ଭୁବନେଶ୍ୱର : କୋରାପୁଟ ଜିଲ୍ଲା ବୋରିପୁଟ ପଥର ଖାଦାନରେ ପାହାଡ଼ ଧସି ୨ ଜଣ ଜେସିବି ଅପରେଟର୍ ଚାପି ହୋଇ ରହିବା ଘଟଣାରେ ଡିଡି ବିଲ୍ଡର୍ସକୁ ଦାୟୀ କରି ସଂସ୍ଥା ବିରୋଧରେ ସ୍ୱର ଉଠାଇଛି ନିଖିଳ ଓଡ଼ିଶା ଠିକାଦାର ମହାସଂଘ। ବିଲ୍ଡର୍ସ ସଂସ୍ଥାର ଅବହେଳାରୁ ଏପରି ହୋଇଥିଲେ ହେଁ ତୃତୀୟ ମହଲା ସହ ସମ୍ପୃକ୍ତ ସଂସ୍ଥାର ଦେଣନେଣ ଚାଲୁଥିବାରୁ ଏଭଳି ଏକ ବଡ଼ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହେଉଛି ବୋଲି ମହାସଂଘର ସଭାପତି ପ୍ରଭାତ ଦାଶ ଅଭିଯୋଗ କରିଛନ୍ତି।
ଆଜି କେଶରୀ ହୋଟେଲ୍ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ମତ ରଖି ଶ୍ରୀ ଦାଶ କହିଲେ, ସଂପୃକ୍ତ ସଂସ୍ଥାର ଅକ୍ଷମତା ଓ ଅଯୋଗ୍ୟ ପଣିଆରୁ ଏପରି ଘଟିଛି। ମାତ୍ର ଏପରି ସ୍ଥଳେ ତାଙ୍କୁ ଭୁବନେଶ୍ୱରରେ ଅଧା ଥିବା ବମିଖାଲ ଫ୍ଲାଇ ଓଭର୍ ସମ୍ପୂର୍ଣ୍ଣ କରିବା କାମ ଦିଆଯାଇଛି। ସରକାରଙ୍କ ଏ ନିଷ୍ପତ୍ତି ନିନ୍ଦନୀୟ। ତେଣୁ ଓଡ଼ିଶା ସରକାର ସମ୍ପୃକ୍ତ ବିଲ୍ଡର୍ସ ସଂସ୍ଥାକୁ ତୁରନ୍ତ ଫ୍ଲାଇ ଓଭର କାମରୁ ହଟାନ୍ତୁ। ଏଥିସହ ବୋରିପୁଟ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତ ବ୍ୟକ୍ତିଙ୍କୁ ୨୫ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ସହିତ ସମ୍ପୃକ୍ତ ସଂସ୍ଥାର କର୍ତୃପକ୍ଷଙ୍କୁ ତୁରନ୍ତ ଗିରଫ କରିବାକୁ ଶ୍ରୀ ଦାଶ ଦାବି କରିଛନ୍ତି। ନଚେତ ଆସନ୍ତା ୧୧ ତାରିଖରେ ବିଭାଗୀୟ ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବ ବୋଲି ଶ୍ରୀ ଦାଶ କହିଛନ୍ତି। ତେବେ ଏନେଇ ପୂର୍ତ ବିଭାଗ ଭୁବନେଶ୍ୱର ସର୍କଲ୍ର ଅଧୀକ୍ଷଣ ଯନ୍ତ୍ରୀ ରଂଜିତ ସାହୁଙ୍କୁ ପଚାରିବାରେ, ଡିଡି ବିଲ୍ଡର୍ସକୁ ବମିଖାଲ ଓଭରବ୍ରିଜ୍ର ବାକି ଥିବା କାମ ଦିଆଯାଇ ନାହିଁ ବୋଲି ସେ କହିଛନ୍ତି।
ଦୀର୍ଘଦିନ ହେବ ସରକାର ଓଡ଼ିଆ ଠିକାଦାରଙ୍କୁ ବାଦ ଦେଇ ଅଣଓଡ଼ିଆଙ୍କୁ କାମ ଦେଉଥିବା ବେଳେ ଏହାକୁ ମହାସଂଘ ତୀବ୍ର ନିନ୍ଦା କରିଛି। ସେହିପରି ଗୁରୁପ୍ରିୟା ସେତୁକୁ ଯେତିକି ଲାଇନର ଲଗେଇ କାମ କରିବା କଥା ତାହା କରାଯାଇ ନଥିବା ଅଭିଯୋଗ ହୋଇଛି। ଗୁରୁପ୍ରିୟା ସେତୁ ଭିତରେ ଯେତିକି ମାଟି ପୋତା ଯାଇଛି ତାକୁ ସମ୍ପୂର୍ଣ୍ଣ ରୂପେ ନ କାଢ଼ିଲେ ଗୁରୁପ୍ରିୟା ଜଳ ଭଣ୍ଡାର ସମ୍ପୂର୍ଣ୍ଣ ରୂପେ ଅକାମୀ ହୋଇଯିବ ବୋଲି ମହାସଂଘର ସମ୍ପାଦକ ଭାଗ୍ୟଧର ଦାଶ ଏବଂ ଇଂ ନିଖିଳେଶ୍ୱର ସାହୁ କହିଛନ୍ତି।