ରାଜ୍ୟରେ ଡାକ୍ତରମାନଙ୍କୁ ମିଳିବ ସ୍ୱତନ୍ତ୍ର ଆର୍ଥିକ ପ୍ରେତ୍ସାହନ, ମୁଖ୍ୟମନ୍ତ୍ରୀଙ୍କ ମଂଜୁରୀ

ଭୁବନେଶ୍ୱର: ଓଡ଼ିଶା ସରକାର ଡାକ୍ତରମାନଙ୍କ ପାଇଁ ପ୍ରେତ୍ସାହନ ରାଶିକୁ ବୃଦ୍ଧି କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କିତ ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି । ଓଡ଼ିଶା ଡାକ୍ତରୀ ସ୍ୱାସ୍ଥ୍ୟସେବା କ୍ୟାଡର ଅଧିନରେ କାର୍ଯ୍ୟରତ ଡାକ୍ତରମାନଙ୍କ ପାଇଁ ଏହା ଲାଗୁ ହେବ । ଏମସିଆଇ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ମେଡିକାଲ କଲେଜରେ ସୁପର ସ୍ପେଶିଆଲାଇଜସନ ହାସଲ କରିଥିବା ଡାକ୍ତରମାନଙ୍କୁ ମାସକୁ ୩୦ ହଜାର ଟଙ୍କା, ପିଜି କରିଥିବା ଡାକ୍ତର ମାସକୁ ୨୦ ହଜାର ଟଙ୍କାର ପ୍ରେତ୍ସାହନ ରାଶି ପାଇବେ । ଆହୁରି ମଧ୍ୟ ଓଡ଼ିଶା ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ହାସଲ କରିଥିବା ଡାକ୍ତମାନେ ମାସକୁ ୧୦ ହଜାର ଟଙ୍କାର ପ୍ରେତ୍ସାହନରାଶି ପାଇବେ । ଏସବୁ ପ୍ରେତ୍ସାହନ ରାଶି କେବଳ ଶିକ୍ଷା ଓ ତାଲିମଗତ ଯୋଗ୍ୟତା ଭିତ୍ତିକ ହେବ । ଏସବୁ ରାଶି ପୂର୍ବରୁ ମିଳୁଥିବା ଅଞ୍ଚଳଭିତ୍ତିକ ପ୍ରେତ୍ସାହନ ଉପରେ ଅତିରିକ୍ତଭାବେ ମିଳିବ । ଗତ ବର୍ଷ ଅଗଷ୍ଟ ମାସରେ ସରକାର ନୂଆ ମେଡିକାଲ କଲେଜରେ ପୋଷ୍ଟିଂ ପାଇଥିବା ଡାକ୍ତରମାନଙ୍କୁ ସ୍ୱତନ୍ତ୍ର ଆର୍ଥିକ ପ୍ରେତ୍ସାହନ ଦେବାକୁ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର