ଭୁବନେଶ୍ୱର : ଓଡ଼ିଶା ସରକାର ୧୬୦୯.୪୯ କୋଟି ଟଙ୍କାର ୮ଟି ନୂଆ ପୁଞ୍ଜି ନିବେଶ ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି । ଗୁରୁବାରଦିନ ଅନୁଷ୍ଠିତ ୮୯ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ୍ ଅଥରିଟି ବୈଠକ ରେ ଏ ନେଇ ନୀତିଗତ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଅନୁଷ୍ଠିତ ଏକ ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ଦିଆଯାଇଛି । ଏହି ନିବେଶ ପ୍ରସ୍ତାବ ଗୁଡ଼ିକ ଖାଦ୍ୟ ପ୍ରକ୍ରିୟାକରଣ, ରାସାୟନିକ, ପ୍ଲାଷ୍ଟିକ, ପର୍ଯ୍ୟଟନ, ଇସ୍ପାତ ଏବଂ ଭିତ୍ତିଭୂମି କ୍ଷେତ୍ର ଉପରେ ପର୍ଯ୍ୟବେସିତ । ପ୍ରକଳ୍ପ ଗୁଡ଼ିକରେ ୧୪୫୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିହୋଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ୍ ଅଥରିଟି ପକ୍ଷରୁ ଟାଟା ଗ୍ଲୋବାଲ ବେଭେରେଜ ଲିମିଟେଡ କୁ ବାର୍ଷିକ ୩୬୦୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଚା ବ୍ଲେଣ୍ଡିଙ୍ଗ ତଥା ପ୍ୟାକେଜିଙ୍ଗ କାର୍ଯ୍ୟ ନିମନ୍ତେ ୮୩.୫୩ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଏଠାରେ ୨୯୪ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।
ପର୍ଯ୍ୟଟନ କ୍ଷେତ୍ରରେ ଏକ ୫ ତାରକା ହୋଟେଲର ସମ୍ପ୍ରସାରଣ ପାଇଁ ଆପିଜେ ସୁରେନ୍ଦ୍ର ପାର୍କ ହେଟେଲ ଲିମିଟେଡର ୧୫୦ କୋଟି ଟଙ୍କାର ଏକ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ୧୫୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ପର୍ଯ୍ୟଟନ କ୍ଷେତ୍ରରେ ଏକ ୫ ତାରକା ହୋଟେଲର ସମ୍ପ୍ରସାରଣ ପାଇଁ କାମତ ହୋଟେଲସ୍ (ଇଣ୍ଡିଆ) ଲିମିଟେଡର ୫୧ କୋଟି ଟଙ୍କାର ଏକ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ୧୬୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ରାଜ୍ୟର ଇସ୍ପାତ କ୍ଷେତ୍ରରେ ତ୍ରିଭେଣି ଅର୍ଥ ମୁଭର ପ୍ରାଇଭେଟ ଲିମିଟେଡର ବାର୍ଷିକ ୩୦ ନିୟୁତ ଟନ କ୍ଷମତା ବିଶିଷ୍ଟ ମାଟିତଳେ ସ୍ଲରି ପାଇପ୍ ଲାଇନ୍ ବସାଇବା ନିମନ୍ତେ ୯୪୮.୯୦ କୋଟି ଟଙ୍କାର ଏକ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ୨୧୭ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।