ଓଡ଼ିଶା ତଟ ସୀମା ସୁରକ୍ଷା ଢିଲା : ୯ ଥାନାର କର୍ମଚାରୀ ଜଗୁଛନ୍ତି ୧୮ ଥାନା

କେନ୍ଦ୍ର, ରାଜ୍ୟ କାହାର ନିଘା ନାହିଁ, ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର କି ବୋଟ୍‌ ନାହିଁ

ଭୁବନେଶ୍ୱର : ୯ଟି ଥାନା ପାଇଁ ଆବଶ୍ୟକ ସମସ୍ତ ପଦବିକୁ ଅନୁମୋଦନ ହୋଇଛି। ଏହି କର୍ମଚାରୀମାନଙ୍କୁ ନେଇ କିନ୍ତୁ ଚାଲିଛି ରାଜ୍ୟରେ ୧୮ଟି ଥାନା।

ବାଂଲାଦେଶୀ ଓ ଆସାମ ନାଗରିକ ତାଲିକାରୁ ବାଦ୍‌ ପଡିଥିବା ପ୍ରାୟ ୪୦ ଲକ୍ଷ ଲୋକଙ୍କ ମଧ୍ୟରୁ ଅନେକ ଏବେ ଗିରଫ ଭୟରେ ଓଡ଼ିଶା ମୁହାଁ ହେଉଥିବା ନେଇ ଚର୍ଚ୍ଚା ଜୋର ଧରୁଥିବା ବେଳେ ରାଜ୍ୟରେ ତଟସୁରକ୍ଷା ପାଇଁ ଥିବା ଥାନାର ସ୍ଥିତି ଏମିତି। ଏହି ଗୋଟିଏ ତଥ୍ୟ ସୂଚାଇ ଦେଉଛି, ତଟ ସୀମା ସୁରକ୍ଷା ବ୍ୟବସ୍ଥାର ଢିଲାପଣ। ହେଲେ ଏ ବିକଳ ଚିତ୍ର କିନ୍ତୁ କେନ୍ଦ୍ର ବା ରାଜ୍ୟକୁ ଆନ୍ଦୋଳିତ କରୁନାହିଁ।

ରାଜ୍ୟ ସରକାର ତନାଘନା କରୁନାହାନ୍ତି। କେନ୍ଦ୍ର ସରକାର ବେଫିକର। ମୁମ୍ବାଇ ଆକ୍ରମଣ ଘଟଣା ପରେ ବି କାହାର ଚେତା ପଶୁନି।

ଓଡ଼ିଶାର ଉପକୂଳ ସୀମାର ଲମ୍ବା କିଛି କମ୍‌ ନୁହେଁ। ବାଲେଶ୍ୱରଠାରୁ ଗଞ୍ଜାମ ପର୍ଯ୍ୟନ୍ତ ୪୭୬ କିଲୋମିଟର ଅଞ୍ଚଳରେ ଅନୁପ୍ରବେଶ ଭୟ ଯେତିକି ରହିଛି, ଆତଙ୍କବାଦୀ ପଶିଯିବା ସମ୍ଭାବନା ବି ସେତିକି ଅଧିକ। ଆତଙ୍କବାଦୀଙ୍କ ରାଉରକେଲା, କେନ୍ଦ୍ରାପଡା, ସାଲେପୁର ସଂପର୍କର ପର୍ଦାଫାସ ପରେ ଓଡ଼ିଶାର ଉପକୂଳ ପ୍ରତି ଭୟ ବଢିଛି। ସବୁଠାରୁ ବଡ଼ କଥା ହେଉଛି, ପୁରୀ ପ୍ରତି ଆତଙ୍କବାଦୀ ଆକ୍ରମଣ ସଂପର୍କରେ ବିଭିନ୍ନ ସମୟରେ ଗୁଇନ୍ଦା ତଥ୍ୟକୁ ନେଇ ଆଲୋଡନ ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ବାଂଲାଦେଶୀ ଅନୁପ୍ରବେଶ ଘଟଣା ଏବେ ଚର୍ଚ୍ଚାରେ ରହିଛି। ସରକାରୀ ତଥ୍ୟ ଅନୁଯାୟୀ ଏହି ସଂଖ୍ୟା ୩ ହଜାର ୯୮୭ ଥିଲେ ହେଁ ଲକ୍ଷ ଲକ୍ଷ ବାଂଲାଦେଶୀ ଏବେ ରାଜଧାନୀ ଠାରୁ ଆରମ୍ଭ କରି ରାଜ୍ୟର ଏକାଧିକ ଜିଲ୍ଲାରେ ପଶିଗଲେଣି, ଏକଥା କାହାକୁ ଅଛପା ନାହିଁ। କେବଳ ମହାକାଳପଡା, ପାରାଦୀପ କିମ୍ବା ବାଲେଶ୍ୱର ଉପକୂଳ ନୁୁହେଁ, ରାଜଧାନୀର ବିଭିନ୍ନ ବସ୍ତିରେ ମଧ୍ୟ ଏମାନେ ନିଜର କାୟା ବଢାଇ ଚାଲିଛନ୍ତି। ଏହା ସତ୍ତ୍ୱେ ତଟ ସୁରକ୍ଷା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ଯେତିକି ତତ୍ପରତା ଦେଖାଇବା କଥା ସେତିକି ପରିଦୃଷ୍ଟ ହେଉନାହିଁ।

ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ତଥ୍ୟ ଅନୁସାରେ, ଓଡ଼ିଶା ଉପକୂଳ ପାଇଁ ଏଯାଏ ମୋଟ ୧୮ଟି ଥାନାକୁ ଅନୁମୋଦନ ମିଳିଛି। ବାଲେଶ୍ୱରର ବଳରାମଗଡି, କଷା ଫଳ, ତଳସରି, ଭଦ୍ରକର ଧାମରା, ଚୂଡାମଣି, କଷିଆ, କେନ୍ଦ୍ରାପଡାର ଜମ୍ବୁ, ତାଳଚୁଆ, ତନ୍ତିଆପାଳ, ଜଗତସିଂହପୁରର ପାରାଦୀପ, ବନ୍ଦର, ଜେଟି ମୁହାଁ, ପୁରୀର ପେଣ୍ଠକଟା, ଅସ୍ତରଙ୍ଗ, ଅରଖକୁଦା, ଚନ୍ଦ୍ରଭାଗା, ଗଞ୍ଜାମର ଆର୍ଯ୍ୟପଲ୍ଲୀ, ସୋନାପୁରରେ ଥାନା ପ୍ରତିଷ୍ଠା କରାଯାଇଛି।

ଯେହେତୁ ସୁରକ୍ଷା ଦୃଷ୍ଟିରୁ ଏହି ଥାନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏଣୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି, ପ୍ରତି ଥାନାରେ ଜଣେ ଇନ୍‌ସପେକ୍ଟର, ୬ ଜଣ ସବ୍‌ଇନ୍‌ସପେକ୍ଟର, ୧୬ ଜଣ ହାବିଲଦାର, ୪୮ ଜଣ କନଷ୍ଟେବଳ, ବୈଷୟିକ ଅଧିକାରୀ ପ୍ରମୁଖ ରହିବେ। ହେଲେ ୯ଟି ଥାନା ପାଇଁ ଯେଉଁ କର୍ମଚାରୀ ନିଯୁକ୍ତି ପାଇଛନ୍ତି, ସେମାନଙ୍କୁ ନେଇ ଏବେ ୧୮ଟି ଥାନା ଚାଲିଛି। ବାକି ୯ଟି ଥାନା ପାଇଁ କେବଳ ଇନ୍‌ସପେକ୍ଟର ପଦବି ମଞ୍ଜୁରି ମିଳିଛି।

ଏସବୁ ଥାନାରେ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରିବା ଲାଗି ବୋଟ ରହିବା କଥା। ତାହା ମଧ୍ୟ ସମ୍ଭବ ହୋଇନାହିଁ। ୧୫ଟି ବୋଟ୍‌ ରହିଛି। ମରାମତି ଅଭାବରୁ ଅର୍ଧାଧିକ ଅଚଳାବସ୍ଥାରେ। ଏ ବାବଦ ପାଣ୍ଠି ନାହିଁ। ଅତ୍ୟାଧୁନିକ ସୁବିଧା ଦେବା ତ ଅଲଗା କଥା। ଆତଙ୍କବାଦୀଙ୍କୁ ମୁକାବିଲା କରିବା ଲାଗି ଏମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ବା ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା ବି ନାହିଁ।

ବ୍ୟବସ୍ଥାର ଏହି ଢିଲାପଣର ଫାଇଦା ବାଂଲାଦେଶୀ ନେଉଛନ୍ତି। ଅପରାଧୀ ଯେ ନେଉନଥିବେ, ତାହାର ଗ୍ୟାରେଣ୍ଟି ନାହିଁ। ତଟ ସୁରକ୍ଷା ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କ କହିବାନୁସାରେ, ୨୦୧୧ରେ ବଳରାମଗଡିରେ ଜଣେ ବାଂଲାଦେଶୀ ଅନୁପ୍ରବେଶ ସମୟରେ ଧରାପଡିଥିଲେ। ଏହା ପରଠାରୁ ଏମିତି କିଛି ଘଟିଥିବା ରେକର୍ଡ ନାହିଁ। ହେଲେ ବେସରକାରୀ ତଥ୍ୟ କହୁଛି, ଅନୁପ୍ରବେଶ ପ୍ରତିଦିନ ଚାଲିଛି ଓ ଅତି ସହଜରେ ବି ହେଉଛି। ସମସ୍ତଙ୍କ ସାମ୍ନାରେ ଘଟୁଛି।

ଉଲ୍ଲେଖଯୋଗ୍ୟ, ଗତ ୩ ତାରିଖ ଦିନ ଏଡିଜି ଶ୍ରୀ ଆଚାର୍ଯ୍ୟ ହାଇଆଲର୍ଟ ଜାରି କରିଥିଲେ। ସମସ୍ତ ସମୁଦ୍ର ତଟବର୍ତୀ ଥାନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ୩୦ ତାରିଖରେ ଏନ୍‌ଆର୍‌ସି ତାଲିକା ପ୍ରକାଶ ପାଇବା ପରେ ବାଦ୍‌ ପଡ଼ିଥିବା ଲୋକମାନେ ଗିରଫ ଭୟରେ ରାଜ୍ୟ ଛାଡୁଥିବା ସୂଚନା ମିଳିଥିଲା। ସେମାନେ ଜଳଭାଗରେ ଓଡ଼ିଶାକୁ ପ୍ରବେଶ କରିବା ସମ୍ଭାବନା ଅଧିକ ଥିବାରୁ ରାଜ୍ୟର ସମସ୍ତ ସମୁଦ୍ରକୂଳିଆ ଥାନାଗୁଡ଼ିକରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଏଡିଜି ନିର୍ଦ୍ଦେଶ ଜାରି କରିଥିଲେ। କୁହାଯାଇଥିଲା, କୌଣସି ସନ୍ଦିଗ୍ଧଙ୍କୁ ଠାବ କରିବା ମାତ୍ରକେ ତାଙ୍କ ପ୍ରମାଣପତ୍ର ଯାଞ୍ଚ କରିବେ। ସେମାନଙ୍କ ସଂପର୍କରେ ଠୋସ୍‌ ପ୍ରମାଣ ମିଳିଲେ କୌଣସି ପରିସ୍ଥିତିରେ ବି ଓଡ଼ିଶା ସୀମାକୁ ପ୍ରବେଶ କରାଇ ନଦେବାକୁ ନିର୍ଦେଶ ଦିଆଯାଇଥିଲା।

ଯଦି ବ୍ୟବସ୍ଥାର ସ୍ୱରୂପ ଏୟା, ତେବେ ଏଡିଜିଙ୍କ ନିର୍ଦେଶ କାର୍ଯ୍ୟକାରୀ ହେଉଛି ତ? ଆତଙ୍କବାଦୀ ଓଡ଼ିଶାକୁ ତଟକୁ ବ୍ୟବହାର କରୁନାହାନ୍ତି? ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି।

ସମ୍ବନ୍ଧିତ ଖବର