ମହାକାଳପଡ଼ା ହାଜତମୃତ୍ୟୁ ଘଟଣା : କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ

କଟକ : ମହାକାଳପଡ଼ା ଥାନା ପୁଲିସ ହେପାଜତରେ ଥିବା ଅଭିଯୁକ୍ତ ଅବିନାଶ ପାଇଟାଳ ଓରଫ ମୂଷା ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। ପୁଲିସ୍‌ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ପରେ ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀ ତଦନ୍ତ ଭାର ଗ୍ରହଣ କରିଛନ୍ତି।

ଗତ ୨୫ ତାରିଖରେ ମହାକାଳପଡ଼ା ପୁଲିସ୍‌ ଏକ ଚୋରି ଅଭିଯୋଗରେ ଅବନିଶଙ୍କୁ ଥାନାକୁ ଆଣିଥିଲା। ୨୬ ତାରିଖରେ ତାଙ୍କ ଶବ ଥାନାଠୁ ଦେଢ଼ଶହ ମିଟର ଦୂରରେ ଥିବା ଏକ ଅର୍ଦ୍ଧନିର୍ମିତ କୋଠାରୁ ମିଳିବା ପରେ ତାଙ୍କ ପରିବାର ଲୋକେ ପୁଲିସ ବିରୋଧରେ ସିଧାସଳଖ ହତ୍ୟା ଅଭିଯୋଗ ଆଣିଥିଲେ । ପୁଲିସ ସଫେଇ ଦେଇଥିଲା କି, ସେଦିନ ରାତି ପ୍ରାୟ ୧୦ଟା ବେଳେ ଅବିନାଶ ଶୌଚ ଯିବାକୁ କହିବାରୁ ଦୁଇ କନେଷ୍ଟବଳ ତାଙ୍କୁ ବାହାରକୁ ଆଣିଥିଲେ। କିନ୍ତୁ ସେ ପାଚେରି ଡେଇଁ ଚମ୍ପଟ୍‌ ମାରି ଆତ୍ମହତ୍ୟା କରିଥିଲେ। କିନ୍ତୁ ଅବିନାଶଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନରୁ ପୁଲିସ ପିଟି ପିଟି ହତ୍ୟା କରିଥିବା ଜିଲ୍ଲା ପୁଲିସର ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଥିଲା। ଦୋଷ ଲୁଚାଇବାକୁ ଥାନା ପୁଲିସ ମିଛ କହିଥିବା ତଦନ୍ତରୁ ଜଣାପଡ଼ିଥିଲା। ମହାକାଳପଡ଼ା ଥାନାରେ ରୁଜୁ ହୋଇଥିବା ମାମଲା(୯୧) ଦଫା ୩୪୨, ୩୨୩, ୩୦୨, ୩୪ କ୍ରାଇମ୍‌ବ୍ରାଞ୍ଚକୁ ଆଜି ହସ୍ତାନ୍ତର କରାଯାଇଛି। କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଆଲୋକ ଦାସଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ତଦନ୍ତ ପ୍ରକ୍ରିୟାରେ ପ୍ରଥମେ ଜେରାର ସାମ୍‌ନା କରିବେ ମହାକାଳପଡ଼ାର ନିଲମ୍ବିତ ଥାନା ଅଧିକାରୀ ଶ୍ୟାମଘନ ବେହେରା। ଥାନାର ସିସି କ୍ୟାମେରା ଫୁଟେଜ୍‌କୁ ଯାଞ୍ଚ କରାଯିବ। ଯେଉଁ କନେଷ୍ଟବଳ ତାଙ୍କୁ ଶୌଚ କରିବାକୁ ବାହାରକୁ ଆଣିଥିବା କୁହାଯାଉଛି, ସେମାନଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯିବାକୁ କ୍ରାଇମ୍‌ବ୍ରାଞ୍ଚ ଯୋଜନା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର