ଆରମ୍ଭ ହେଲା ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ : ପିଲାଙ୍କ ଶିକ୍ଷା ଉପରେ ଗୁରୁତ୍ୱ ଦିଅ

ଭୁବନେଶ୍ୱର : ‘ଆମ ଗାଁ ଆମ ବିକାଶ’ ସହ ଆଉ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯୋଡ଼ିହୋଇଛି। ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ ନାମରେ ଏହି କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକ ବିଭିନ୍ନ ସାମାଜିକ ବିଷୟରେ ପଞ୍ଚାୟତ ପ୍ରତିନିଧି ଓ ଜନସାଧାରଣଙ୍କ ସହ ଆଲୋଚନା ଓ ପରାମର୍ଶ କରିବେ। ଏହା ମାଧ୍ୟମରେ ସାମାଜିକ ପରିବର୍ତ୍ତନକୁ ତ୍ୱରାନ୍ଵିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ସଚିବାଳୟରେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ପଟ୍ଟନାୟକ ପିଲାମାନଙ୍କ ଶିକ୍ଷା ଉପରେ ଗୁରୁତ୍ୱ ଦେବାକୁ ପଞ୍ଚାୟତ ପ୍ରତିନିଧି ଓ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ଶିକ୍ଷା ହିଁ ସବୁ କ୍ଷେତ୍ରରେ ପରିବର୍ତ୍ତନ ଆଣିଥାଏ। ସବୁ ପିଲା ଯେପରି ସ୍କୁଲ୍‌ ଯିବେ, ସେଥି ପାଇଁ ପିତାମାତା ଯତ୍ନବାନ ହେବା ଉଚିତ। ଯେଉଁ ପଞ୍ଚାୟତରେ ସବୁ ପିଲା ସ୍କୁଲ୍‌ ଯିବେ, ସେହି ପଞ୍ଚାୟତ ପାଇଁ ପୁରସ୍କାରର ବ୍ୟବସ୍ଥା ମଧ୍ୟ ରହିଛି। ତେଣୁ ପଞ୍ଚାୟତମାନେ ଯେପରି ଏହି ପୁରସ୍କାର ପାଇବେ, ସେଥି ପାଇଁ ଉଦ୍ୟମ କରିବା ଆବଶ୍ୟକ। ଦଶମ ଶ୍ରେଣୀରେ ଓଡ଼ିଆ ଭାଷାରେ ଭଲ କରିଥିବା ପିଲାଙ୍କୁ ପୁରସ୍କାର ଦିଆଯିବ ଏବଂ ମୋଟ ଉପରେ ଭଲ ନମ୍ବର ରଖିଥିବା ପିଲାଙ୍କୁ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ପୁରସ୍କାର ଦିଆଯିବ। ଭଲ ପଢ଼ୁଥିବା ପିଲାଙ୍କ ବାପା-ମା ଓ ସ୍କୁଲ୍‌ର ଶିକ୍ଷକମାନଙ୍କୁ ମଧ୍ୟ ସମ୍ମାନିତ କରାଯିବ। ତେଣୁ ସମସ୍ତେ ପିଲାଙ୍କ ଶିକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ୫ଟି ଜିଲ୍ଲାର ୬ଟି ବ୍ଲକ୍‌ର ୧୧୨ଟି ପଞ୍ଚାୟତର ପ୍ରତିନିଧି ଓ ଜନସାଧାରଣ ଭାଗ ନେଇଥିଲେ। ଏହି ପଞ୍ଚାୟତଗୁଡ଼ିକ ପାଇଁ ମୁଖ୍ୟମନ୍ତ୍ରୀ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଅଧୀନରେ ୧୧୯୫ଟି ପ୍ରକଳ୍ପ ମଞ୍ଜୁର କରିଥିଲେ। ପ୍ରକଳ୍ପଗୁଡ଼ିକର ମୋଟ୍‌ ମୂଲ୍ୟ ରହିଛି ୨୪.୨୫ କୋଟି ଟଙ୍କା।

ଗୁରୁଣ୍ଡିଆ ବ୍ଲକ୍‌ର ୧୩ଟି ପଞ୍ଚାୟତ ପାଇଁ ୨.୫୦ କୋଟି ଟଙ୍କାରେ ୮୫ଟି ପ୍ରକଳ୍ପ, କୁଆଁରମୁଣ୍ଡା ବ୍ଲକ୍‌ର ୨୦ଟି ପଞ୍ଚାୟତ ପାଇଁ ୪.୫୦ କୋଟି ଟଙ୍କାରେ ୧୫୪ଟି ପ୍ରକଳ୍ପ, ବଙ୍ଗମୁଣ୍ଡା ବ୍ଲକ୍‌ର ୨୬ଟି ପଞ୍ଚାୟତ ପାଇଁ ୪.୫ କୋଟି ଟଙ୍କାରେ ୩୧୦ଟି ପ୍ରକଳ୍ପ, ଭଞ୍ଜନଗର ବ୍ଲକ୍‌ର ୨୨ଟି ପଞ୍ଚାୟତ ପାଇଁ ୫.୬୦ କୋଟି ଟଙ୍କାରେ ୧୯୮ଟି ପ୍ରକଳ୍ପ, ଡମପଡ଼ା ବ୍ଲକ୍‌ର ୧୭ଟି ପଞ୍ଚାୟତ ପାଇଁ ୪.୧୫ କୋଟି ଟଙ୍କାରେ ୨୮୫ଟି ପ୍ରକଳ୍ପ ଏବଂ ପଟ୍ଟାଙ୍ଗୀ ବ୍ଲକ୍‌ର ୧୪ଟି ପଞ୍ଚାୟତ ପାଇଁ ୩ କୋଟି ଟଙ୍କାରେ ୧୬୩ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ଜନସାଧାରଣ ଓ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଏହି ପ୍ରକଳ୍ପଗୁଡ଼ିକୁ ମିଳିମିଶି ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦ ସଦସ୍ୟ, ବିଧାୟକ ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ, ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର