ଓଇଏସ୍‌ଙ୍କ କ୍ଷେତ୍ରରେ ଲାଗୁ ହେଉନି କ୍ୟାଡର ରୁଲ୍‌ : ଆନ୍ଦୋଳନ ଡାକରା ଦେଲା ଓଇଏସ୍‌ ସଂଘ

ଭୁବନେଶ୍ବର : ଓଡ଼ିଶା ଶିକ୍ଷା ସେବା ପାଇଁ ୧୯୭୧ରୁ ଲୋକସେବା ଆୟୋଗ ଦ୍ବାରା ଶିକ୍ଷା ସେବା ଅଧିକାରୀ ନିଯୁକ୍ତି ନିୟମ ପ୍ରଣୟନ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ଶିକ୍ଷା ସେବା ଅଧିକାରୀ(ଓଇଏସ୍‌)ଙ୍କ ପାଇଁ କ୍ୟାଡର ରୁଲ୍‌ ପ୍ରଣୟନ କରିନାହାନ୍ତି। ଯେଉଁଥିପାଇଁ ଓଇଏସ୍‌ମାନେ ଉପଯୁକ୍ତ ସୁବିଧା ସୁଯୋଗ ଓ ପଦୋନ୍ନତି ପାଇବାରୁ ବଞ୍ଚିତ ହେଉଛନ୍ତି। ଏପରିକି କେତେକ ଓଇଏସ୍‌ ବିନା ପଦୋନ୍ନତିରେ ଅବସର ନେଉଛନ୍ତି। ଏହାକୁ ନେଇ ଓଡ଼ିଶା ଶିକ୍ଷା ସେବା ସଂଘ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। ଯଦି ଆସନ୍ତା ୭ ଦିନ ମଧ୍ୟରେ ଓଇଏସ୍‌ମାନଙ୍କ ଦାବି ପୂରଣ କରା ନଯାଏ, ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅଚଳ କରି ଦିଆଯିବ ବୋଲି ସଂଘର ସାଧାରଣ ସମ୍ପାଦକ ସନାତନ ପଣ୍ଡା ସୂଚନା ଦେଇଛନ୍ତି।

ଓଇଏସ୍‌ଙ୍କୁ ଅବହେଳା କରାଯାଉଥିବା ପ୍ରତିବାଦରେ ଆଜି ଆଇଆରସି ଭିଲେଜ୍‌ସ୍ଥିତ ସରକାରୀ ବିଦ୍ୟାଳୟରେ ସଂଘର ଏକ ଜରୁରୀ ବୈଠକ ବସିଥିଲା। ସଂଘର ସଭାପତି ପ୍ରଦୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଓଇଏସ୍‌ମାନଙ୍କ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା। ଶିକ୍ଷା ବ୍ୟବସ୍ଥାରେ ଶିକ୍ଷା ଅଧିକାର ଅଧିନିୟମ, ସର୍ବଶିକ୍ଷା ଅଭିଯାନ, ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ମୋ ସ୍କୁଲ ଅଭିଯାନ, ମଧ୍ୟାହ୍ନଭୋଜନ ପରିଚାଳନା, ରାଜ୍ୟ ମୁକ୍ତ ବିଦ୍ୟାଳୟ, ସ୍କୁଲ ସହ ଯୁକ୍ତ୨ କଲେଜ ମିଶ୍ରଣ ପରି କାର୍ଯ୍ୟକ୍ରମରେ ଓଇଏସ୍‌ମାନଙ୍କ କାର୍ଯ୍ୟ ବଢ଼ି ଯାଇଛି। କିନ୍ତୁ ରାଜ୍ୟ ସରକାର ସେମାନଙ୍କ କ୍ୟାଡର୍‌ ପୁନର୍ବିନ୍ୟାସ ଓ କ୍ୟାଡର ରୁଲ୍‌ ଗଠନ ପ୍ରତି ଗୁରୁତ୍ବ ଦେଉନାହାନ୍ତି। ଏନେଇ ଗତ ୫ ବର୍ଷ ହେଲା ଓଇଏସ୍‌ ଅଧିକାରୀଙ୍କ ସହ ରାଜ୍ୟ ସରକାରଙ୍କ ବାରମ୍ବାର ଆଲୋଚନା ଓ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସୁଫଳ ମିଳିନି।

ରାଜ୍ୟ ସରକାର ଅଧିକାଂଶ ବିଭାଗର କ୍ୟାଡର୍‌ ପୁନର୍ବିନ୍ୟାସ କରୁଥିବା ବେଳେ ଓଇଏସ୍‌ଙ୍କୁ ଅଣଦେଖା କରାଯାଉଛି। ୨୦୧୭ ମେ’ ୩୧ ଓ ୨୦୧୮ ମେ’ ୧୭ରେ ଅର୍ଥ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶିକ୍ଷା ସେବା ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। କ୍ୟାଡର୍ ପୁନର୍ଗଠନ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଅନୁମୋଦନ ଲାଭ ନ କରି ଅର୍ଥ ବିଭାଗର ନାଲିଫିତା ତଳେ ଚାପି ହୋଇ ରହିଛି। ସେହିପରି ଜିଲ୍ଲା ଶିକ୍ଷା ତଥା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଶିକ୍ଷା ‌ଯୋଜନାର ତଦାରଖ ଦାୟିତ୍ବ ଦେଇଥିବା ବେଳେ ସେମାନଙ୍କ ଯାତାୟାତ ପାଇଁ ଗାଡ଼ି ବ୍ୟବସ୍ଥା କରିନାହାନ୍ତି। ଯଦି ଆସନ୍ତା ୭ ଦିନ ମଧ୍ୟରେ ଦାବିଗୁଡ଼ିକ ପୂରଣ ନ ହୁଏ ତେବେ ସଂଘ ରାସ୍ତାକୁ ଓହ୍ଲାଇବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏଥିସହ ୩୦ଟି ଜିଲ୍ଲାର ଓଇଏସ୍‌ ସଭ୍ୟମାନେ ଆସନ୍ତା ସପ୍ତାହରୁ ଆନ୍ଦୋଳନକୁ ଓହ୍ଲାଉଥିବା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବେ।

ସମ୍ବନ୍ଧିତ ଖବର