ଘରୋଇ ସ୍କୁଲ ସମକକ୍ଷ ହେବ ଆଦର୍ଶ ବିଦ୍ୟାଳୟ

‘ଆମ ପିଲାମାନେ ସରକାରୀ ଶିକ୍ଷାନୁଷ୍ଠାନରେ ପଢ଼ିବେ କେବେ?’ ଶୀର୍ଷକ ତୃତୀୟ ଅଧିବେଶନରେ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଲେ, ବେସରକାରୀ ସ୍କୁଲ ନୁହେଁ, ସରକାରୀ ବିଦ୍ୟାଳୟରେ ବି ବହୁତ ଭଲ ପିଲା ପଢ଼ୁଛନ୍ତି। ଓଡ଼ିଶାର ୯୩ ପ୍ରତିଶତ ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ ପଢ଼ୁଛନ୍ତି। ମାତ୍ର ୭ପ୍ରତିଶତ ଛାତ୍ରଛାତ୍ରୀ ଘରୋଇ ସ୍କୁଲ ଯାଉଛନ୍ତି। ଯେଉଁ ଅଭିଭାବକଙ୍କ ପାଖରେ ଆର୍ଥିକ ସା‌ମର୍ଥ୍ୟ ରହିଛି, ସେମା‌ନେ ବେସରକାରୀ ବିଦ୍ୟାଳୟକୁ ଯାଉଛନ୍ତି। ପୂର୍ବରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଚିନ୍ତାଧାରା‌ ଥିଲା ଯେ ଘରୋଇ ବିଦ୍ୟାଳୟର ପିଲାମାନେ ଭଲ ପୋଷାକ, ବ୍ୟାଗ୍‌ ଓ ଜୋତା ପିନ୍ଧୁଛନ୍ତି। ପିଲାଙ୍କ ମଧ୍ୟରେ ଥିବା ଏଭଳି ଚିନ୍ତାଧାରା ଦୂର କରିବା ସହ ସରକାରୀ ବିଦ୍ୟାଳୟର ପିଲାଙ୍କୁ ମାଗଣା ପୋଷାକ, ବ୍ୟାଗ୍‌, ଜୋତା ଯୋଗାଇ ଦିଆଯାଉଛି। ଇଂରାଜୀ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରତି ବ୍ଲକରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି। ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ଭଲ ରେଜଲ୍ଟ କରୁଛନ୍ତି। ଆହୁରି ଉନ୍ନତ କରିବା ପାଇଁ ଏକାଧିକ କାର୍ଯ୍ୟକ୍ରମ ଏବେ ହାତକୁ ନିଆଯାଉଛି।

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ତଥା ସାଇ ଇଣ୍ଟରନ୍ୟାସନାଲ ଏଜୁକେସନ ଗ୍ରୁପ୍‌ର ପ୍ରତିଷ୍ଠାତା ବିଜୟ କୁମାର ସାହୁ କହିଲେ ସରକାରୀ ବିଦ୍ୟାଳୟର ପିଲାମାନେ ଭଲ ନାଁ କରିଛନ୍ତି। ଏବେ ବି ରାଜ୍ୟର ପ୍ରାୟ ୬୬ଲକ୍ଷ ପିଲା ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଛନ୍ତି। ଯେତେବେଳେ କି ମାତ୍ର ୭ପ୍ରତିଶତ ପିଲା ଘରୋଇ ବିଦ୍ୟାଳୟକୁ ଯାଉଛନ୍ତି। ସେହି ଅନୁପାତରେ ଦେଖିଲେ ଦେଶର ୨୫ପ୍ରତିଶତ ପିଲା ଘରୋଇ ବିଦ୍ୟାଳୟରେ ପଢ଼ୁଛନ୍ତି। କେନ୍ଦ୍ରୀୟ ସରକାରୀ ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ରହିଛି। ସରକାରୀ ସ୍କୁଲଗୁଡ଼ିକ ଇଂରାଜୀ ମାଧ୍ୟମ ହେଲେ ପିଲାଙ୍କ ସଂଖ୍ୟା ନିହାତି ବଢ଼ିବ।

ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ ଦେଶରେ ୮୦୦ ବିଶ୍ବବିଦ୍ୟାଳୟ ଓ ୪୦ ହଜାର କଲେଜ ରହିଛି। ସେଥିମଧ୍ୟରୁ ସରକାରୀ ଶିକ୍ଷାନୁଷ୍ଠାନ ସଂଖ୍ୟା ଅଧିକ। ଯେଉଁଠାରେ ୯୦ ପ୍ରତିଶତ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ୯୦ ଦଶକରେ ଘରୋଇକରଣ, ଉଦାରୀକରଣ ଓ ଜଗତୀକରଣ ‌ହେବା ପରେ ବିଶ୍ବରେ ପ୍ରତିଯୋଗିତା ବଢ଼ିଛି। ହାତପାହାନ୍ତାରେ ଖବର ପହଞ୍ଚୁ ଥିବାରୁ ଆହୁରି ଆଗକୁ ବଢ଼ିବାକୁ ସମସ୍ତଙ୍କ ଇଚ୍ଛା ରହିଛି। ସେହି ଅନୁଯାୟୀ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ସେତିକି ଦକ୍ଷ କରିବାକୁ ଚାହୁଁଥିବାରୁ ଘରୋଇ ଶିକ୍ଷାନୁଷ୍ଠାନ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ତଥାପି ଆମ ଶିକ୍ଷା ବ୍ୟବସ୍ଥାକୁ ଦେଖିଲେ ସରକାରୀ କଲେଜରେ ବି ପିଲା ବଢ଼ୁଛନ୍ତି। ୨୦୧୭ରେ ସରକାରୀ କଲେଜରେ ୨୨ହଜାର ୫୬୫ ପିଲା ପଢ଼ୁଥିଲେ। ୨୦୧୮ରେ ଏହି ସଂଖ୍ୟା ୨୩ ହଜାରରେ ପହଞ୍ଚିଥିଲା। ଏଥର ବି ପିଲା ବଢ଼ୁଛନ୍ତି। ତାହାକୁ ଦୃଷ୍ଟିରେ ରଖି ସରକାରୀ କଲେଜଗୁଡ଼ିକରେ ସିଟ୍‌ ବୃଦ୍ଧି କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। କନକ ନ୍ୟୁଜ୍‌ ଏଡିଟର୍‌ ମନୋରଞ୍ଜନ ମିଶ୍ର ଏହି ଅଧିବେଶନକୁ ପରିଚାଳନା କରିଥିଲେ।

ଚତୁର୍ଥ ଅଧି‌ବେଶନରେ ସୃଜନଶୀଳ ଶିକ୍ଷାବିତ୍‌ ଅନିଲ୍‌ ପ୍ରଧାନ ଯୋଗଦେଇ ‘ରୋଲ୍‌ ଅଫ୍‌ ଇନୋଭେସନ ଆଣ୍ଡ ଟେକ୍ନୋଲୋଜି ଇନ୍‌ ଏଜୁକେସନ’ ଉପରେ ମତ ରଖିଥିଲେ। ପାରମ୍ପରିକ ଶିକ୍ଷାରୁ ବାହାରି ଛାତ୍ରଛାତ୍ରୀ କିଭଳି ନୂତନ ଚିନ୍ତାଧାରା ମାଧ୍ୟମରେ ସମାଜରେ ଉନ୍ନତିମୂଳକ କାର୍ଯ୍ୟ କରୁଛନ୍ତି, ସେନେଇ ମତ ରଖିଥିଲେ।

ପଞ୍ଚମ ତଥା ଶେଷ ଅଧିବେଶନରେ ‘ମୁଁ ଯଦି ଶିକ୍ଷାମନ୍ତ୍ରୀ ହେବି…’ ଶୀର୍ଷକ ଉପରେ ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ସେମାନଙ୍କ ମତ ରଖିଥିଲେ। ଏଥିରେ ରମାଦେବୀ ମହିଳା ବିଦ୍ୟାଳୟର ଛାତ୍ରୀ ମୋନାଲି ସାହୁ, ଡିପିଏସ୍‌ କଳିଙ୍ଗର ଛାତ୍ର ସାରାଂଶ ଦାଶ, ଓଡିଏମ୍‌ ପବ୍ଲିକ ସ୍କୁଲର ଛାତ୍ରୀ ପ୍ରିୟାଂଶ ଷଡ଼ଙ୍ଗୀ, ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ର ସ୍ନେହଲ ସୁଜଲ୍‌ ମହାନ୍ତି ଭାଗ ନେଇ ଶିକ୍ଷାନୁଷ୍ଠାନରେ ଶୈକ୍ଷିକ ବାତାବରଣ ବଜାୟ ରଖିବା, ଖାଲି ପଡ଼ିଥିବା ପଦ ପୂରଣ, ନୂତନ ପାଠ୍ୟକ୍ରମ ଖୋଲିବା ଉପରେ ମତ ରଖିଥିଲେ। ଓଡିଏମ୍‌ ଏଜୁକେସନ୍‌ ଗ୍ରୁପ୍‌ର ସିଓଓ ସ୍ବୟାନ୍‌ ସତ୍ୟେନ୍ଦୁ ଅଧିବେଶନ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ, ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷାବିତ୍‌ମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର