କୋଇଲା ଖଣି ଅଞ୍ଚଳର ବାସହରାଙ୍କ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ : ଅବ୍ୟବହୃତ ଜମିର ବିଜ୍ଞପ୍ତି ରଦ୍ଦ କର

ଭୁବନେଶ୍ବର : ରାଜ୍ୟରେ କୋଇଲା ଖଣିର ବିକାଶ ପାଇଁ ଜମି ଅଧିଗ୍ରହଣ କରାଯାଉଛି। କିନ୍ତୁ ବର୍ଷ ବର୍ଷ ଧରି ସେହି ଜମିକୁ ବ୍ୟବହାର କରାଯାଉନାହିଁ। ଏଥିଯୋଗୁ ଜମି ହରାଉଥିବା ଲୋକମାନେ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଏକ ଚିଠି ଲେଖିଛନ୍ତି।

ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, କୋଲ୍‌ ଇଣ୍ଡିଆ ଲିମିଟେଡର ସହାୟକ କମ୍ପାନି ମହାନଦୀ କୋଲ୍‌ଫିଲ୍‌ଡ୍ସ ଲିମିଟେଡ୍‌ (ଏମ୍‌ସିଏଲ୍‌) ପାଇଁ ରାଜ୍ୟରେ ବ୍ୟାପକ ଅଞ୍ଚଳ ଅଧିଗ୍ରହଣ କରାଯାଇଛି। କୋଇଲା ଥିବା ଅଞ୍ଚଳ (ଅଧିଗ୍ରହଣ ଓ ବିକାଶ) ଆଇନ ଅନୁଯାୟୀ ଏହି ଜମି ଅଧିଗ୍ରହଣ କରାଯାଉଛି। ଉକ୍ତ ଆଇନ ଅନୁଯାୟୀ କେବଳ ଅନୁଗୁଳ ଓ ଝାରସୁଗୁଡ଼ା ଜିଲ୍ଲାରେ କୋଇଲା ଖଣି ପ୍ରକଳ୍ପ ପାଇଁ ୨୩,୩୦୦ ହେକ୍ଟରରୁ ଅଧିକ ଜମି ଅଧିଗ୍ରହଣ କରାଯାଇଛି। କିନ୍ତୁ ଏହି ଜମି ମଧ୍ୟରୁ ମାତ୍ର ୧୦,୭୦୦ ହେକ୍ଟର ଜମିକୁ ଏପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରିଛି। ଏତଦ୍‌ବ୍ୟତୀତ ୩୪୦୦ ହେକ୍ଟର ଜମିର ବ୍ୟବହାର ଆସନ୍ତା ୫ ବର୍ଷ ମଧ୍ୟରେ ହେବାକୁ ଯୋଜନା କରାଯାଇଛି। ଏପରିକି ଅବଶିଷ୍ଟ ୯୨୫୦ ହେକ୍ଟର ଜମି ମଧ୍ୟରୁ ୩୬୦୦ ହେକ୍ଟର ଜମିର ବ୍ୟବହାର ଆସନ୍ତା ୧୦ ବର୍ଷ ମଧ୍ୟରେ କରିବା ନେଇ କୌଣସି ଯୋଜନା ନାହିଁ।

ଅନ୍ୟପକ୍ଷରେ ଏମ୍‌ସିଏଲ୍‌ ଯେଉଁ ସମୟରେ ଖଣିର ବିକାଶ କାର୍ଯ୍ୟ କରେ ‌ସେହି ସମୟରେ ହିଁ ଜମିହରାଙ୍କ ପାଇଁ ଥଇଥାନ ଓ ପୁନର୍ବାସ କାର୍ଯ୍ୟ କରିଥାଏ। ତେଣୁ କୋଇଲା ଥିବା ଅଞ୍ଚଳ (ଅଧିଗ୍ରହଣ ଓ ବିକାଶ) ଆଇନ ଅନୁଯାୟୀ ଏମ୍‌ସିଏଲ୍‌କୁ ‌ଜମି ଦେବା ପରେ ମଧ୍ୟ ଜମିହରାମାନେ ଥଇଥାନ ଓ ପୁନର୍ବାସ ପାଇଁ ଅନିର୍ଦ୍ଦି‌ଷ୍ଟ କାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ଏହି ଲୋକମାନେ ଥଇଥାନ ଓ ପୁନର୍ବାସ ନହେବା ପର୍ଯ୍ୟନ୍ତ ନା ବିକାଶମୂଳକ ଯୋଜନାର ଲାଭ ପାଇପାରୁଛନ୍ତି ନା ସେମାନଙ୍କ ରହଣି ପାଇଁ ନିର୍ମାଣ କାର୍ଯ୍ୟ କରିପାରୁଛନ୍ତି।

ଏଭଳି ଜମିହରାମାନଙ୍କ କଷ୍ଟକୁ ଲାଘବ କରିବା ପାଇଁ କୋଇଲା ଥିବା ଅଞ୍ଚଳ ( ଅଧିଗ୍ରହଣ ଓ ବିକାଶ) ଆଇନ ଅନୁଯାୟୀ ଯେଉଁ ଜମି ପାଇଁ ବିଜ୍ଞପ୍ତି ଜାରି/ ଅଧିଗ୍ରହଣ ହେଉଛି ଏବଂ ୫ ବର୍ଷ ପର୍ଯ୍ୟନ୍ତ ଯେଉଁ ଜମିର ଆବଶ୍ୟକତା ନାହିଁ ସେହି ବିଜ୍ଞପ୍ତିକୁ ରଦ୍ଦ କରିବା ପାଇଁ ନବୀନ ତାଙ୍କ ଚିଠିରେ କେନ୍ଦ୍ରମନ୍ତ୍ରୀ ଗୋୟଲଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି। ଏତଦବ୍ୟତୀତ ସମସ୍ତ ଜମିହରାଙ୍କ ଥଇଥାନ ଓ ପୁନର୍ବାସ କାର୍ଯ୍ୟ ଶେଷ ‌ନହେବା ପର୍ଯ୍ୟନ୍ତ କୋଇଲା କମ୍ପାନି ସ୍ଥାନୀୟ ଅଞ୍ଚଳର ବିକାଶ ଦାୟିତ୍ବ ବହନ କରିବା ଉଚିତ। ଏଥିସହିତ ସେହି ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦେବା ଆବଶ୍ୟକ ବୋଲି ନବୀନ ଉଲ୍ଲେଖ କରିଛନ୍ତି। ଏତଦ୍‌ବ୍ୟତୀତ ବିସ୍ଥାପନ ହେବା ଦିନ ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳର ଲୋକମାନେ ଯେଉଁ ସମସ୍ତ ନିର୍ମାଣ କାର୍ଯ୍ୟ କରିଛନ୍ତି ତାହାର କ୍ଷତିପୂରଣ ମଧ୍ୟ କୋଇଲା କମ୍ପାନି ଦେବାକୁ ନବୀନ ତାଙ୍କ ଚିଠିରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର