ଶିକ୍ଷା କେବଳ ଗୋଟିଏ ସ୍ରୋତରେ ଚାଲିଛି

‘ଉତ୍କର୍ଷ’ର ଦ୍ବିତୀୟ ଅଧିବେଶନର ବିଷୟବସ୍ତୁ ରହିଥିଲା ‘ଶିକ୍ଷା କ୍ଷେତ୍ରରେ କର୍ପୋରେଟ୍ ସଂସ୍ଥାର ସାମାଜିକ ଦାୟିତ୍ବ’। ଏଥିରେ ନାଲକୋର ନିର୍ଦେଶକ(ଅର୍ଥ) ଶ୍ରୀଧର ପାତ୍ର କନକ ନ୍ୟୁଜ୍‌ର ଇନ୍‌ପୁଟ୍‌ ଏଡିଟର ସ୍ବୟଂପ୍ରକାଶ ମହାପାତ୍ରଙ୍କ ସହ ଆଲୋଚନା କରିଥିଲେ। ଶ୍ରୀ ପାତ୍ର କହିଥିଲେ ଯେ ପ୍ରତ୍ୟେକ ପିଲା ଭିତରେ ପ୍ରତିଭା ଲୁକ୍କାୟିତ ଅବସ୍ଥାରେ ରହିଥାଏ। ପ୍ରତିଭାକୁ ଜାଣିବାକୁ ହେଲେ ଇଂରାଜୀ କିମ୍ବା ଓଡ଼ିଆ ମାଧ୍ୟମ ସ୍କୁଲର ଆବଶ୍ୟକତା ନାହିଁ। ପ୍ରତିଭା ଥିଲେ ଦିନେ ଦିନେ ଏହା ଆଗକୁ ଆସିବ। ତେବେ ଏହାକୁ ଆଗକୁ ଆଣିବା ପାଇଁ ପ୍ରୋତ୍ସାହନର ଆବଶ୍ୟକତା ରହିଛି। ଏଥିପାଇଁ ପିତାମାତା, ଶିକ୍ଷକର ଆବଶ୍ୟକତା ଥିବା ବେଳେ କର୍ପୋରେଟ୍‌ କେବଳ ସରକାରଙ୍କ ଉଦ୍ୟମକୁ ଆଗେଇ ନେଇଥାଏ। କେନ୍ଦ୍ର ସରକାର ‘ବେଟି ବଚାଓ ବେଟି ପଢ଼ାଓ’ରୁ ଅନୁପ୍ରାଣିତ ହୋଇ ନାଲକୋ ‘ଲାଡ୍‌ଲି’ କାର୍ଯ୍ୟକ୍ରମ ଆରମ୍ଭ କରିଛି। ୨୦୧୫ମସିହାରେ ୩୨ଜଣ ଛାତ୍ରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏବେ ଅର୍ଥନୈତିକ କ୍ଷେତ୍ରରେ ପଛୁଆ ଥିବା ବ୍ୟକ୍ତିମାନଙ୍କୁ ପୁସ୍ତକ ସହ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଏପରିକି ମେଧାବୀ ଛାତ୍ରୀଙ୍କୁ ଅର୍ଥରାଶି ପ୍ରଦାନ କରାଯାଉଛି। କେବଳ କର୍ପୋରେଟ୍ ସାମାଜିକ ଦାୟିତ୍ବ‌ବୋଧ ବା ସିଏସ୍‌ଆରରେ ଏହାକୁ ସୀମିତ ନ ରଖି କର୍ମଚାରୀ ଦାୟିତ୍ବବୋଧ ପାଇଁ ଇଏସ୍‌ଆରକୁ ଗୁରୁତ୍ବ ଦିଆଯାଇଛି। ଇନ୍ଦ୍ରଧନୁଷ କାର୍ଯ୍ୟକ୍ରମ ଜରିଆରେ ପାଠ ପଢ଼ିବାକୁ ଆସୁ ନ ଥିବା ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପଢ଼ାଯାଉଛି ଓ ନାଲକୋ ଏହାର ଖର୍ଚ ବହନ କରୁଛି। ୨୦୧୫ ମସିହାରେ କେବଳ ୨ଟି ଜିଲ୍ଲାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆଗାମୀ ଦିନରେ ଏହାକୁ ରାଜ୍ୟକୁ ସଂପ୍ରସାରିତ କରାଯିବା ସହ ପରବର୍ତୀ ସମୟରେ ଦେଶବ୍ୟାପୀ ଏହାକୁ କାର୍ଯ୍ୟକାରୀ କରାଯିବ।

ସେ ଆହୁରି ମଧ୍ୟ କହିଥିଲେ ଯେ ଶିକ୍ଷା ଏକ ମାଧ୍ୟମ। କିଛି କରିବାକୁ ହେଲେ ଶିକ୍ଷାର ଆବଶ୍ୟକତା ରହିଛି। କିନ୍ତୁ ପାଠପଢ଼ି କେବଳ ଆଇଏଏସ୍‌, ଆଇଆଇଟିରେ ପଢ଼ିଲେ ହିଁ ଜୀବନ ଧନ୍ୟ ହେବ, ତାହା ଏକମାତ୍ର ଚିନ୍ତା ହେବା ଅନୁଚିତ। ତେଣୁ ସ୍କୁଲରେ କେବଳ ଥିଓରି ନ ପଢ଼ାଯାଇ ପ୍ରତ୍ୟେକ ଦିନ ପ୍ରାକ୍ଟିକାଲ ଉପରେ ଧ୍ୟାନ ଦେବା ଦରକାର। ଫଳରେ ପିଲାର ପ୍ରତିଭା ସାମ୍ନାକୁ ଆସି ପାରିବା ସହ ଆଗାମୀ ଦିନରେ ପିଲାକୁ ସେହି ଦିଗରେ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହିତ କରିବ। ତା’ ହେଲେ ଯାଇ ଶିକ୍ଷାର ମାନ ବୃଦ୍ଧି ହୋଇପାରିବ ବୋଲି ଶ୍ରୀ ପାତ୍ର କହିଥିଲେ। ପରେ ନାଲକୋ ସିଓଓ ସୁବାସ ରାୟ ଓ ନାଲକୋ ପ୍ରତିଷ୍ଠା ପରାମର୍ଶଦାତା ସୀମା ତିୱାରୀ ମଧ୍ୟ ଏ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର