ବଦଳିବେ ପୁଲିସ ମୁଖିଆ : ଲୋକାୟୁକ୍ତ ସଦସ୍ୟ ହେବେ ରାଜେନ୍ଦ୍ର ଶର୍ମା

ନୂଆ ପଦ୍ଧତିରେ ହେବ ଡିଜିପି ଚୟନ, ୧୯୮୬, ୧୯୮୭, ୧୯୮୮ ବ୍ୟାଚ ଅଫିସରଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ବର : ପୁଲିସ ମହାନିର୍ଦେଶକ ତଥା ୧୯୮୬ ବ୍ୟାଚ୍ ଆଇପିଏସ୍ ଅଫିସର ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା େଲାକାୟୁକ୍ତ ସଦସ୍ୟ ହେବେ। ଏ ସଂକ୍ରାନ୍ତ ଚୟନ କମିଟି ତାଙ୍କ ନାମ ରାଜ୍ୟପାଳଙ୍କୁ ସୁପାରିସ କରିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳୁଛି। ରାଜଭବନରୁ ଏହି ଫାଇଲ େଫରିବା ପରେ ଯେ କୌଣସି ମୁହୂର୍ତରେ ବିଧିବଦ୍ଧ ବିଜ୍ଞପ୍ତି ଜାରି େହବ। ଏଥିସହିତ ରାଜ୍ୟ ପୁଲିସ ମୁଖିଆ ବଦଳିବା ଏକ ପ୍ରକାର ନିଶ୍ଚିତ େହାଇଯାଇଛି।

ରାଜ୍ୟରେ ପରବର୍ତୀ ପୁଲିସ ମହାନିର୍ଦେଶକ ଭାବେ ସରକାର କାହାକୁ ନିଯୁକ୍ତି ଦେବେ, ତାହାକୁ େନଇ ଏବେଠାରୁ କଳ୍ପନାଜଳ୍ପନା ଆରମ୍ଭ େହାଇଗଲାଣି। ପ୍ରଥମ ଥର ପାଇଁ ଓଡ଼ିଶାରେ ଡିଜିପି ଚୟନ ସୁପ୍ରିମକୋର୍ଟଙ୍କ ନିର୍ଧାରିତ ପ୍ରଣାଳୀ ଅନୁସାରେ କରାଯିବ। ଏଣୁ ଏହି ପ୍ରକ୍ରିୟା ମାସେରୁ ଅଧିକ ସମୟ ବିଳମ୍ବ େହାଇପାରେ।

ନିୟମାନୁସାରେ,ପୁଲିସ ସେବାରେ ୩୦ ବର୍ଷ କାର୍ଯ୍ୟ କରିଥିବା ଆଇପିଏସ୍ ଅଫିସରଙ୍କ ନାମ ତାଲିକା ଡିଜିପି ପାଇଁ ୟୁପିଏସସିକୁ ପଠାଯାଇ ପାରିବ। ଏହି କ୍ରମରେ ରାଜ୍ୟ ସରକାର ଏକ କମିଟି କରି ନାମ ତାଲିକା ପ୍ରସ୍ତୁତ କରିବେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁେମାଦନ କ୍ରମେ େକନ୍ଦ୍ରକୁ ପଠାଇବେ।

ଓଡ଼ିଶା େକ୍ଷତ୍ରରେ ସରକାର ୧୯୮୬, ୧୯୮୭ ଓ ୧୯୮୮ ବ୍ୟାଚ ଅଫିସରଙ୍କ ନାମ ତାଲିକା େକନ୍ଦ୍ରକୁ ପଠାଇପାରନ୍ତି। ୧୯୮୬ ବ୍ୟାଚରେ ଡାକ୍ତର ଶର୍ମାଙ୍କ ବ୍ୟତୀତ ବରିଷ୍ଠ ଆଇପିଏସ୍ ଅଫିସର ତଥା େକନ୍ଦ୍ରୀୟ େଡପୁଟେସନରେ ଥିବା ଅଭୟ, ପ୍ରଦୀପ କାପୁର ଓ ରାଜ୍ୟ ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମାଙ୍କ ନାମ ନିଶ୍ଚିତ େକନ୍ଦ୍ରକୁ ଯିବ। ଏହି ବ୍ୟାଚ୍‌ର ନାଗେଶ୍ବର ରାଓଙ୍କ ନାମ ମଧ୍ୟ ତାଲିକାରେ ସ୍ଥାନ ପାଇବ।

ଏମାନଙ୍କ ବ୍ୟତୀତ ସରକାର ୧୯୮୭ ବ୍ୟାଚ୍‌ର ଅଧିକାରୀ ସୁନୀଲ କୁମାର ବଂଶଲ, ସୁନୀଲ ରାୟ ଓ ସୁରେନ୍ଦ୍ର ପନଵାରଙ୍କ ନାମ ପଠାଇପାରନ୍ତି। ଉଭୟ ଶ୍ରୀ ବଂଶଲ ଓ ଶ୍ରୀ ପନଵାର େକନ୍ଦ୍ରୀୟ େଡପୁଟେସନରେ ଅଛନ୍ତି। ସେହିଭଳି ୧୯୮୮ ବ୍ୟାଚ୍ ଆଇପିଏସ୍ ମଧ୍ୟ ଡିଜି ପାହ୍ୟା ପାଇଁ େଯାଗ୍ୟ। ଏହି କ୍ରମରେ ସରକାର ଚାହିଁଲେ, ପୁଲିସ କମିସନର ତଥା ସେହି ବ୍ୟାଚ୍‌ର ବରିଷ୍ଠ ଅଫିସର ସତ୍ୟଜିତ ମହାନ୍ତି, ମନୋଜ କୁମାର ଛାବ୍ରା, ଏମ୍ ଅକ୍ଷୟ, ସନ୍ତୋଷ କୁମାର ଉପାଧ୍ୟାୟ, ବିନୟାନନ୍ଦ ଝା ଓ ଅରୁଣ କୁମାର ରାୟଙ୍କ ନାମ ପଠାଇପାରିବେ। ଏହି ବ୍ୟାଚର ଶ୍ରୀ ଅକ୍ଷୟ ଓ ଶ୍ରୀ ରାୟ ଏବେ େକନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।

ନିୟମ ଅନୁସାରେ, ଡିଜି ଚୟନ ପାଇଁ ୟୁପିଏସସିରେ ଏକ କମିଟି ଗଠନ େହବ। ଏଥିରେ ୟୁପିଏସସି ଅଧ୍ୟକ୍ଷ, େକନ୍ଦ୍ରୀୟ ପୁଲିସ ସଂସ୍ଥାର ମୁଖିଆ, େକନ୍ଦ୍ର କାର୍ମିକ ମନ୍ତ୍ରାଳୟର ପ୍ରତିନିଧି ପ୍ରମୁଖ ସଦସ୍ୟ ରହିବେ। ରାଜ୍ୟ ସରକାରଙ୍କ ମୁଖ୍ୟଶାସନ ସଚିବ ଏହି କମିଟିର ଜଣେ ସଦସ୍ୟ ଭାବେ ଉପସ୍ଥିତ ହେବେ। ଏହି କମିଟି ସମସ୍ତ ନାମ ଉପରେ ତର୍ଜମା କରି ତିନିଜଣଙ୍କ ନାମ ଚୂଡ଼ାନ୍ତ କରିବେ ଓ ଏମାନଙ୍କ ମଧ୍ୟରୁ ଜଣକୁ ଡିଜିପି କରିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିବେ।

ଏଠାରେ ଉଲ୍ଲେଖଥାଉ କି, ଗତ ଦିନମାନଙ୍କରେ ଯାହା ଦେଖାଯାଇଛି, ୟୁପିଏସସି ସବୁଠାରୁ ବରିଷ୍ଠ ତଥା ଅଭିଜ୍ଞ ତିନି ଜଣଙ୍କ ନାମ ସୁପାରିସ କରୁଛନ୍ତି। ଓଡ଼ିଶା େକ୍ଷତ୍ରରେ ଏମିତି େହଲେ ଚୂଡ଼ାନ୍ତ ତାଲିକାରେ ବରିଷ୍ଠ ଆଇପିଏସ୍ ଅଭୟ, ପ୍ରଦୀପ କାପୁର ଓ ବିଜୟ ଶର୍ମା ରହିବେ। ଏମାନଙ୍କ ମଧ୍ୟରୁ ସରକାର ଜଣଙ୍କୁ ପରବର୍ତୀ ଡିଜି କରିବେ।

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବା ପରେ ଯାଇ ପୁଲିସ ମହାନିେର୍ଦଶକ ଡାକ୍ତର ଶର୍ମା େସ୍ବଚ୍ଛାକୃତ ଅବସର ପାଇଁ ଆବେଦନ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ ଦେବା ପରେ ପରବର୍ତୀ ପଦକ୍ଷେପ ନିଆଯିବ। ତେବେ ନୂଆ ପୁଲିସ ମୁଖିଆ ନିଯୁକ୍ତି ପାଇବା ପର୍ଯ୍ୟନ୍ତ ଡାକ୍ତର ଶର୍ମା ଡିଜିପି ରହିବେ।

ଉଲ୍ଲେଖନୀୟ କଥାଟି ହେଲା, ଡିଜି ଚୟନ ପ୍ରକ୍ରିୟା େଶଷ ହେବା ପାଇଁ ସର୍ବନିମ୍ନ ୧ମାସରୁ ୩ମାସ ସମୟ ଲାଗିପାରେ। ଖାସ୍ ଏଇଥିପାଇଁ, ଡିଜି ଅବସର େନବାର ୩ ମାସ ପୂର୍ବରୁ ଏ ସଂକ୍ରାନ୍ତ ଚୟନ ପ୍ରକ୍ରିୟା ଆରମ୍ଭ କରିବା ଲାଗି ସ୍ପଷ୍ଟ ନିେର୍ଦଶ ରହିଛି। ହେଲେ ବର୍ତମାନ େକ୍ଷତ୍ରରେ ପରିସ୍ଥିତି ଭିନ୍ନ। ଏପରିସ୍ଥଳେ ବି ରାଜ୍ୟ ସରକାରଙ୍କ ପାଖରେ ବିକଳ୍ପ ସୂତ୍ର ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାହିଁଲେ, ରାଜ୍ୟରେ ଥିବା ସବୁଠାରୁ ବରିଷ୍ଠ ତଥା ଅଭିଜ୍ଞ ପୁଲିସ ଅଫିସରଙ୍କୁ ଇନଚାର୍ଜ ଡିଜି ଭାବେ ନିଯୁକ୍ତି ଦେଇପାରିବେ। ସଂପୃକ୍ତ ଅଧିକାରୀ ବିଧିବଦ୍ଧ ଭାବେ ଡିଜି ନିଯୁକ୍ତି ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇବେ। ଜମ୍ମୁ ଓ କଶ୍ମୀର ଆଦି ରାଜ୍ୟରେ ଅତୀତରେ ଏଭଳି ଉଦାହରଣ ରହିଛି। ତେବେ ସରକାର ଏ କ୍ଷେତ୍ରରେ କି ଫର୍ମୁଲା ପ୍ରୟୋଗ କରୁଛନ୍ତି, ସର୍ବୋପରି କାହା ନାମ ପଠାଉଛନ୍ତି, ତାହା ଉପରେ ସମଗ୍ର ରାଜ୍ୟର ନଜର ରହିଛି।

୨୦୧୭ ମସିହା ଅଗଷ୍ଟ ୩୦ ତାରିଖ ଦିନ ରାଜ୍ୟ ସରକାର ଡାକ୍ତର ଶର୍ମାଙ୍କୁ ଡିଜିପି ଭାବେ ନିଯୁକ୍ତି େନଇ େଘାଷଣା କରିଥିଲେ। ୨୦୨୦ େମ’ ମାସ ପର୍ଯ୍ୟନ୍ତ ଡାକ୍ତର ଶର୍ମା କାର୍ଯ୍ୟ କରିଥାନ୍ତେ। ମାତ୍ର କୌତୂହଳର କଥା ହେଲା, ପୂର୍ବତନ ପୁଲିସ ମହାନିେର୍ଦଶକ େଗାପାଳ ନନ୍ଦଙ୍କୁ ଛାଡ଼ିଦେଲେ, ପୂର୍ବତନ ପୁଲିସ ମହାନିେର୍ଦଶକ ବିପିନ ବିହାରୀ ମିଶ୍ରଙ୍କ ପରଠାରୁ କୌଣସି ପୁଲିସ ମହାନିେର୍ଦଶକ ଡିଜିପି ଭଳି ଗୁରୁତ୍ବପୂର୍ଣ୍ଣ ପଦବିରେ ରହି ଅବସର େନଇପାରି ନାହାନ୍ତି।

ସମ୍ବନ୍ଧିତ ଖବର