୩୦ ବର୍ଷର ଲଢ଼େଇ ପରେ ମିଳିଲା ନ୍ୟାୟ

ହାଇକୋର୍ଟରେ ୧୯୮୭ ଓସିଏସ୍‌ ବିବାଦ ମାମଲା

ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ନେଇ ହାଇକୋର୍ଟରେ ସତ୍ୟପାଠ

କଟକ : ଦୀର୍ଘ ୩୦ ବର୍ଷର ଅଦାଲତି ଲଢେଇ ପରେ ଦୁଇ ଜଣଙ୍କୁ ମିଳିଛି ନ୍ୟାୟ। ସରକାର ନିଜର ନିଷ୍ପତ୍ତିକୁ ବଦଳାଇ କ୍ଲାସ୍‌-୩ ବଦଳରେ ସେମାନଙ୍କୁ କ୍ଲାସ-୨ ପଦବିରେ ନିଯୁକ୍ତି ଦେଇଛନ୍ତି। ହାଇକୋର୍ଟରେ ରୁଜୁ ହୋଇଥିବା ଏହି ମାମଲାର ଶୁଣାଣି ସମୟରେ ସାଧାରଣ ପ୍ରଶାସନ ବିଭାଗର ଏ ସଂକ୍ରାନ୍ତ ସତ୍ୟପାଠ ଦାଖଲ ପରେ ବିବାଦରେ ପୂର୍ଣ୍ଣଚ୍ଛେଦ ପଡିଛି।

୧୯୮୭ ମସିହା ଓଡିଶା ସିଭିଲ ସର୍ଭିସ(ଓସିଏସ) ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣି ଏହି ମାମଲା ରୁଜୁ ହୋଇଥିଲା। ହାଇକୋର୍ଟର ବିଚାରପତି କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଏ ସଂପର୍କିତ ଅଦାଲତ ଅବମାନନା ମାମଲାର ଶୁଣାଣି ହୋଇଥିଲା। ପୂର୍ବ ନିର୍ଦ୍ଦେଶ ମୁତାବକ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ଅଶୋକ ମୀନା ବ୍ୟକ୍ତିଗତ ଭାବେ ହାଜର ହୋଇ ସତ୍ୟପାଠ ଦାଖଲ କରିଥିଲେ। ୨୦୧୪, ଜାନୁଆରି ୨୧ରେ ହାଇକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇଛି ବୋଲି ସତ୍ୟପାଠରେ ଦର୍ଶାଯାଇଥିଲା। ଆବେଦନକାରୀ ଏସ୍‌.କେ.ସାମଲ ଓ ସୂର୍ଯ୍ୟମାଧବ ପାଣିଗ୍ରାହୀଙ୍କୁ କ୍ଲାସ-୨ ପଦବିରେ ନିଯୁକ୍ତି ଦିଆଯାଇଛି। ଇତି ମଧ୍ୟରେ ୨୦୧୩ରେ ଉଭୟଙ୍କୁ ସୁପରଟାଇମ ସ୍କେଲ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି ବୋଲି ସତ୍ୟପାଠରେ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ଓ ଆଇନଜୀବୀ ପ୍ରଭୁ ପିତ୍ୟାର୍ଥୀ କୁମାର ପଣ୍ଡିତ ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୮୭ମସିହାରେ ଓଡିଶା ପ୍ରଶାସନିକ ସେବା ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିବାବେଳେ ୯୪ଜଣ କୃତକାର୍ଯ୍ୟ ହୋଇଥିଲେ। କ୍ଲାସ-୨ ପଦବିରେ ନିଯୁକ୍ତି ପାଇଁ ମନୋନୀତ କେତେକ ପ୍ରାର୍ଥୀଙ୍କୁ କିନ୍ତୁ ପରବର୍ତ୍ତୀ ସମୟରେ କ୍ଲାସ-୩ ପଦବିରେ ନିଯୁକ୍ତି ଦିଆଯାଇଥିଲା। ଏପରି ନିଷ୍ପତ୍ତିକୁ କେତେକ ପ୍ରାର୍ଥୀ ୧୯୯୦ରେ ସ୍ୟାଟ୍‌ରେ ଚାଲେଞ୍ଜ କରିଥିଲେ। ୨୦୦୫, ମାର୍ଚ୍ଚ ୨୨ରେ ସ୍ୟାଟ ମାମଲାର ଶୁଣାଣି କରି ଏହାକୁ ଅଗ୍ରାହ୍ୟ କରିଥିଲେ। ମାମଲା ବିଚାରାଧୀନ ଥିବା ବେଳେ ସରକାର ଏହି ଆବେଦନକାରୀଙ୍କୁ କ୍ଲାସ-୨ପଦବିରେ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ମାମଲା ବିଚାରାଧୀନ ଥିବା ଅବସ୍ଥାରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇ ନଥିଲା। ଅନ୍ୟପକ୍ଷରେ ସ୍ୟାଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ମାମଲା ବିଚାରାଧୀନ ଥିବା ବେଳେ ସମାନ ପରିସ୍ଥିତିରେ ଥିବା ଅନ୍ୟ ଦୁଇ ଜଣଙ୍କୁ ସରକାର କ୍ଲାସ-୨ ପଦବିରେ ନିଯୁକ୍ତି ପ୍ରଦାନ କରିଥିଲେ। ଏଭଳି ଘଟଣା ସଂପର୍କରେ ଆବେଦନକାରୀ ହାଇକୋର୍ଟରେ ତଥ୍ୟ ଉପସ୍ଥାପନ କରିଥିଲେ। ୨୦୧୪, ଜାନୁଆରି ୨୧ରେ ହାଇକୋର୍ଟ ମାମଲାର ଶୁଣାଣି କରି ସ୍ୱତନ୍ତ୍ର ପଦବି ସୃଷ୍ଟି କରି ଆବେଦନକାରୀଙ୍କୁ ୨ମାସ ମଧ୍ୟରେ ନିଯୁକ୍ତି ପ୍ରଦାନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନଥିବା ବେଳେ ଆବେଦନକାରୀ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ ଓ ସରକାର ରାୟର ପୁନର୍ବିଚାର ପାଇଁ ରିଭ୍ୟୁ ପିଟିସନ୍‌ ହାଇକୋର୍ଟରେ ଦାଖଲ କରିଥିଲେ। ରିଭ୍ୟୁ ପିଟିସନ ହାଇକୋର୍ଟ ଖାରଜ କରିବା ପରେ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ସରକାରଙ୍କ ଆବେଦନ ଖାରଜ କରିବା ପରେ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରି ସାଧାରଣ ପ୍ରଶାସନ ବିଭାଗ ଆଜି ସତ୍ୟପାଠ ଦାଖଲ କରିଛି।

ସମ୍ବନ୍ଧିତ ଖବର