ସଚିବସ୍ତରୀୟ ବୈଠକରେ ଆର୍ଥିକ ବର୍ଷର ସମୀକ୍ଷା : ଯୋଜନା ବିନିଯୋଗ ହାର ୧୬ ପ୍ରତିଶତ ବଢ଼ିଛି

ଭୁବନେଶ୍ୱର : ୨୦୧୭-୧୮ ଆର୍ଥିକ ବର୍ଷରେ ରାଜସ୍ୱ ଆଦାୟ ସହିତ ଯୋଜନା ବାବଦ ବିନିଯୋଗ ହାର ଗତ ଆର୍ଥିକ ବର୍ଷ ତୁଳନାରେ ବୃଦ୍ଧି ପାଇଛି। ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗତ ଆର୍ଥିକ ବର୍ଷର ସମୀକ୍ଷା ବୈଠକରୁ ଏହି ସୂଚନା ମିଳିଛି।

ଅର୍ଥ ବିଭାଗ ପ୍ରମୁଖ ସଚିବ ତୁହିନକାନ୍ତ ପାଣ୍ଡେଙ୍କ ସୂଚନା ମୁତାବକ ଗତ ବର୍ଷ ଯୋଜନା ସମ୍ବନ୍ଧିତ ବିଭିନ୍ନ ପ୍ରକଳ୍ପରେ ୫୧୧୮୮ କୋଟି ବିନିଯୋଗ ହୋଇଛି। ୨୦୧୬-୧୭ ଆର୍ଥିକ ବର୍ଷ ତୁଳନାରେ ଏହା ୧୬.୧୩ ପ୍ରତିଶତ ଅଧିକ। ସବୁଠାରୁ ଅଧିକ ବିନିଯୋଗ ସାମାଜିକ ସୁରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ହୋଇଛି। ତେବେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବିନିଯୋଗ ହାର ନାମମାତ୍ର ବୃଦ୍ଧି ଘଟିଛି। ରାଜସ୍ୱ ଆଦାୟ ସୂଚନା ଅନୁସାରେ ଗତ ଆର୍ଥିକ ବର୍ଷରେ ନିଜସ୍ୱ ଟିକସ ସୂତ୍ରରୁ ପ୍ରାୟ ୨୮୬୮୨ କୋଟି ଟଙ୍କା ଆଦାୟ ହୋଇଛି। ପୂର୍ବ ଆର୍ଥିକ ବର୍ଷ ୨୦୧୬-୧୭ ତୁଳନାରେ ଏହି ହାର ଅଧିକ। ଅଣଟିକସ ରାଜସ୍ୱ ଆୟ ୮୦୪୭ କୋଟିକୁ ବଢ଼ିଛି। ଉଭୟ ନିଜସ୍ୱ ଟିକସ ଏବଂ ଅଣଟିକସ ସୂତ୍ର ମିଶି ଆଦାୟ ହୋଇଛି ୩୬୭୨୯.୫୧ କୋଟି।

ବଜେଟ୍‌ ଆବଣ୍ଟିତ ଅର୍ଥକୁ କୌଣସି ଆକାଉଣ୍ଟରେ ଅବ୍ୟବହୃତ ନ ରଖିବା ପାଇଁ ସମୀକ୍ଷା ବେଳେ ମୁଖ୍ୟ ସଚିବ ବିଭାଗୀୟ ମୁଖ୍ୟମାନଙ୍କୁ ନିର୍ଦେଶ ଦେଇଥିଲେ। ସେହିପରି ସଠିକ୍‌ ସମୟରେ ସାଧାରଣ ସେବା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ ଶ୍ରୀ ପାଢ଼ୀ। ଲୋକସେବା ଅଧିକାର ନେଇ ଏକ କେନ୍ଦ୍ରୀଭୂତ ଅନ୍‌ଲାଇନ ପୋର୍ଟାଲ୍‌ ପ୍ରସ୍ତୁତ ହୋଇଥିବା ଦର୍ଶାଇ ସବୁ ବିଭାଗ ନିଜ ନିଜର ଅନ୍‌ଲାଇନ ସେବା ଯୋଗାଣ ବ୍ୟବସ୍ଥାକୁ ଏହି ପୋର୍ଟାଲ୍‌ ସହିତ ସଂଯୋଜିତ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା କହିଥିଲେ।

ସମ୍ବନ୍ଧିତ ଖବର