ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଗତ ୨୦୧୭-୧୮ ଅର୍ଥାତ୍ ବର୍ଷକରେ ଓଡ଼ିଶା ୭୧୭୬ କି.ମି. ରାସ୍ତା ନିର୍ମାଣ କରିଛି। ଏହି ସଫଳତା ରାଜ୍ୟକୁ ଏକ ନମ୍ବର ସ୍ଥାନକୁ ଉନ୍ନୀତ କରିଛି। ଏହା ସହିତ ବର୍ତମାନ ସୁଦ୍ଧା ରାଜ୍ୟରେ ୪୭୮୭୬ କି.ମି.ରୁ ଅଧିକ ରାସ୍ତା ନିର୍ମାଣ ସଂପୂର୍ଣ୍ଣ କରି ଦେଶରେ ଅଗ୍ରଣୀ ରାଜ୍ୟର ମାନ୍ୟତା ପାଇଛି ଓଡ଼ିଶା। କେବଳ ସେତିକି ନୁହେଁ, ଉଭୟ ପରିବେଶ ଅନୁକୂଳ କୌଶଳ ପ୍ରୟୋଗ ଏବଂ ଅଣସଂଯୁକ୍ତ ଗ୍ରାମମାନଙ୍କୁ ସଡ଼କ ଯୋଗାଯୋଗ ସ୍ଥାପନ କରିବାରେ ରାଜ୍ୟ ୨ୟ ସ୍ଥାନ ଅଧିକାର କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ମଞ୍ଜୁରି କମିଟି ବୈଠକରେ ଉପରୋକ୍ତ ସୂଚନା ମିଳିଛି। ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ମୋନା ଶର୍ମା କହିଥିଲେ, ବର୍ତମାନ ସୁଦ୍ଧା ରାଜ୍ୟରେ ସବୁଜ ଜ୍ଞାନ କୌଶଳ ପ୍ରୟୋଗ କରି ପ୍ରାୟ ୨ ହଜାର କି.ମି. ରାସ୍ତା ନିର୍ମାଣ କରାଯାଇଛି। ରାସ୍ତା ନିର୍ମାଣରେ ବର୍ଜ୍ୟପ୍ଲାଷ୍ଟିକ, ବର୍ଜ୍ୟ ଷ୍ଟିଲ୍ ସ୍ଲାଗ୍, ନାନୋ ଟେକ୍ନୋଲୋଜି, କୋଲ୍ଡ ମିକ୍ସ ଟେକ୍ନୋଲୋଜି, ସିମେଣ୍ଟ ଷ୍ଟାବିଲାଇଜେସନ, ଜିଓ-ଟେକ୍ସଟାଇଲ୍ ଓ ସବ୍ଗ୍ରେଡ୍ ଆଦି ନୂଆ ଜ୍ଞାନକୌଶଳ ବ୍ୟବହାର କରାଯାଇଛି। ଏହି କୌଶଳ ମାଧ୍ୟମରେ ଚଳିତ ବର୍ଷ ୧୭୦୦ କି.ମି. ରାସ୍ତା ନିର୍ମାଣ କରାଯିବ। ଏହି ପରିପ୍ରେକ୍ଷୀରେ ରାଜ୍ୟର ୬ଟି ପୌର ନିଗମରୁ ବାହାରୁଥିବା ବର୍ଜ୍ୟପ୍ଲାଷ୍ଟିକର ଶତପ୍ରତିଶତ ବ୍ୟବହାର କରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ।
ସୂଚନାନୁସାରେ ଏ ବର୍ଷ ପ୍ରାୟ ୧୦୪୩ କୋଟି ବ୍ୟୟରେ ପ୍ରାୟ ୮ ହଜାର କି.ମି. ରାସ୍ତା ନିର୍ମାଣର ଲକ୍ଷ୍ୟ ସ୍ଥାପନ କରାଯାଇଛି। ଏହି ରାସ୍ତା ନିର୍ମାଣ ହେଲେ ପ୍ରାୟ ୨୫୦୦ ଗ୍ରାମ ସହିତ ସଂଯୋଗ ସ୍ଥାପନ ହୋଇପାରିବ। ତେବେ ଏହି ଲକ୍ଷ୍ୟକୁ ବୃଦ୍ଧି କରି ୧୦ ହଜାର କି.ମି. ରାସ୍ତା ନିର୍ମାଣ କରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଛନ୍ତି।