ମାଓବାଦୀଙ୍କୁ ଡିଜିଙ୍କ ଚେତାବନୀ : ମୁଖ୍ୟସ୍ରୋତରେ ସାମିଲ ନହେଲେ ଜବାବ୍‌

କନ୍ଧମାଳ, ବଲାଙ୍ଗୀରରେ ପୁଲିସ୍‌ ଡିଜିଙ୍କ ସମୀକ୍ଷା

ବଲାଙ୍ଗୀର/ଫୁଲବାଣୀ : ମାଓବାଦୀଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଆଗାମୀ ଦିନରେ ଅପରେସନ୍‌କୁ କିଭଳି ସୁଦୃଢ଼ କରାଯିବ, ବଲାଙ୍ଗୀର ଓ କନ୍ଧମାଳଠାରେ ପୁଲିସ୍‌ ମହାନିର୍ଦ୍ଦେଶକ (ଡିଜି) ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ତାହାର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ସମୟରେ ବହୁ ପୁଲିସ୍‌ ପଦାଧିକାରୀ ଉପସ୍ଥିତ ଥିଲେ।

ଗୁରୁବାର ୧୨ଟା ୨୦ ସମୟରେ ଡିଜି ଡ.ଶର୍ମା, ବରିଷ୍ଠ ପୁଲିସ ଅଧିକାରୀ ସୁନୀଲ ରାୟ, ରାଧାକୃଷ୍ଣ ଶର୍ମା, ଏଡିଜି ଅପରେସନ୍‌ ଆର.ପି.କୋଚେ, ଏସ୍‌ଓଜି କମାଣ୍ଡେଣ୍ଟ ଅନିରୁଦ୍ଧ ସିଂ, ସୁନୀଲ ଉପାଧ୍ୟାୟ ପ୍ରମୁଖ ପବନହଂସ ଚୋପର୍‌ରେ ଆସି ବଲାଙ୍ଗୀରରେ ପହଞ୍ଚିଥିଲେ। ସେମାନଙ୍କୁ ଉତ୍ତରାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ବଲାଙ୍ଗୀର ଏସ୍‌ପି କେ.ସିଭା ସୁବ୍ରମଣି, ତାଲିମ ନେଉଥିବା ଆଇପିଏସ୍‌ ଖିଲାଡି ରିଷିିକେଶ, ସିଆର୍‌ପିଏଫ୍‌ କମାଣ୍ଡେଣ୍ଟ ଆନ୍ଥୋନୀ ଜେମ୍ସ ପ୍ରମୁଖ ସ୍ୱାଗତ କରିଥିଲେ। ଏହାପରେ ବଲାଙ୍ଗୀର ପୁଲିସ ମୁଖ୍ୟାଳୟକୁ ବରିଷ୍ଠ ପୁଲିସ ଅଧିକାରୀମାନେ ପହଞ୍ଚିବା ପରେ ମାଓ ଗତିବିଧି ଓ ରଣନୀତି ସଂପର୍କରେ ଆଲୋଚନା କରିଥିଲେ।

ଏଥିସହିତ, ଡିଜି ଡା. ଶର୍ମା କନ୍ଧମାଳଠାରେ ମାଓ ଅପରେସନ୍‌ ସମ୍ପର୍କରେ ଆଲୋଚନା କରିବା ସହିତ ରଣନୀତି ପ୍ରସ୍ତୁତ କରିଥିଲେ। ପୁଲିସ ବିଭାଗର ପଦସ୍ଥ ଅଧିକାରୀଙ୍କ ସହ ମାଓ ମୁକାବିଲା ନୀତି ସଂପର୍କରେ ସମୀକ୍ଷା ଡିଜି ଡ.ଶର୍ମା ମାଓ ଦମନ ଅପରେସନ୍‌ ପରିଚାଳନା କ୍ଷେତ୍ରରେ କ’ଣ କ’ଣ ପଦକ୍ଷେପ ନିଆଯିବ ସେ ନେଇ ଆଲୋଚନା କରିଥିଲେ। ପଦସ୍ଥ ପୁଲିସ ଅଧିକାରୀଙ୍କ ମଧ୍ୟରେ ଗୁଇନ୍ଦା ନିର୍ଦେଶକ ସୁନିଲ ରୟ, ଏଡିଜି(ଅପରେସନ୍‌) ଆର.ପି କୋଚେ, ଆଇଜି(ଅପରେସନ୍‌) ଘନଶ୍ୟାମ ଉପାଧ୍ୟୟ, ଆଇଜି(ଗୁଇନ୍ଦା) ଆର.କେ.ଶର୍ମା, ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ ସିଂ, କନ୍ଧମାଳ ଏସ୍‌ପି ପ୍ରତୀକ ସିଂ ଓ ଏସ୍‌ଓଜି କମାଣ୍ଡାଣ୍ଟ ଅନିରୁଦ୍ଧ ସିଂ ପ୍ରମୁଖ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ।

ଆଲୋଚନା ପରେ ଡା. ଶର୍ମା ଉଭୟ ସ୍ଥାନରେ ଗଣମାଧ୍ୟମକୁ କହିଥିଲେ ଯେ, ଡୁଡୁକାମାଲ ମାଓ ଅପରେସନ ପୁଲିସର ମନୋବଳକୁ ବୃଦ୍ଧି କରିଛି। ମାଓବାଦୀମାନେ ସମାଜର ମୁଖ୍ୟସ୍ରୋତକୁ ଫେରି ଆସନ୍ତୁ। ସେମାନେ ଆତ୍ମ ସମର୍ପଣ କଲେ ସରକାରୀ ନୀତି ଅନୁସାରେ ଥଇଥାନ କରାଯିବ। ନଚେତ୍‌ ସେମାନଙ୍କୁ କଡ଼ା ଜବାବ ଦିଆଯିବ ବୋଲି ସେ କହିଥିଲେ।

ଭୁଲ ସ୍ଥାନରେ ଓହ୍ଲାଇଲେ!

ବଲାଙ୍ଗୀର : ପୁଲିସ ଡିଜି ଡ.ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ନେଇ ଆସିଥିବା ପବନହଂସ ଚପର୍‌ର ଅବତରଣ ପାଇଁ ରିଜର୍ଭ ପୁଲିସ ପଡ଼ିଆ ପଛପଟେ ଥିବା ଅସ୍ଥାୟୀ ହେଲିପ୍ୟାଡ୍‌କୁ ମରାମତି କରାଯାଇଥିଲା। ୧୨ଟା ୧୫ରେ ଡିଜିଙ୍କ ହେଲିକପ୍ଟର୍‌ ଆସି ଅବତରଣ କରିବାର କାର୍ଯ୍ୟକ୍ରମ ଥିଲା। ତେବେ ହେଲିକପ୍ଟର୍‌ ଅସ୍ଥାୟୀ ହେଲିପ୍ୟାଡ୍‌ରେ ନ ଓହ୍ଲାଇ ନିକଟରେ ଥିବା ପୁଲିସ ପଡ଼ିଆରେ ଅଚାନକ ଅବତରଣ କରିଥିଲା। ନିର୍ଦ୍ଧାରିତ ସ୍ଥାନରେ ନଓହ୍ଲାଇ ଅନ୍ୟ ସ୍ଥାନରେ ଓହ୍ଲାଇବା ପ୍ରସଙ୍ଗରେ ଡିଜି ଡ.ଶର୍ମା କହିଥିଲେ ଯେ, ପାଇଲଟ୍‌ ଚପର ଚଳାଉଥିଲେ। ସେ କେଉଁଠି ଓହ୍ଲାଇଲେ ମୁଁ କେମିତି ଜାଣିବି ବୋଲି କହିଥିଲେ।

ସମ୍ବନ୍ଧିତ ଖବର