ଏବେ ‘ଅଲିଭିଆ’ ଆତଙ୍କ : ଛାତ୍ରଛାତ୍ରୀଙ୍କୁ ସତର୍କ କରାଇଲା କ୍ରାଇମ୍‌ବ୍ରାଞ୍ଚ

କଟକ : ବ୍ଲୁ ହେ୍ଵଲ୍‌, କିକି ଚ୍ୟାଲେଞ୍ଜ, ମୋମୋ ପରେ ଓଡ଼ିଶାରେ ଏବେ ପଶିଛି ଅଲିଭିଆ। ହ୍ଵାଟସ୍‌ଆପ୍‌ରେ ଆସୁଥିବା ଏକ ଅନ୍‌ଲାଇନ୍‌ ସ୍ପାମ୍‌ ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ କରୁଛି। ମୁଖ୍ୟତଃ କୋମଳମତି ଶିଶୁଙ୍କ ପ୍ରାଣହାନୀ କରିବାକୁ ବିଦେଶର ସାଇବର୍‌ ଅପରାଧୀ ଏ ପ୍ରକାର ସ୍ପାମ୍‌ ବ୍ୟବହାର କରୁଥିବା କୁହାଯାଉଛି। ଓଡ଼ିଶାରେ ଅଲିଭିଆ ପଶିବା ପରେ ଆତଙ୍କ ସୃଷ୍ଟି ହେଲାଣି। ଆଜି ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଅବିଭାବକ ଏବଂ ଛାତ୍ରଛାତ୍ରୀଙ୍କୁ ଆଗୁଆ ସତର୍କ କରିଦିଆଯାଇଛି। କୌଣସି ଅଜଣା ମୋବାଇଲ୍‌ ନମ୍ବରରୁ ଆସୁଥିବା ମେସେଜ୍‌କୁ ଇନ୍‌ବକ୍ସରେ ନଖୋଲିବାକୁ ପରାମର୍ଶ ଦିଆଯାଇଛି। ପିଲାମାନଙ୍କ ନିକଟରୁ ମୋବାଇଲ୍‌କୁ ଦୂରେଇ ରଖିବାକୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୁହାଯାଇଛି।

ଅଲିଭିଆ ହୋକ୍ସ ଏକ ଅନ୍‌ଲାଇନ୍‌ ହ୍ଵାଟସ୍‌ଆପ୍‌ ସ୍ପାମ୍‌। ମୁଖ୍ୟତଃ ଛାତ୍ରଛାତ୍ରୀଙ୍କୁ ଏହି ସ୍ପାମ୍‌ ଟାର୍ଗେଟ କରୁଛି। ପ୍ରଥମେ ଏହି ସ୍ପାମ୍‌ ଛାତ୍ର କିମ୍ବା ଛାତ୍ରୀଙ୍କୁ ମେସେଜ୍‌ ପଠାଇ ଜଣେ ବନ୍ଧୁଙ୍କ ବନ୍ଧୁ ଭାବରେ ନିଜକୁ ପରିଚୟ ଦେଉଛି। ସେ ନୂଆ ନମ୍ବର ଆଣିଥିବାରୁ ଏହି ନମ୍ବରଟି ସେଭ୍‌ କରିବାକୁ ଅଲିଭିଆ କହୁଛି। ସମ୍ପୃକ୍ତ ଛାତ୍ର କିମ୍ବା ଛାତ୍ରୀ ସେଭଳି ସେଭଳି କୌଣସି ବନ୍ଧୁଙ୍କୁ ଚିହ୍ନିନଥିବା କହିଲେ, ଅଲିଭିଆ ଅନେକ ଦିନ ତଳେ ସେମାନଙ୍କର ଏକ ଗ୍ରୁପ୍‌ ଫଟୋ ହ୍ଵାଟସ୍‌ଆପ୍‌ରେ ପଠାଇବାକୁ ସାଙ୍ଗେସାଙ୍ଗେ କହୁଛି। ଆଉ ଅଲିଭିଆ ଏକ ଫଟୋ ମଧ୍ୟ ପଠାଉଛି। ଲିଙ୍କ୍‌ଟି ଖୋଲିଲେ ସେଥିରେ ଗ୍ରୁପ ଫଟୋ ଥିବା କଥା ଦାବି କରୁଛି ଅଲିଭିଆ। ଲିଙ୍କ୍‌ ଖୋଲିବା ମାତ୍ରକେ ମୋବାଇଲ୍‌ ହ୍ୟାକ୍‌ ଏବଂ ଛାତ୍ର କିମ୍ବା ଛାତ୍ରୀଙ୍କ ଜୀବନ ପ୍ରତି ବିପଦ ରହିଛି। ଅନ୍ୟପଟେ ଅଲିଭିଆ ନିଜକୁ ହ୍ଵାଟସ୍‌ଆପ୍‌ର ସ୍ୱୀକୃତିପ୍ରାପ୍ତ ଏକ ସଂସ୍ଥା ବୋଲି ଦାବି କରୁଛି। କିନ୍ତୁ ହ୍ଵାଟସ୍‌ଆପ୍‌ କର୍ତ୍ତୃପକ୍ଷ ଏହାକୁ ସିଧାସଖଳ ଖଣ୍ଡନ କରିଛନ୍ତି। ଅଲିଭିଆ ଏକ ଅନ୍‌ଲାଇନ୍‌ ସ୍ପାମ୍‌ ହୋଇଥିବା ବେଳେ ଅଜଣା ନମ୍ବରରୁ ହ୍ଵାଟସ୍‌ଆପରେ ଆସୁଥିବା କୌଣସି ମେସେଜ୍‌ କିମ୍ବା ଫୋନ୍‌ କଲ୍‌ର ପ୍ରତିଉତ୍ତର ନଦେବାକୁ ପରାମର୍ଶ ଦିଆଯାଇଛି। ବରଂ ଉକ୍ତ ନମ୍ବର ବ୍ଲକ୍‌ କରିବା ସହିତ ମେସେଜ୍‌ ଡିଲିଟ୍‌ କରିଦେବାକୁ ହ୍ଵାଟସ୍‌ଆପ୍‌ ପକ୍ଷରୁ କୁହାଯାଇଛି। ଅଲିଭିଆ ଛାତ୍ର କିମ୍ବା ଛାତ୍ରୀଙ୍କୁ ପଠାଉଥିବା ମେସେଜ୍‌ ଅନ୍ୟ ବନ୍ଧୁଙ୍କୁ ଫର୍‌ଓ୍ଵାର୍ଡ କରିବାକୁ କହୁଥିବାରୁ ଏହାକୁ ଅଣଦେଖା କରିବାକ ଜରୁରୀ। ନଚେତ୍‌ ଅଲିଭିଆ ଫାସରେ ପଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି।

ରାଜ୍ୟର କୋମଳମତି ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ଆଜି କ୍ରାଇମ୍‌ବ୍ରାଞ୍ଚ ଅଲିଭିଆର କାର୍ଯ୍ୟକଳାପ ଉପରେ ଅନୁଧ୍ୟାନ କରାଯାଇଛି। କେଉଁ ଢଂଗରେ ହ୍ଵାଟସ୍‌ଆପ୍‌ରେ ମେସେଜ୍‌ ଆସୁଛି ଏବଂ ଛାତ୍ରଛାତ୍ରୀଙ୍କ ପ୍ରତି କି ପ୍ରକାର ବିପଦ ସୃଷ୍ଟି କରୁଛି, ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ହ୍ଵାଟସଆପ୍‌ରେ କୌଣସି ସନ୍ଦେହଜନକ ମେସେଜ୍‌ ଆସିଲେ ତାକୁ ଅଣଦେଖା କରିବାକୁ କୁହାଯାଇଛି। ମୋବାଇଲ୍‌ରେ ପିଲାମାନେ କେଉଁ ପ୍ରକାର ଆପ୍ଲିକେସନ୍‌ ବ୍ୟାବହାର କରୁଛନ୍ତି ଏବଂ କେଉଁ ବନ୍ଧୁଙ୍କ ସହିତ କି ପ୍ରକାର ଉଦ୍ଦେଶ୍ୟ ନେଇ ଯୋଗାଯୋଗରେ ରହୁଛନ୍ତି, ଏସବୁ ଉପରେ କଡ଼ା ନଜର ରଖିବାକୁ ଅବିଭାବକଙ୍କୁ ପରାମର୍ଶ ଦିଆଯାଇଛି। ହ୍ଵାଟସ୍‌ଆପ୍‌ ବାଦ୍‌ ଫେସ୍‌ବୁକ ଏବଂ ଟୁଇଟର୍‌ ପରି ସୋସିଆଲ୍‌ ମିଡିଆରେ ପିଲାଙ୍କ ଗତିବିଧି ଉପରେ ନଜର ରଖିବା କ୍ରାଇମ୍‌ବ୍ରାଞ୍ଚ ଆଜି ଏକ ନିର୍ଦ୍ଦେଶାବଳୀ ଜାରି କରିଥିବା କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ଓଡ଼ିଶାରେ ମୋମୋ ଗେମ୍‌ ଖେଳି ପ୍ରଥମେ ଭୁବନେଶ୍ୱରରେ ଇଞ୍ଜିନିୟରିଂ ପଢ଼ୁଥିବା ରାଉରକେଲାର ଚେତନ୍‌ କୁମାର ଚେନ୍ନାଇରେ ଯାଇ ଆତ୍ମହତ୍ୟା କରିଥିଲେ। ପରେ କଟକ ମାହାଙ୍ଗାର ଉମାକାନ୍ତ ବେହେରା ଆତ୍ମହତ୍ୟା କରିବା ଏବଂ କଟକ ମଧୁପାଟଣା କାଜିଢ଼ିଅ ଶ୍ରୀରାମ ନଗର ଅଞ୍ଚଳର ଜଣେ ଛାତ୍ରୀଙ୍କୁ ମୋମୋ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିବା ବେଳେ ସେ ଅଳ୍ପକେ ବର୍ତ୍ତିଯାଇଥିଲେ। ଏହି ଘଟଣା ରାଜ୍ୟରେ ଆତଙ୍କ ଖେଳାଇଥିବା ବେଳେ ପୁଣି ଅଲିଭିଆ ଓଡ଼ିଶାକୁ ଆସିବା ପରେ ଅବିଭାବକ ଓ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଚିନ୍ତାର କାରଣ ହୋଇଛି।

ସମ୍ବନ୍ଧିତ ଖବର