ଗ୍ରାମ ସଡ଼କ ନିର୍ମାଣରେ ଓଡ଼ିଶା ପ୍ରଥମ : ବର୍ଷକୁ ହାରାହାରି ୨୦୦ ସେତୁ ନିର୍ମାଣ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତ ଆର୍ଥିକ ବର୍ଷରେ ୭୧୭୬ କି.ମି. ରାସ୍ତା ନିର୍ମାଣ କରିଥିବାରୁ ଏହି ଗୌରବର ଅଧିକାରୀ ହୋଇପାରିଛି। ସେହିପରି ବର୍ଷକୁ ହାରାହାରି ୨୦୦ରୁ ଅଧିକ ସେତୁ ନିର୍ମାଣ କରି ରେକର୍ଡ ହୋଇପାରିଛି।

ଆଜି ଗ୍ରାମ୍ୟ ନିର୍ମାଣ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟାବଳୀ ଓ ଅଗ୍ରଗତି ନେଇ ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସନ୍ତୋଷ ପ୍ରକାଶ କରିଥିଲେ। ସୂଚନାନୁସାରେ ଚଳିତ ବର୍ଷ ବିଜୁ ସେତୁ ଓ ଅନ୍ୟାନ୍ୟ ସେତୁ ଯୋଜନାରେ ୨୫୦ଟି ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣ ଯୋଜନାରେ ୮ ହଜାର କି.ମି. ସଡ଼କ ନିର୍ମାଣ କରି ୨୫୦୦ଟି ଗ୍ରାମକୁ ସବୁଦିନିଆ ସଡ଼କ ସଂଯୋଗ କରିବାକୁ ନିଷ୍ପତ୍ତିି ହୋଇଛି। ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୩୨୦ଟି ଓ ଅନ୍ୟାନ୍ୟ ଯୋଜନାରେ ଅବଶିଷ୍ଟ ଗ୍ରାମଗୁଡ଼ିକୁ ସଂଯୋଗୀକରଣ ସଡ଼କ ନିର୍ମାଣ କରାଯିବାର କାର୍ଯ୍ୟକ୍ରମ ରହିଛି।

ବିଭାଗର ସଫଳତା ନେଇ ମନ୍ତ୍ରୀ ଶ୍ରୀ ଆରୁଖ ବିଭାଗୀୟ ଯନ୍ତ୍ରୀମାନଙ୍କର ନିଷ୍ଠାପର ଉଦ୍ୟମକୁ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୩-ଟି ସହିତ ୩-ଡି ମନ୍ତ୍ର(ସଂକଳ୍ପ, ଉତ୍ସର୍ଗୀକୃତ ସେବା ଓ ନିଷ୍ଠା)କୁ ଆପଣେଇ ବିଭାଗୀୟ କାର୍ଯ୍ୟକ୍ରମକୁ ତ୍ୱରାନ୍ଵିତ କରିବାକୁ ସେ ପରାମର୍ଶ ଦେଇଥିଲେ। ବୈଠକରେ ବିଭାଗୀୟ ପ୍ରମୁଖ ସଚିବ ଡ. ମୋନା ଶର୍ମା, ସର୍ବୋଚ୍ଚ ଯନ୍ତ୍ରୀ ଜଗନ୍ନାଥ ପଟେଲ୍‌, ମୁଖ୍ୟ ଯନ୍ତ୍ରୀ ବି.ଏନ୍‌. ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର