଜଣେ ଗୃହିଣୀ ହୋଇଥିଲେ ହେଁ, ତାଙ୍କ ଆକାଉଣ୍ଟକୁ ହଠାତ୍‌ ଲକ୍ଷ ଲକ୍ଷ ଟଙ୍କା ଆସି ଜମା ହେବା ସଂପର୍କରେ ପଚରାଯିବ। କେଉଁ ପରିସ୍ଥିତିରେ ସେ ହଠାତ୍‌ ସ୍ପେସାଲ କ୍ଲାସ୍‌ କଣ୍ଟ୍ରାକର ଭଳି କାମ ପାଇଲେ, ତାଙ୍କ ନାଁରେ ଡମ୍ପର, ହାଇଓ୍ଵା ଓ ଟ୍ରକ ଆଦି କିଭଳି କରାଗଲା, ସେ ସଂପର୍କରେ ମଧ୍ୟ ସତ ଓଗାଳିବ ତଦନ୍ତକାରୀ ଦଳ।

ଏସ୍‌ଟିଏଫ୍‌ କହିଛି, ଆଜି କେନ୍ଦ୍ରାପଡ଼ା ବଜାର ବ୍ରାଞ୍ଚରେ ଥିବା ବେନଜୀର ଓ ତାଙ୍କ ସମ୍ପର୍କୀୟଙ୍କ ୫ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୬ ଲକ୍ଷ ୪୨ ହଜାର ୫୬୫ ଟଙ୍କା ସିଲ୍‌ କରି ଦିଆଯାଇଛି। ସେହିପରି ଟିଟୋର ଅପରାଧ ସାମ୍ରାଜ୍ୟ ବୁଝାସୁଝା କରୁଥିବା ପାରାଦୀପର ବାପୁ ପରିଡ଼ା ସମେତ ୪ ଜଣଙ୍କୁ ଜେରା କରାଯାଇଛି। ବାପୁ ପରିଡ଼ା ନାଁରେ ୨୫ରୁ ଅଧିକ ମାମଲା ରହିଛି, ଯେଉଁଥିରେ ହତ୍ୟା, ହତ୍ୟା ଉଦ୍ୟମ, ଦଙ୍ଗା ଭଳି ସଙ୍ଗିନ୍‌ ମାମଲା ରହିଛି। ବାପୁର ‘ନିରାକାର ଡମ୍ଫର ଆସୋସିଏସନ୍‌’ ନାମକ ଏକ ସଂଗଠନ ମଧ୍ୟ ଅଛି। ବାପୁ କନଷ୍ଟ୍ରକସନ କମ୍ପାନି, ସପ୍ଲାଇ କାମ ଆଦି ମଧ୍ୟ କରିଥାଏ। ଗତ କିଛି ଦିନ ତଳେ ପାରାଦୀପ ଅଞ୍ଚଳରେ ଘଟିଥିବା ଏକ ହତ୍ୟାକାଣ୍ଡରେ ବାପୁ ସଂପୃକ୍ତ ଥିଲା ବୋଲି ଏସ୍‌ଟିଏଫ୍‌ କହିଛି।

କେବଳ ସେତିକି ନୁହେଁ, ଏସ୍‌ଟିଏଫ୍‌ରେ ଆଜି ଇପିଆଇ ଲିମିଟେଡ୍‌ର ଉପମହାପ୍ରବନ୍ଧକ ଅର୍ଥାତ୍‌ ଡିଜିଏମ୍‌ ଦେବୀଦତ୍ତ ଦାଶ ଜେରାର ସମ୍ମୁଖୀନ ହୋଇଛନ୍ତି। କେନ୍ଦ୍ରାପଡା ପୌରସଂସ୍ଥାର ଜଣେ ବରିଷ୍ଠ ଅଧିକାରୀଙ୍କ ସମେତ ୪ ଜଣ କର୍ମଚାରୀଙ୍କୁ ମଧ୍ୟ ଆଜି ପଚରାଉଚରା କରାଯାଇଛି। କେନ୍ଦ୍ରାପଡ଼ା ପୌରସଂସ୍ଥାରେ ସଫେଇ ଓ ନିର୍ମାଣ କାମରେ ଟିଟୋର ସଂପୃକ୍ତି ନେଇ ଏହି ଜେରା କରାଯାଇଥିବା କୁହାଯାଉଛି।

ଟିଟୋ ଓ ତାର ସହଯୋଗୀମାନଙ୍କ ନାଁରେ ଅପରାଧିକ ମାମଲା ଥିବାବେଳେ ସେମାନେ କିଭଳି ପେଟ୍ରୋଲ ପମ୍ପ ଓ ଅନ୍ୟାନ୍ୟ ବ୍ୟବସାୟ କରିବାକୁ ଅନୁମତି ପାଇଲେ ତାର ମଧ୍ୟ ତଦନ୍ତ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ଟିଟୋ ବିରୋଧରେ ଆଜି ଦୁଇଟି ବଡ଼ ଅଭିଯୋଗ ଆସିଛି। କେନ୍ଦ୍ରାପଡ଼ାର ‘ଗୋଲଡେନ୍‌ ଲ୍ୟାଣ୍ଡ ଡେଭେଲପମେଣ୍ଟ’ ନାମକ ଏକ ବିଲଡର ସଂସ୍ଥା ଓ ସରୋଜିନୀ ମିଶ୍ର ନାମକ ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ତାଙ୍କର ୩୬ ଗୁଣ୍ଠ ଜମିକୁ ଟିଟୋ ଛଡ଼ାଇ ନେଇଛି। ସେଠାରେ ଟିଟୋ ତାର ପତ୍ନୀ ନାଁରେ ଥିବା ବେନଜୀର ଇନ୍‌ଫ୍ରା ପ୍ରାଇଭେଟ ଲିମିଟେଡର ଗ୍ୟାରେଜ କରିଛି। ଡମ୍ପର, ହାଇଓ୍ଵା ଓ ଟ୍ରକ ଆଦି ପାର୍କିଂ ହେଉଛି। ସେହି ଜମିରେ ମେଟାଲ ଓ ଚିପ୍ସ ଗଦା ହେଉଛି। ସେଠାରେ ମଧ୍ୟ ଟିଟୋର ତାର ଅପରାଧିକ କାର୍ଯ୍ୟକଳାପ ପାଇଁ ନକ୍ସା ପ୍ରସ୍ତୁତ କରିଥାଏ ବୋଲି ଅଭିଯୋଗକାରୀମାନେ ଏସ୍‌ଟିଏଫ୍‌କୁ ଜଣାଇଛନ୍ତି।

ସେହିପରି କେନ୍ଦ୍ରାପଡ଼ାର ପ୍ରେମାନନ୍ଦ ଲେଙ୍କା ନାମକ ଜଣେ ଠିକାଦାର ଏସ୍‌ଟିଏଫ୍‌ରେ ଅଭିଯୋଗ କରିଛନ୍ତି ଯେ ସେ ରାଜନଗର ଓ ଆଳିରେ ଜଳ ସମ୍ପଦ ବିଭାଗରେ ୭ କୋଟି ଟଙ୍କାର ଠିକା କାମ ନେଇଥିଲେ। ଠିକା କାମ ପାଇବା ପରେ ଟିଟୋ ଓ ତାର ସହଯୋଗୀମାନେ ବନ୍ଧୁକ ମୁନରେ ୭୦ ଲକ୍ଷ ଟଙ୍କା ଆଗୁଆ ନେଇ ଯାଇଥିଲେ।

ଏଥିସହିତ ଏହି ଦୁଇ ଅଭିଯୋଗକୁ ଭିତ୍ତି କରି ଟାସ୍କଫୋର୍ସ ଟିଟୋ ଓ ସହଯୋଗୀମାନଙ୍କ ବିରୋଧରେ ଆଉ ଦୁଇଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଅଭିନେତାଙ୍କୁ ବି ଜେରା କରାଯିବ

ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟାର୍‌ ଟିଟୋ ଟଙ୍କାରେ ଦୁଇ ଭାଷି ଚଳଚ୍ଚିତ୍ର ‘ବିଶ୍ୱନାଥ’ ନିର୍ମାଣ ଘଟଣାର ପର୍ଦାଫାସ୍‌ ପରେ ଆଜିଠାରୁ ଚଳଚ୍ଚିତ୍ରର ସୁଟିଂ ବନ୍ଦ କରିଦିଆଯାଇଛି। ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ସ୍ପେସାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ନିର୍ମାଣାଧୀନ ଏହି ଚଳଚ୍ଚିତ୍ରର ପ୍ରଯୋଜକ ଜବିରୁଦ୍ଦିନ୍‌ ଓ ତେଲୁଗୁ ପ୍ରଯୋଜକ ବିନ୍ଦୁଶଙ୍କର ଗୌଡ଼ଙ୍କୁ ଜେରା ପାଇଁ ନୋଟିସ ପଠାଯିବ ବୋଲି ସୂଚନା ଦେଇଛି। ଏଥିସହିତ ଟିଟୋ ଟଙ୍କାରେ ସୁଟିଂ ଚାଲିଥିବା ଏହି ଚଳଚ୍ଚିତ୍ର ନିର୍ମାଣ କରିବା ପଛର ମାଷ୍ଟରମାଇଣ୍ଡ କିଏ, କାହିଁକି ଟିଟୋ ହଠାତ୍‌ ମନୋରଂଜନ ଦୁନିଆ ପ୍ରତି ଆକର୍ଷିତ ହୋଇପଡିଲା, ଏସବୁର ପ୍ରଶ୍ନର ଉତ୍ତର ଖୋଜିବା ଲାଗି ତଦନ୍ତକାରୀ ଦଳ ତନାଘନା ଆରମ୍ଭ କରିଛନ୍ତି। ଏହି ଚଳଚ୍ଚିତ୍ରର ଦୁଇ ପ୍ରଯୋଜକଙ୍କ ସହ ଆନ୍ଧ୍ରରୁ ଆସିଥିବା ନିର୍ଦେଶକ କିରନ୍‌, ଡ଼ିଓପି ଓ ପୋଷ୍ଟ ପ୍ରଡ଼କ୍ସନ୍‌ ହାଉସ୍‌ର ଟେକ୍ନିସିଆନମାନଙ୍କୁ ମଧ୍ୟ ଓଡ଼ିଶା ଛାଡ଼ି ନ ଯିବା ପାଇଁ ତାଗିଦ୍‌ କରାଯାଇଥିବା ଏସ୍‌ଟିଏଫ୍‌ ସୂତ୍ରରୁ ସୂଚନା ମିଳିଛି। କଟକର ଏକ ଗେଷ୍ଟ ହାଉସ୍‌ରେ ଏହି ଟିମ୍‌ ଡେରା ପକାଇ ରହିଛନ୍ତି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଚଳଚ୍ଚିତ୍ର ନିର୍ମାଣ ପଛରେ ଥିବା କିଛି ପ୍ରମୁଖ ତଥା ପ୍ରତିଷ୍ଠିତ କଳାକାରଙ୍କୁ ଦିନେ ଦୁଇଦିନ ମଧ୍ୟରେ ଏସ୍‌ଟିଏଫ୍‌ ଡାକି ଜେରା କରାଯିବ। ଏହି ସୂଚନା ମିଳିବା ପରେ ଓଲିଉଡ୍‌ରେ ହଇଚଇ ସୃଷ୍ଟି ହୋଇଛି।

ଉଲ୍ଲେଖଯୋଗ୍ୟ, ଟିଟୋ ଟଙ୍କା ‘ବିଶ୍ୱନାଥ’ ଚଳଚ୍ଚିତ୍ରରେ ବିନିଯୋଗ ହୋଇଥିବା ଜଣାପ଼ଡିବା ପରେ ନିର୍ମାଣାଧୀନ ଫିଲ୍ମ ବିଶ୍ୱନାଥ’ର ସୁଟିଂ ଠପ୍‌ ହୋଇ ଯାଇଛି। ଏହି ଚଳଚ୍ଚତ୍ରଟି ଗ୍ୟାଙ୍ଗଷ୍ଟର୍‌ ଟିଟୋର କଳାଧନରେ ନିର୍ମାଣ କରାଯାଉଥିବା ନେଇ କିଛି ଜାଣିନାହାନ୍ତି ବୋଲି କହିଛନ୍ତି, ଏହାର ମୁଖ୍ୟ କଳାକାର ସମ୍ବିତ ଓ ସମ୍ଭାବନା। ସାମାନ୍ୟ ସୁରାକ ମିଳିଥିଲେ, ଏପରି ଲୋକଙ୍କ ସହ ଫିଲ୍ମ କରିନଥାନ୍ତେ ବୋଲି ସେମାନେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବିଶ୍ୱନାଥ ଫିଲ୍ମ ସୁଟିଂ କାର୍ଯ୍ୟ ପ୍ରାୟ ୮୦ଭାଗ ଶେଷ ହୋଇଥିବା ବେଳେ ମାତ୍ର ୨୦ ଭାଗ ପାଇଁ ଆଉ ୫/୭ ଦିନ ଆବଶ୍ୟକ ଥିଲା ବୋଲି ଫିଲ୍ମର ପ୍ରଡ଼କ୍ସନ୍‌ ମ୍ୟାନେଜର କହିଛନ୍ତି। ଏବେ ସବୁକାର୍ଯ୍ୟ ଅଧାପନ୍ତରିଆ ହୋଇ ରହିବା ଫଳରେ ପୋଷ୍ଟ ପ୍ରଡ଼କ୍ସନ୍‌ ଓ ହଲବୁକିଂ ସହ ଚଳଚ୍ଚିତ୍ର ବିତରଣ କାର୍ଯ୍ୟ ଅଟକି ଯାଇଛି। ଏଯାବତ ପ୍ରାୟ ଦୁଇ କୋଟିରୁ ଅଧିକ ଟଙ୍କା ସୁଟିଂରେ ଖର୍ଚ୍ଚ ହୋଇଥିବା ବେଳେ ଏହାର ମୋଟ ଖର୍ଚ୍ଚ ପାଖାପାଖି ୩କୋଟି ହୋଇଥାନ୍ତାବୋଲି ବିଶ୍ୱନାଥ ଫିଲ୍ମ ପ୍ରଡ଼କ୍ସନ୍‌ ହାଉସ୍‌ର ଜଣେ କର୍ମକର୍ତା ସୂଚନା ଦେଇଛନ୍ତି।

ତଦନ୍ତକାରୀ ଦଳର ସୂଚନା ଅନୁସାରେ, ଗ୍ୟାଙ୍ଗଷ୍ଟର୍‌ ଟିଟୋ ନିଜ ସମ୍ପର୍କୀୟଙ୍କ ଦ୍ୱାରା ଚଳଚ୍ଚିତ୍ରପାଇଁ ଅର୍ଥ ବିନିଯୋଗ କରୁଥିଲା। ସେ ଜବିିରୁଦ୍ଦିନ୍‌କୁ ପ୍ରାୟ ୪କୋଟି ଟଙ୍କା ଦେଇଛି। ଦୁଇ ଭାଷି ଚଳଚ୍ଚତ୍ର ପାଇଁ ୩କୋଟି ଖର୍ଚ୍ଚ ହେଉଥିବା ବେଳେ ଆଉ ଏକ କୋଟିରେ ମଉଜ ମଜଲିସ୍‌ କରାଯାଉଥିଲା। କେନ୍ଦ୍ରାପଡ଼ାରେ ବିଶ୍ୱନାଥ’ ଫିଲ୍ମର ମହୁରତ ହୋଇଥିବା ବେଳେ ରାଜଧାନୀର ରାମମନ୍ଦିର ନିକଟ ଏକ ତାରକା ହୋଟେଲ୍‌ରେ ହୋଇଥିଲା କକ୍‌ଟେଲ୍‌ ପାର୍ଟି। ଯେଉଁଥିରେ ଟିମ୍‌ର ସମସ୍ତ କଳାକାର ଓ ଟେକ୍‌ନିସିଆନ୍‌ଙ୍କ ସହ କୋଲକାତାରୁ ଆଇଟମ୍‌ ଡ୍ୟାନ୍‌ସର୍‌ ଆସି ପୋଲ ଡ୍ୟାନ୍‌ସ କରିଥିଲେ। ଜଣେ ଅଭିନେତ୍ରୀଙ୍କୁ ୫ଲକ୍ଷ ଟଙ୍କାର କାର୍‌ ମଧ୍ୟ ଉପହାର ଦିଆଯାଇଥିବା ସୂଚନା ମିଳିଛି। ସୁଟିଂରେ ବ୍ୟବହାର ହୋଇଥିବା ୨୧ ଲକ୍ଷ ଟଙ୍କାର (ହାର୍ଲ ଡାବିଡ଼ସନ୍‌) ବାଇକ୍‌ ଏବଂ ୯୦ ଲକ୍ଷ ଟଙ୍କାର ଏକ (ଜାଗୁଆର୍‌) କାର୍‌ ମଧ୍ୟ ଟିଟୋର ବୋଲି ଜଣାପଡ଼ିଛି। ଟିଟୋର ପତ୍ନୀ ବେନଜୀର୍‌ ବେଗମ୍‌ ଅଡ଼ି କାର୍‌ରେ ସୁଟିଂ ସେଟ୍‌କୁ ନିଜ ପିଲାଙ୍କ ସହ ବୁଲିବା ପାଇଁ ଆସୁଥିବା ପୁଲିସ ଜାଣିପାରିଛି।

ପୁଲିସର କହିବାନୁସାରେ, ୨୦୧୫ ମସିହାରୁ ଗ୍ୟାଙ୍ଗଷ୍ଟର୍‌ ଟିଟୋ ଚଳଚ୍ଚିତ୍ର ଓ ମନୋରଂଜନ କାର୍ଯ୍ୟକ୍ରମରେ ଅର୍ଥ ଲଗାଇବା ଆରମ୍ଭ କରିଥିଲା। ଏହାକୁ ସହଯୋଗ ରାଶି ବୋଲି କୁହାଯାଉଥିଲା ଓ ଟିଟୋ ତରଫରୁ ତାର ପତ୍ନୀ ଆୟୋଜକଙ୍କ କାର୍ଯ୍ୟକ୍ରମରେ ଯୋଗଦେଉଥିଲେ। ନିକଟରେ ରାଜଧାନୀରେ ଅନୁଷ୍ଠିତ ଏକ ଘରୋଇ ଚ୍ୟାନେଲ୍‌ର ବାର୍ଷିକ ଉତ୍ସବରେ ମଧ୍ୟ ଟିଟୋର ପତ୍ନୀ ଦର୍ଶକ ଭାବେ ଯୋଗ ଦେଇଥିଲେ। ସେହି ଚ୍ୟାନେଲ୍‌ରେ ଟିଟୋ ଅର୍ଥରେ ଏକ ଧାରାବାହିକ ସୁଟିଂ ଚାଲିଥିବା ପୁଲିସକୁ ଖବର ମିଳିଛି।

କେବଳ ସେତିକି ନୁହେଁ, ୨୦୧୭ରେ ଓଡ଼ିଆ ଅଭିନେତା ସମ୍ବିତକୁ ନେଇ ତିଆରି ହୋଇଥିବା ତେଲୁଗୁ ଫିଲ୍ମ ‘ଲାଲିଜୁ ଲାଲିଜୁ’ରେ ମଧ୍ୟ ଟିଟୋର କିଛି ଅର୍ଥ ବିନିଯୋଗ ହୋଇଛି। ଟିଟୋର ଜଣେ ବନ୍ଧୁ ଗୁଜୁରାଟୀ ଚଳଚ୍ଚିତ୍ର କରୁଥିବା ବେଳେ ତାଙ୍କୁ ମଧ୍ୟ ଟିଟୋ ଫିଲ୍ମ ପାଇଁ ସହଯୋଗ କରୁଥିଲେ। ଫଳରେ ନିକଟରେ ଟିଟୋ ଗୁଜୁରାଟ ଯାଇ ରାଜକୋଟ୍‌ରେ ରହୁଥିବା ସେହି ବନ୍ଧୁଙ୍କ ନିକଟରେ କିଛି ଦିନ ବିତାଇ ସୋମନାଥ ମନ୍ଦିର ଦର୍ଶନ କରି ଫେରିଥିଲା।

ସମ୍ବନ୍ଧିତ ଖବର