ଅର୍ଥତତ୍ତ୍ୱ ଠକେଇ ମାମଲା : ୫୦ ଫ୍ଲାଟ୍‌ ଜବତ କଲା ସିବିଆଇ

ଗଣମାଧ୍ୟମରୁ ଖବର ଜାଣିଲି: ମନ୍ତ୍ରୀ ସୂର୍ଯ୍ୟପାତ୍ର

ଭୁବନେଶ୍ୱର : ଅର୍ଥତତ୍ତ୍ୱ ଚିଟଫଣ୍ଡ୍‌ ଠକେଇ ମାମଲାରେ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର ଦିନକୁ ଦିନ ଛନ୍ଦି ହୋଇ ପଡ଼ୁଛନ୍ତି। ବିପ୍ଲବଙ୍କ ନୂଆପଲ୍ଲୀସ୍ଥିତ କାର୍ଯ୍ୟାଳୟରେ ଅର୍ଥତତ୍ତ୍ୱ କମ୍ପ୍ୟୁଟର ଲଗାଇଥିବା ଅଭିଯୋଗ ପରେ ଏବେ ଅର୍ଥତତ୍ତ୍ୱର ନଖରା ଅଞ୍ଚଳରେ ଥିବା ଏକ ଆର୍ପାଟମେଣ୍ଟର ୫୦ଟି ଫ୍ଲାଟ୍‌ କିଣାବିକାରେ ତାଙ୍କ ଭୂମିକା ପଦାକୁ ଆସିଛି। ଏଭଳି ପରିସ୍ଥିତିରେ ଆଜି ସିବିଆଇ ସେହି ଫ୍ଲାଟଗୁଡିକ ସିଲ୍‌ କରିଛି। ଏହି ଫ୍ଲାଟ କିଣାବିକା ଘଟଣାକୁ ନେଇ ବିପ୍ଳବଙ୍କୁ ପୁଣି ଥରେ ସିବିଆଇ ସମନ୍‌ କରିଛି। ଖୁବ୍‌ ଶୀଘ୍ର ସେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇ ସେହି ଫ୍ଲାଟ କିଣାବିକାରେ ତାଙ୍କର ଭୂମିକା କ’ଣ ତାହା ସ୍ପଷ୍ଟ କରିବେ।

ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ନଖରା ନିକଟରେ ଏକ ବିଲଡର୍‌ ସଂସ୍ଥାର ଆପାର୍ଟମେଣ୍ଟ୍‌ ରହିଛି। ସେହି ଆପାର୍ଟମେଣ୍ଟର ବିକ୍ରୟ ଦାୟିତ୍ୱ ଅର୍ଥତତ୍ତ୍ୱ ନେଇଥିଲା। କିନ୍ତୁ ଏହାର ମଧ୍ୟସ୍ଥତା କରୁଥିଲେ ବିପ୍ଳବ। ଏହି ମଧ୍ୟସ୍ଥତାବେଳେ ବିପ୍ଳବ କିଛି ଟଙ୍କା ଆତ୍ମସାତ କରିଥିବା ସିବିଆଇ ଜାଣିବାକୁ ପାଇଛି। ତେଣୁ ତାଙ୍କୁ ପୁଣି ଥରେ ଜେରା କରାଯିବ ବୋଲି ସିବିଆଇ ପକ୍ଷରୁ ସୂଚନା ମିଳିଛି। ସେହିପରି ଉକ୍ତ ବିଲଡର୍‌ଙ୍କୁ ମଧ୍ୟ ସିବିଆଇ ସମନ୍‌ କରିଛି। ସେ ମଧ୍ୟ ଖୁବ୍‌ ଶୀଘ୍ର ସିବିଆଇରେ ହାଜର ହେବେ।

ଦୁଇ ଦିନ ତଳେ ସିବିଆଇ ମଧ୍ୟ ବିପ୍ଳବଙ୍କୁ ଜେରା କରିଥିଲା। ଅଭିଯୋଗ ଥିଲା ତାଙ୍କର ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀଙ୍କ ସହିତ ଉତ୍ତମ ସମ୍ପର୍କ ଥିଲା। ତାଙ୍କ ଅଫିସରେ ଏକାଧିକ କମ୍ପ୍ୟୁଟର ବିଲ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଆକାଉଣ୍ଟରୁ ପୈଠ ହୋଇଛି। କାହିଁକି ଓ କେଉଁ ପରିସ୍ଥିିତିରେ ଅର୍ଥତତ୍ତ୍ୱ ଟଙ୍କା ଏଥିରେ ଲାଗିଛି ତାହା ତଦନ୍ତ ପରିସରଭୁକ୍ତ ହୋଇଛି। ଅନ୍ୟପକ୍ଷରେ ପୁଅ ବିପ୍ଳବଙ୍କୁ ସିବିଆଇ ଜେରା କରିବା ସମ୍ପର୍କରେ ମନ୍ତ୍ରୀ ସୂର୍ଯ୍ୟପାତ୍ର କହିଛନ୍ତି, କି ସେ ଏ ବିଷୟରେ କିଛି ଜାଣି ନାହାନ୍ତି। ଗଣମାଧ୍ୟମରୁ ସେ ଖବର ପଢ଼ି ଜାଣିଲେ। ଏହା ପରେ ସେ ସିବିଆଇ ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ। ମାତ୍ର ସିବିଆଇ ଏ ନେଇ କୌଣସି ସୂଚନା ଦେଇ ନ ଥିଲା।

ସମ୍ବନ୍ଧିତ ଖବର