ଅର୍ଥ ଆୟୋଗ ସର୍ତାବଳୀକୁ ନେଇ ବିବାଦ ତେଜିଲା

ଭୁବନେଶ୍ୱର : କେନ୍ଦ୍ର-ରାଜ୍ୟ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ଟିକସ ଆବଣ୍ଟନ ଲାଗି ଭାରତ ସରକାର ପଞ୍ଚଦଶ ଅର୍ଥ ଆୟୋଗ ପାଇଁ ଯେଉଁ କାର୍ଯ୍ୟ ସାରଣୀ ସର୍ତାବଳୀ (ଟର୍ମସ ଅଫ୍‌ ରେଫରେନ୍ସ) ଧାର୍ଯ୍ୟ କରିଛନ୍ତି ତାହାକୁ ଓଡ଼ିଶା ବିରୋଧ କରିଛି। ପୂର୍ବ ଅର୍ଥ ଆୟୋଗ ଗୁଡ଼ିକ ପାଇଁ ରହିଥିବା ସର୍ତାବଳୀ ତୁଳନାରେ ପଞ୍ଚଦର୍ଶ ଅର୍ଥ ଆୟୋଗ କ୍ଷେତ୍ରରେ ସର୍ତ୍ତାବଳୀରେ ଯଥେଷ୍ଟ ପରିବର୍ତନ ଅଣାଯାଇଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ଼଼ଡ଼ା ପ୍ରତିକ୍ରିୟା ରଖିଛନ୍ତି। ଏହି ସର୍ତ୍ତ ରହିଲେ, ଟିକସ ଓ ସହାୟତା ରାଶି ଆବଣ୍ଟନ ବେଳେ ଓଡ଼ିଶା ଭଳି ରାଜ୍ୟ ବ୍ୟାପକ କ୍ଷତି ସହିବେ ବୋଲି ଆଜି ମୁଖ୍ୟମନ୍ତ୍ରୀ ଚିଠି ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣାଇଛନ୍ତି। କେବଳ ସେତିକି ନୁହେଁ, ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡି ନବୀନ ଏହାର ସମାଧାନ ଦାବି କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଦୁଇ ପୃଷ୍ଠାର ଚିଠି ଲେଖି ନବୀନ କହିଛନ୍ତି, କେନ୍ଦ୍ର-ରାଜ୍ୟ ମଧ୍ୟରେ ଟିକସ ଆବଣ୍ଟନ ପାଇଁ ଆୟୋଗ ଯେଉଁ ଫର୍ମୁଲା ପ୍ରୟୋଗ କରୁଛନ୍ତି, ସେଥିରେ ଏହି ସର୍ତାବଳୀ ବେଡ଼ି ଲଗାଇ ଦେଇଛି। ଏହା ଦ୍ୱାରା ଆୟୋଗର ସ୍ୱାଧୀନତାକୁ କେନ୍ଦ୍ର ସରକାର ଛଡାଇ ନେଇଛନ୍ତି। କାର୍ଯ୍ୟ ସାରଣୀ ସର୍ତାବଳୀ ବିଜ୍ଞପ୍ତି ଜାରି କରିବା ପୂର୍ବରୁ ଓଡ଼ିଶା ଯେଉଁ ପରାମର୍ଶ ଦେଇଥିଲା, ତାହାକୁ ବି ସମ୍ପୂର୍ଣ୍ଣ ରୂପେ ଅଣଦେଖା କରାଯାଇଛି।

ରାଜ୍ୟ ଓ ରାଜ୍ୟ ମଧ୍ୟରେ ଟିକସ ଆବଣ୍ଟନ ପାଇଁ ୨୦୧୧ ମସିହାର ଜନଗଣନା ତଥ୍ୟକୁ ଉପଯୋଗ କରିବା ନିଷ୍ପତ୍ତିକୁ ନବୀନ ତୀବ୍ର ବିରୋଧ କରି କହିଛନ୍ତି, ସମ୍ବଳ ଆବଣ୍ଟନ ନୀତି ନିର୍ଧାରଣ ପାଇଁ ଜନସଂଖ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇ ରହିଆସିଛି। ୧୯୭୧ ମସିହାର ଜନଗଣନା ରିପୋର୍ଟକୁ ସମ୍ବଳ ଆବଣ୍ଟନ ପାଇଁ ପୂର୍ବରୁ ଗ୍ରହଣ କରାଯାଇ ଆସିଛି। ଏପରିକି ରାଜ୍ୟ ଗୁଡ଼ିକ ପାଇଁ ଲୋକସଭାର ଆସନ ସଂଖ୍ୟା ୧୯୭୧ ଜନଗଣନା ରିପୋର୍ଟ ଅନୁଯାୟୀ କାର୍ଯ୍ୟକାରୀ ହୋଇ ଆସୁଛି। ୮୪ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ୧୯୭୧ ମସିହାର ଜନଗଣନାକୁ ୨୦୨୬ ପର୍ଯ୍ୟନ୍ତ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

ହେଲେ ଏବେ ଯେଉଁ ସର୍ତାବଳୀ ପ୍ରସ୍ତୁତ କରାଯାଇଛି, ତା ଦ୍ୱାରା ଯେଉଁସବୁ ରାଜ୍ୟ ଗୁଡ଼ିକ କେନ୍ଦ୍ରଠାରୁ ପ୍ରତିଶ୍ରୁତି ପାଇ ଜନସଂଖ୍ୟା ନିୟନ୍ତ୍ରଣ ଲାଗି ସକ୍ରିୟତାର ସହ ପୂର୍ବରୁ କାର୍ଯ୍ୟ କରିଛନ୍ତି ସେମାନେ କ୍ଷତି ସହିବେ। ପ୍ରଜନନ ହାର କମ୍‌ ଥିବା ଦୃଷ୍ଟିକୋଣରୁ ଓଡ଼ିଶା ବି ବିଶେଷ ଭାବେ କ୍ଷତି ସହିବ। ତେଣୁ ପଞ୍ଚଦଶ ଅର୍ଥ ଆୟୋଗ ତାଙ୍କ ସୁପାରିସ ପ୍ରଦାନ କରିବା ବେଳେ ୧୯୭୧ ଜନଗଣନା ରିପୋର୍ଟକୁ ଗ୍ରହଣ କରିବା ଲାଗି ନବୀନ ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ, ଦୀର୍ଘଦିନ ହେଲା ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ପାଇଁ ଓଡ଼ିଶା ଦାବି କରିଆସୁଛି। ଓଡ଼ିଶାରେ ବହୁ ସଂଖ୍ୟାରେ ତଫସିଲଭୁକ୍ତ ଜାତି ଏବଂ ଜନଜାତିର ଲୋକ ବାସ କରୁଛନ୍ତି। ତେଣୁ ଅଧିକାଂଶ ଜିଲ୍ଲାରେ ସାମାଜିକ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ପର୍ଯ୍ୟାପ୍ତ ଭାବେ ବିକଶିତ ହୋଇପାରିନାହିଁ। ଭିତ୍ତିଭୂମିରେ ରହିଥିବା ଏଭଳି ଅଭାବକୁ ଦୂର କରିବା ପାଇଁ ପର୍ଯ୍ୟାପ୍ତ ପାଣ୍ଠିର ଆବଶ୍ୟକତା ରହିଛି। କେବିକେ ପାଇଁ ଚାଲିଥିବା ସ୍ୱତନ୍ତ୍ର ଯୋଜନା, ବାମପନ୍ଥୀ ଉଗ୍ରବାଦ ଦ୍ୱାରା ପ୍ରଭାବିତ ଜିଲ୍ଲା ଗୁଡ଼ିକ ପାଇଁ କାର୍ଯ୍ୟକାରୀ ହେଉଥିବା ଆଇଏପି ଏବଂ ପଛୁଆ ଅଞ୍ଚଳ ବିକାଶ ଯୋଜନା ଭଳି କେତେକ ଯୋଜନାକୁ କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି। ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଏବଂ ହିମାଳୟ ପାର୍ବତ୍ୟାଞ୍ଚଳରେ ଥିବା ରାଜ୍ୟ ଗୁଡ଼ିକ ଭଳି ଓଡ଼ିଶାକୁ ପାଣ୍ଠି ଯୋଗାଇ ଦେବା ଲାଗି ରାଜ୍ୟ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ଗ୍ରହଣ କରୁନାହାନ୍ତି। ଏସବୁ ପ୍ରସଙ୍ଗକୁ ଜରୁରି ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି ବୋଲି ନବୀନ ତାଙ୍କ ଚିଠିରେ ଗୁରୁତ୍ୱ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପଞ୍ଚଦର୍ଶ ଅର୍ଥ ଆୟୋଗ ପାଇଁ ଉଦ୍ଦିଷ୍ଟ ସର୍ତାବଳୀରେ କରାଯାଇଥିବା ପରିବର୍ତନକୁ ଦକ୍ଷିଣ ଭାରତୀୟ ରାଜ୍ୟ ଗୁଡ଼ିକ ତୀବ୍ର ବିରୋଧ କରିଛନ୍ତି।

ସମ୍ବନ୍ଧିତ ଖବର