କେନ୍ଦ୍ରମନ୍ତ୍ରୀଙ୍କୁ ଫେରାଦ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବ୍ୟାଙ୍କକ୍‌ ଓ ବେଙ୍ଗାଲୁରୁକୁ ଏୟାର ଇଣ୍ଡିଆର ବିମାନ ଚଳାଚଳ ସେବା ବନ୍ଦ କରିଦିଆଯାଇଛି। ଏୟାର ଇଣ୍ଡିଆର ଏଭଳି ଅଚାନକ୍‌ ନିଷ୍ପତ୍ତି ଏବେ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏୟାର ଇଣ୍ଡିଆକୁ ବୁଝାଇ ବ୍ୟାଙ୍କକ୍‌ ସମେତ ସିଙ୍ଗାପୁର, ଇଣ୍ଡୋନେସିଆ ଓ ଶ୍ରୀଲଙ୍କା ଭଳି ଦକ୍ଷିଣ-ପୂର୍ବ ଏସୀୟ ଦେଶ ଗୁଡ଼ିକୁ ବିମାନ ଚଳାଚଳ ସେବା ଆରମ୍ଭ କରିବା ନେଇ ସେ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୦ ଅକ୍ଟୋବର ୩୦ ତାରିଖରେ ଯେତେବେଳେ ବିଜୁ ପଟ୍ଟନାୟକ ବିମାନବନ୍ଦରକୁ ଆନ୍ତର୍ଜାତିକ ବିମାନବନ୍ଦରର ମାନ୍ୟତା ଦିଆଗଲା, ତା’ର ଦୀର୍ଘ ୭ବର୍ଷ ପରେ ଅର୍ଥାତ୍‌ ୨୦୧୭ ମସିହା ଡିସେମ୍ବର ୧୦ରେ ଏୟାର ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ପ୍ରଥମ ଆନ୍ତର୍ଜାତିକ ବିମାନ ଉଡ଼ାଣ ସେବା ଆରମ୍ଭ ହୋଇଥିଲା। ଏହା ପରେ ଏୟାର ଇଣ୍ଡିଆ ପକ୍ଷରୁ ଅନ୍ୟ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକୁ ବିମାନ ଚଳାଚଳ ସେବା ଆରମ୍ଭ ହେବା ନେଇ ଆଶା କରାଯାଉଥିଲା। ହେଲେ ଏହାର ବର୍ଷେ ନ ପୂରୁଣୁ ଏୟାର ଇଣ୍ଡିଆର ବ୍ୟାଙ୍କକ୍‌ ବିମାନ ଚଳାଚଳ ସେବାକୁ ସ୍ଥଗିତ ରଖିବା ନିଷ୍ପତ୍ତିକୁ ସରକାର ସହଜରେ ଗ୍ରହଣ କରିପାରିନାହାନ୍ତି।

ଅନ୍ୟପକ୍ଷରେ ବେଙ୍ଗାଲୁରୁକୁ ଘରୋଇ ବିମାନ ଚଳାଚଳ ସେବା ବି ରାଜ୍ୟ ପାଇଁ ଆଉ ଏକ ଚିନ୍ତାର ବିଷୟ ପାଲଟିଛି। କାରଣ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ବିମାନ ସେବା ଠପ୍‌ ହୋଇଯାଇଥିବାରୁ କେବଳ ଯେ ବିମାନ ଯାତାୟତ କ୍ଷେତ୍ରରେ ଅସୁବିଧା ସୃଷ୍ଟି ହେବ ତାହା ନୁହେଁ, ରାଜ୍ୟର ଉଭୟ ପର୍ଯ୍ୟଟନ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଶିଳ୍ପ ମଧ୍ୟ କ୍ଷତିଗ୍ରସ୍ଥ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରେନା ବୋଲି ମୁଖ୍ୟମନ୍ତ୍ରୀ ଆଶଙ୍କା ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର