ଅଢ଼େଇ ଘଣ୍ଟା ପୂର୍ବରୁ ମିଳିବ ଦୁର୍ବିପାକ ସୂଚନା

ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ

ଭୁବନେଶ୍ୱର : ବିପର୍ଯ୍ୟୟ ମୁକାବିଲା ଲାଗି ରାଜ୍ୟ ସରକାର ସବୁବେଳେ ପ୍ରସ୍ତୁତ ରହିଛନ୍ତି। ରାଜ୍ୟରେ ୮୭୯ଟି ଆଶ୍ରୟ ସ୍ଥଳୀ, ଗଞ୍ଜାମ ଓ ଖୋର୍ଧାର ଫାଇଲିନ୍‌ ପ୍ରଭାବିତ ଲୋକଙ୍କ ପାଇଁ ୧୭ ହଜାର ବିପର୍ଯ୍ୟୟ ପ୍ରତିରୋଧକ ବାସଗୃହ ନିର୍ମାଣ, କେନ୍ଦ୍ରାପଡ଼ା ଜିଲ୍ଲା ସାତଭାୟାଠାରେ ସମୁଦ୍ର ଦ୍ୱାରା କ୍ଷତିଗ୍ରସ୍ତ ବଗପଟିଆର ଥଇଥାନ ଏବଂ ପୁର୍ନବସତି ସ୍ଥଳରେ ୫୭୧ଟି ଗୃହ ନିର୍ମାଣ କରାଯାଇଛି। ଆଗାମୀ ଦିନରେ ରାଜ୍ୟର ୧୨୨ଟି ସ୍ଥାନରେ ଆଲର୍ଟ ସାଇରନ ଟାଓ୍ଵାର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ବିଦ୍ୟାଳୟ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ଲାଗି ସଚେତନତା କାର୍ଯ୍ୟକ୍ରମ କରାଯାଉଛି ବୋଲି ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ରବୀନ୍ଦ୍ରମଣ୍ଡପଠାରେ ଆଜି ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ଅଧ୍ୟକ୍ଷତା କରି କହିଥିଲେ, ୨୪୩ଟି ଆଶ୍ରୟ ସ୍ଥଳୀକୁ ସଂଯୋଗ କରୁଥିବା ୩୯୦ କି.ମି. ରାସ୍ତା, ୫୮ କି.ମି.ର ୧୨ଟି ଲୁଣାବନ୍ଧ କରାଯାଇଛି। ୫ଟି ଗୋଦାମ ଗୃହ ନିର୍ମାଣ ହୋଇଛି। ଆଶ୍ରୟ ସ୍ଥଳୀ ପାଇଁ ଆବଶ୍ୟକୀୟ ଉପକରଣ ବ୍ୟବସ୍ଥା ଏବଂ ଆଶ୍ରୟ ସ୍ଥଳୀଗୁଡ଼ିକରେ ବିପର୍ଯ୍ୟୟ ପରିଚାଳନା ଦକ୍ଷତା ବୃଦ୍ଧି ନିମନ୍ତେ ନିୟମିିତ କାର୍ଯ୍ୟକ୍ରମ ହେଉଛି। ଯେକୌଣସି ବିପର୍ଯ୍ୟୟର ମୁକାବିଲା ପାଇଁ ୨୦ଟି ଓଡ୍ରାଫ୍‌ ଟିମ୍‌କୁ ପ୍ର୍ରସ୍ତୁତ ରଖାଯାଇଛି।

ଓସ୍‌ଡମାର ପରିଚାଳନା ନିର୍ଦେଶକ ପ୍ରଦୀପ୍ତ କୁମାର ମହାପାତ୍ର୍ର କହିଥିଲେ, ଉପକୂଳବର୍ତ୍ତୀ ୬ଟି ଜିଲାରେ ଆଲର୍ଟ ସାଇରନ୍‌ ଟାଓ୍ଵାର ପ୍ରତିଷ୍ଠା ହେଉଛି। ଏବେ ସେଗୁଡ଼ିକର ଯାଞ୍ଚ ଚାଲିଛି। ନଭେମ୍ବର ୧୫ ପରେ ଯେକୌଣସି ସମୟରେ ମୁଖ୍ୟମନ୍ତ୍ରୀ ଏହାକୁ ରାଜ୍ୟବାସୀଙ୍କ ଲାଗି ଉତ୍ସର୍ଗ କରିବେ। ଏସ୍‌ଆରସି କାର୍ଯ୍ୟାଳୟରୁ ଏଗୁଡ଼ିକର ପରିଚାଳନା କରାଯିବ। ଗୋଟିଏ ସୁଇଚ୍‌ ମାରିଲେ ସମସ୍ତ ଟାଓ୍ଵାରରେ ଆଲର୍ଟ ସୂଚନା ମିଳିବ। ଅଢ଼େଇ ଘଣ୍ଟା ପୂର୍ବରୁ ବିପର୍ଯ୍ୟୟ ସମ୍ପର୍କରେ ସୂଚନା ମିଳିବ। ଯେଉଁ ସାଇରନ୍‌ ବାଜିବ ତାହା ୩ କି.ମି. ପର୍ଯ୍ୟନ୍ତ ଶୁଣାଯିବ। ଯଦି କୌଣସି ଏକ ନିର୍ଦ୍ଦିଷ୍ଟ ବ୍ଲକର ଲୋକଙ୍କ ପାଇଁ ସୂଚନା ଥିବ ତେବେ ସେ ବ୍ଲକର ସମସ୍ତ ମୋବାଇଲ୍‌ଧାରୀଙ୍କ ନିକଟକୁ ବି ସୂଚନା ପଠାଯିବ। ବାତ୍ୟା, ବନ୍ୟା ଓ ସୁନାମୀ ସମ୍ପର୍କରେ ସୂଚନା ଦେବା କ୍ଷେତ୍ରରେ ଏହା ବେଶ ସହାୟକ ହେବ ବୋଲି ସେ କହିଥିଲେ।

ଉତ୍ସବରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ ବିପର୍ଯ୍ୟୟକୁ ରୋକିବା ଉପରେ ଆଲୋକପାତ କରିଥିଲେ। ସ୍ୱତନ୍ତ୍ର ରିଲିଫ୍‌ କମିସନର ତଥା ବିପର୍ଯ୍ୟୟ ପରିଚାଳନା ବିଭାଗର ସଚିବ ବିଷ୍ଣୁପଦ ସେଠୀ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଅଭ୍ୟନ୍ତରୀଣ ଅଞ୍ଚଳର ଲୋକଙ୍କ ଉଦ୍ଧାର ଲାଗି ସାଇକେଲ୍‌ ଆମ୍ବୁଲାନ୍ସ ସେବା ଉଦ୍‌ଘାଟିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ସୁଇଚ୍‌ ଟିପି ଆଲର୍ଟ ସାଇରନ୍‌ ଟାଓ୍ଵାର ବ୍ୟବସ୍ଥାର ଯାଞ୍ଚ କରିଥିଲେ। ବିପର୍ଯ୍ୟୟ ମୁକାବିଲାରେ ସଫଳତା ହାସଲ କରିଥିବା ୨୩ଟି ସଂସ୍ଥା, ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର