କଂଗ୍ରେସ ଭବନରେ ମୁହାଁମୁହିଁ ପରିସ୍ଥିତି : ବାହାରେ ଧାରଣା, ମୁକାବିଲା ପାଇଁ ବାହୁବଳୀ ନିୟୋଜିତ

ବିଜେଡି-ବିଜେପିକୁ ଟାର୍ଗେଟ କଲେ ସାଂସଦ ଦିଗ୍‌ବିଜୟ ସିଂହ
ଏଭଳି ମନ୍ତବ୍ୟର ଗୁରୁତ୍ବ ନଥାଏ କି ଗୁରୁତ୍ବ ଦେଉନୁ: ବିଜେଡି

ଭୁବନେଶ୍ବର : କଂଗ୍ରେସ ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ପିସିସି କାର୍ଯ୍ୟାଳୟ ଭିତରେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ସଭାପତି ମାନସ ମନ୍ଥନ କରିଛନ୍ତି। ସେପଟେ ବାହାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସପକ୍ଷ ଓ ବିପକ୍ଷ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଛି। ଆଜି ସ୍ଥାନୀୟ କଂଗ୍ରେସ ଭବନର ଏପରି ଦୃଶ୍ୟ ଦଳରେ ଥିବା ଗୋଷ୍ଠୀ କନ୍ଦଳକୁ ପୁଣି ଥରେ ପଦାରେ ପକାଇଛି। ଛାତ୍ର କଂଗ୍ରେସରୁ ନିଲମ୍ବିତ ଇତିଶ ପ୍ରଧାନଙ୍କ ଶତାଧିକ ସମର୍ଥକ ନାରାବାଜି କରିବା ସହ ପିସିସି ସଭାପତି ପଦରୁ ନିରଞ୍ଜନଙ୍କୁ ହଟାଇ ବିଧାୟକ ମହମ୍ମଦ ମୋକିମଙ୍କୁ ସଭାପତି କରିବାକୁ ନାରା ଦେଇଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ସୁରକ୍ଷା ପାଇଁ ବାହୁବଳୀ ମୁତୟନ ଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ସାଂସଦ ଦିଗବିଜୟ ସିଂହ ବିଜେପି ଓ ବିଜେଡି ଏକାଠି ହୋଇଥିବା ନେଇ ଅଭିଯୋଗ କରିଥିଲେ। ତେବେ ଦିଗବିଜୟଙ୍କ ଅଭିଯୋଗକୁ ଅତି ହାଲୁକା ଭାବେ ନେଇଛି ବିଜୁ ଜନତା ଦଳ।

ଶୁକ୍ରବାର ପୂର୍ବାହ୍ନରେ କଂଗ୍ରେସ ଭବନରେ ପ୍ରଭାରୀ ଜିତେନ୍ଦ୍ର ସିଂହ ଜିଲ୍ଲାସ୍ତରରେ କଂଗ୍ରେସ ନେତା ଚୟନ ନେଇ ସମୀକ୍ଷା ବୈଠକ କରୁଥିଲେ। କଟକ ନଗର, ଖୋର୍ଦ୍ଧା ଓ ଭୁବନେଶ୍ବର ଜିଲ୍ଲା ସାଂଗଠନିକ ସ୍ଥିତି ନେଇ ଆଲୋଚନା କରିଥିଲେ। କଟକ ନଗର କଂଗ୍ରେସ ସଂଗଠନ ନେଇ ଆଲୋଚନା କରିବା ବେଳେ ନିରଞ୍ଜନଙ୍କୁ ହଟାଇ ବିଧାୟକ ମହମ୍ମଦ ମୋକିମଙ୍କୁ ସଭାପତି କରିବା ପାଇଁ କର୍ମୀମାନେ ଦାବି କରିଥିଲେ। ଏ ନେଇ ପିସିସି ସଭାପତିଙ୍କ ସପକ୍ଷ ଓ ବିପକ୍ଷ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଛାତ୍ର କଂଗ୍ରେସ ଆବାହକ ପଦରୁ ନିଲମ୍ବିତ ନେତା ଇତିଶ ପ୍ରଧାନ ଧାରଣାରେ ବସିଥିଲେ। ତାଙ୍କୁ ବିନା ନୋଟିସରେ ନିଲମ୍ବନକୁ ବିରୋଧ କରି ଧାରଣାରତ ଇତିଶଙ୍କ ସମର୍ଥକ ପାଟିତୁଣ୍ଡ କରିଥିଲେ।
ସକାଳେ ଏପରି ମୁହାଁମୁହିଁ ପରିସ୍ଥିତି ହୋଇଥିଲେ ବି ଅପରାହ୍ନରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏ ନେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କି ରାଜ୍ୟ ପ୍ରଭାରୀ ଶ୍ରୀ ସିଂହ ପଦୁଟିଏ ମୁହଁ ଖୋଲିନଥିଲେ। କେବଳ ଦଳୀୟ ସଂଗଠନ ନେଇ ଜିଲ୍ଲା ସ୍ତରୀୟ ନେତା ଚୟନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଥିଲେ। ଗତ ୪ ଦିନ ଭିତରେ ୧୬ଟି ଜିଲ୍ଲାର ପ୍ରତିନିଧିଙ୍କ ସହ ସେ ଆଲୋଚନା କରିଥିବା କହିଥିଲେ। ସେହିପରି କେନ୍ଦ୍ର ନଗର ଉନ୍ନୟନ ବିଭାଗ ସଂସଦୀୟ ସ୍ଥାୟୀ କମିଟି ଗସ୍ତରେ ଆସିଥିବା ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଦିଗବିଜୟ ସିଂହ ବିଜେଡି-ବିଜେପିର ଭିତିରି ବୁଝାମଣା ନେଇ ଅଭିଯୋଗ କରିଥିଲେ।

ସାଂସଦ ଦିଗବିଜୟଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି। ଦଳୀୟ ମୁଖପାତ୍ର ଲେନିନ୍‌ ମହାନ୍ତି ପ୍ରେସ୍ ବିବୃତିରେ ଜଣାଇଛନ୍ତି ଯେ କଂଗ୍ରେସର ଏହି ନେତା ତାଙ୍କର ହାଲୁକା ଓ ବିବାଦୀୟ ମନ୍ତବ୍ୟ ପାଇଁ ସମଗ୍ର ଦେଶରେ ବେଶ ଜଣାଶୁଣା। ଦିଗବିଜୟଙ୍କୁ ଜବାବ ଦେଇ ଦଳର ଅନ୍ୟତମ ମୁଖପାତ୍ର ତଥା ସାଂସଦ ସସ୍ମିତ୍ ପାତ୍ର କହିଛନ୍ତି ଯେ ଶ୍ରୀ ସିଂହ ହାଲୁକା ମନ୍ତବ୍ୟ ପାଇଁ କଂଗ୍ରେସ ଦଳ ବାରମ୍ବାର ଲୋକହସା ହେବାର ନଜିର ରହିଛି। ତାଙ୍କର ଏପରି ବୟାନ କିଛି ଗୁରୁତ୍ବ ବହନ କରେନି କି ଦଳ ତାଙ୍କୁ ଗୁରୁତ୍ବ ଦେଉନି।

ସମ୍ବନ୍ଧିତ ଖବର