କ୍ରାଇମ୍‌ବ୍ରାଞ୍ଚର ବ୍ୟାଙ୍କ ଡକାୟତି ସମୀକ୍ଷା : ‘ଶୁକ୍ରବାର’କୁ ସତର୍କ ରୁହ

କଟକ : ଗ୍ରାହକଙ୍କ ଅଜାଣତରେ ଯଦି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ୍‌ ହୁଏ ତେବେ ସେଥିପାଇଁ ଦାୟୀ ରହିବ ସଂପୃକ୍ତ ବ୍ୟାଙ୍କ। ସେହି ଟଙ୍କା ଗ୍ରାହକଙ୍କୁ ବ୍ୟାଙ୍କ ହିଁ ଫେରସ୍ତ କରିବ। ସେମାନଙ୍କୁ ଆଉ ଥାନା ଅଥବା କ୍ରାଇମବ୍ରାଞ୍ଚ ସାଇବର୍‌ ଥାନାକୁ ଅଭିଯୋଗ ନେଇ ଯିବା ପାଇଁ ପରାମର୍ଶ ଦେଇ ପାରିବ ନାହିଁ। ଆର୍‌ବିଆଇ ପକ୍ଷରୁ ପୂର୍ବରୁ ଏ ସମ୍ପର୍କରେ ନିର୍ଦ୍ଦେଶନାମା ଜାରି କରାଯାଇଥିଲେ ସୁଦ୍ଧା ଓଡ଼ିଶାର ବ୍ୟାଙ୍କ ତାହାକୁ କାର୍ଯ୍ୟକାରୀ କରୁନଥିଲେ। ଗତକାଲି ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସମସ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଏହି ନିୟମ ପାଳନ ପାଇଁ ତାଗିଦ କରିଛନ୍ତି। ଆର୍‌ବିଆଇର ଏ ପ୍ରକାର ନିୟମ ସମ୍ପର୍କରେ ବ୍ୟାଙ୍କ ଶାଖା ଏବଂ ଏଟିଏମ୍‌ କାଉଣ୍ଟରରେ ଓଡ଼ିଆରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ସବୁ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟରେ ଲଗାତର ଏକ ସପ୍ତାହ ମଧ୍ୟରେ ତିନିଟି ବଡ଼ ଧରଣର ବ୍ୟାଙ୍କ ଡକାୟତି ହୋଇଥିଲା। ମାର୍ଚ୍ଚ ୩୧ ତାରିଖରେ କଟକ ଜଗତପୁର ଆହ୍ଲାବାଦ୍‌ ବ୍ୟାଙ୍କ ସାମ୍‌ନାରୁ ୨୭ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ବେଳେ ଏପ୍ରିଲ୍‌ ୬ ତାରିଖରେ ନୟାଗଡ଼ ରଣପୁର ଗ୍ରାମ୍ୟବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଓ ସୁନାଗହଣା ଏବଂ ୭ ତାରିଖରେ ଅନୁଗୁଳ ଆନ୍ଧ୍ର ବ୍ୟାଙ୍କରୁ ୨୫ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟ୍‌ ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

ଏହି ଘଟଣା ଗୁଡିକର ଅନୁଧ୍ୟାନ ପାଇଁ ପୁଲିସ ଡିଜି ୯ ତାରିଖରେ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ଆଧାରରେ ଗତକାଲି କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅର୍ଥନୈତିକ ଅପରାଧ ଶାଖା କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଆୟୋଜନ କରିଥିଲେ। ଏଥିରେ ରାଜ୍ୟର ପ୍ରମୁଖ ୩୫ଟି ବ୍ୟାଙ୍କର ନୋଡାଲ୍‌ ଅଫିସର ଭାଗ ନେଇଥିଲେ। ଗ୍ରାହକଙ୍କ ଜମା ଟଙ୍କା ସୁରକ୍ଷା ଏବଂ ବ୍ୟାଙ୍କର ସିକ୍ୟୁରିଟି ଅଡିଟ୍‌ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସାଧାରଣ ବ୍ୟାଙ୍କ ଜମାଖାତାରୁ ଟଙ୍କା ଗାଏବ ଘଟଣାରେ ଗ୍ରାହକଙ୍କ ଅଭିଯୋଗ ବ୍ୟାଙ୍କ କର୍ତ୍ତୃପକ୍ଷ ଶୁଣୁନଥିବାରୁ ସେମାନଙ୍କ ଉପରେ ବର୍ଷିଥିଲେ ଏଡିଜି। ଆର୍‌ବିଆଇର ଗାଇଡ୍‌ଲାଇନ୍‌ ଅନୁଯାୟୀ, ବ୍ୟାଙ୍କ ଏ ସମ୍ପର୍କରେ ଅନୁଧ୍ୟାନ କରି ଟଙ୍କା ଫେରସ୍ତ ଦିଗରେ କାର୍ଯ୍ୟ କରିବ।

ଏହା ବ୍ୟତୀତ ଏଣିିକି ବ୍ୟାଙ୍କ ଶାଖାର ମୁଖ୍ୟ ଫାଟକରେ ମେଟାଲ୍‌ ଡିଟେକ୍ଟର ଲଗାଯିବ। କୌଣସି ଅପରାଧୀ ଡକାୟତି କରିବା ପାଇଁ ବନ୍ଧୁକ କିମ୍ବା କୌଣସି ମାରଣାସ୍ତ୍ର ନେଇ ବ୍ୟାଙ୍କକୁ ପ୍ରବେଶ କଲେ ଆଗୁଆ ସତର୍କତା ଜାରି ହୋଇପାରିବ। ବ୍ୟାଙ୍କ କର୍ମଚାରୀ ବଡ଼ି କ୍ୟାମେରା କିମ୍ବା ସ୍ପାଏ କ୍ୟାମେରା ବ୍ୟବହାର କରିବେ। ବ୍ୟାଙ୍କରେ ସାଧାରଣତଃ ଦିନ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅଧିକ ପରିମାଣରେ ଟଙ୍କା କାରବାର ହେଉଛି। ଏହି ସମୟରେ ଡକାୟତି ହେଉଥିବାରୁ ବ୍ୟାଙ୍କରେ ଖଞ୍ଜା ହୋଇଥିବା ସିସି କ୍ୟାମେରା ଫୁଟେଜ୍‌ର ଲାଇଭ୍‌ ଜଣେ କର୍ମଚାରୀ ଦେଖିବାକୁ ଆଜି ଏଡିଜି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ଅର୍ଦ୍ଧାଧିକ ବ୍ୟାଙ୍କରେ ଖଞ୍ଜା ହୋଇଥିବା ସିସି କ୍ୟାମେରା ଫୁଟେଜ୍‌ର ଲାଇଭ୍‌ ଭିଡିଓ ଦେଖିବାକୁ କୌଣସି ସ୍ୱତନ୍ତ୍ର କର୍ମଚାରୀ ନିଯୁକ୍ତ ହୋଇନଥିବାରୁ ବ୍ୟାଙ୍କରେ ଡକାୟତି ଘଟାଇବା ପାଇଁ ସନ୍ଦିଗ୍ଧ ଅପରାଧୀଙ୍କ ଉପରେ ନଜର ରଖାଯାଇ ପାରୁ ନଥିଲା। ଉଭୟ ବ୍ୟାଙ୍କ ଏବଂ ଏଟିଏମ୍‌ରେ ନାଇଟ୍‌ ଭିଜନ କ୍ୟାମେରା ଖଞ୍ଜିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଣିକି ସମସ୍ତ ବ୍ୟାଙ୍କକୁ ହଟ୍‌ ଲାଇନ୍‌ କନେକ୍ଟିଭିଟି କିମ୍ବା ଅଟୋ ଡାଏଲ୍‌ ସିଷ୍ଟମ ମାଧ୍ୟମରେ ନିକଟସ୍ଥ ଥାନାକୁ ସଂଯୋଗ କରାଯିବ। ଯଦ୍ୱାରା ବ୍ୟାଙ୍କରେ ଡକାୟତି ହେବା ମାତ୍ରେ ଥାନାକୁ ସ୍ୱୟଂଚାଳିତ ଭାବେ ଏକ ଫୋନ୍‌ କଲ୍‌ ଯିବ। ପୁଲିସ ପହଞ୍ଚି ଡକାୟତିକୁ ପଣ୍ଡ କରିବାରେ ସହାୟ ହୋଇପାରିବ। ବ୍ୟାଙ୍କରେ ଥିବା ଆଲାରାମ ସିଷ୍ଟମ୍‌କୁ ୟୁପିଏସ୍‌ ସହିତ ସଂଯୋଗ କରାଯିବାକୁ ପରାମର୍ଶ ଦିଆଯାଇଛି। ଅପରାଧୀମାନେ ବ୍ୟାଙ୍କର ବିଦ୍ୟୁତ ସଂଯୋଗ କାଟିଦେଲେ ମଧ୍ୟ ୟୁପିଏସ୍‌ କରେଣ୍ଟ ସହାଯ୍ୟରେ ଆଲାରାମ ବାଜିପାରିବ। ନିକଟରେ ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଏସ୍‌ବିଆଇରେ ଏକ ବ୍ୟାଙ୍କ ଡକାୟତି ହୋଇଥିଲା। ଦୁର୍ବୃତ୍ତମାନେ ବ୍ୟାଙ୍କର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଥିଲେ ସୁଦ୍ଧା ଆଲାରାମ୍‌ଟି ୟୁପିଏସ୍‌ ସହିତ ସଂଯୋଗ ହୋଇଥିବାରୁ ଡକାୟତି ଦଳ ଖସି ପଳାଇ ଥିଲେ।

ରାଜ୍ୟରେ ଶୁକ୍ରବାର ଦିନ ଡକାୟତି ଅଧିକ ପରିମାଣରେ ହେଉଥିବା କ୍ରାଇମ୍‌ବ୍ରାଞ୍ଚର ଏକ ସମୀକ୍ଷା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ତେଣୁ ସେହି ଦିନଗୁଡ଼କରେ ଜିଲ୍ଲା ସ୍ତରରେ ଏସ୍‌ପିମାନଙ୍କୁ ବ୍ୟାଙ୍କରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ତିନି ମାସରେ ଥରେ ଏସ୍‌ପି ସ୍ତରରେ ସମ୍ପୃକ୍ତ ଜିଲ୍ଲାର ବ୍ୟାଙ୍କ ଅଧିକାରୀଙ୍କୁ ଡାକି ଏକ ସ୍ୱତନ୍ତ୍ର ବୈଠକ ଆୟୋଜନ କରିବେ। ଏଥିରେ ବ୍ୟାଙ୍କର ସୁରକ୍ଷା ବ୍ୟବସ୍ଥା ସମେତ ଟଙ୍କା ଲୁଟ୍‌ ରୋକିବା ଏବଂ ମାମଲା ପରିଚାଳନା ସମ୍ପର୍କରେ ଆଲୋଚନା କରାଯିବ। ଏଥିପାଇଁ ଆଜି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଜିଲ୍ଲାସ୍ତରର ଏସ୍‌ପି ଏବଂ କମିସନରେଟ୍‌ ପୁଲିସର ଡିସିପିଙ୍କ ଉଦ୍ଦେଶ୍ୟରେ ଏକ ଏସ୍‌ଓପି(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର) ଜାରି କରାଯାଇଛି।

ଗତକାଲି କଟକ ବକ୍ସିବଜାର କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟରେ ଏଜିଜି ଶ୍ରୀ ଉପାଧ୍ୟାୟ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବ୍ୟାଙ୍କରେ ସିସି କ୍ୟାମେରା ଠିକ୍‌ରେ ରେକର୍ଡ ହେଉଛି ନା ନାହିଁ ଏବଂ ସର୍ଭର କାମ କରୁଛି ନା ନାହିଁ, ସେ ନେଇ ତୁରନ୍ତ ଅନୁଧ୍ୟାନ କରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର