ଆପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ନିର୍ବାଚନରେ ସୁଯୋଗ ନ ମିଳୁ

ଓଡ଼ିଶା ଇଲେକ୍ସନ୍‌ ଓ୍ଵାଚ୍‌ ପକ୍ଷରୁ ସମ୍ମିଳନୀ

ଭୁବନେଶ୍ୱର : ଓଡ଼ିଶା ଇଲେକ୍ସନ୍‌ ଓ୍ଵାଚ୍‌ ଓ ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫମର୍ସର ମିଳିତ ଉଦ୍ୟମରେ ଆଜି ଇଡକଲ୍‌ ଅଡିଟୋରିୟମ୍‌ରେ ରାଜନୀତି ଓ ନିର୍ବାଚନ ସୁଧାର ସଂପର୍କିତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ନାସନାଲ ଇଲେକ୍ସନ୍‌ ଓ୍ଵାଚ୍‌ର ପ୍ରତିଷ୍ଠାତା ପ୍ରଫେସର ତ୍ରିଲୋଚନ ଶାସ୍ତ୍ରୀ କହିଲେ, ନିର୍ବାଚନ ପ୍ରକ୍ରିୟା ଦିନକୁ ଦିନ ଅର୍ଥସର୍ବସ୍ୱ ହୋଇପଡ଼ୁଛି। ଯାହାକି ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଏହାସହ ରାଜନୈତିକ ହିଂସା ମଧ୍ୟ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଅପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ ନିର୍ବାଚନରେ ଅଂଶଗ୍ରହଣ କରିବାର ସୁଯୋଗ ଦିଆଯିବା ଉଚିତ ନୁହେଁ। ଲୋକମାନେ ଯଦି ନିର୍ବାଚନରେ ଭଲ ଲୋକ ବାଛିବେ ତାହାଲେ ଗଣତନ୍ତ୍ର ସୁଦୃଢ଼ ହେବ। ନିର୍ବାଚନରେ ଭଲ ଲୋକ ନ ଥିଲେ ନୋଟାରେ ଭୋଟ ଦେବା ଉଚିତ ବୋଲି ଶ୍ରୀ ଶାସ୍ତ୍ରୀ ମତବ୍ୟକ୍ତ କରିଥିଲେ।

ପରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ କହିଲେ, ସଂସଦୀୟ ଗଣତନ୍ତ୍ର ପରମ୍ପରାରେ ବିଶ୍ୱାସ ରଖିବାକୁ ପଡ଼ିବ। ନିର୍ବାଚନକୁ ଦୁର୍ନୀତିମୁକ୍ତ କରିବାକୁ ହେଲେ ନିର୍ବାଚନ କମିସନଙ୍କୁ ସଂପୂର୍ଣ୍ଣ ସ୍ୱାଧୀନତା ଦେବା ଦରକାର। ଏଥିପାଇଁ ନିର୍ବାଚନର ୬ମାସ ପୂର୍ବରୁ ପ୍ରତିଦ୍ୱନ୍ଦ୍ୱୀମାନେ କମିସନଙ୍କ କାର୍ଯ୍ୟାଳୟରେ ଧାର୍ଯ୍ୟ ଟଙ୍କା ପଇଠ କରିବାକୁ ପଡ଼ିବ। ନିର୍ବାଚନରେ ପ୍ରତିଯୋଗିତା କରୁଥିବା ସମସ୍ତ ଖର୍ଚ କମିସନଙ୍କ ଦ୍ୱାରା କରାଯିବ। ଯାହାଫଳରେ ନିର୍ବାଚନରେ ସ୍ୱଚ୍ଛତା ଆସିପାରିବ ବୋଲି ଶ୍ରୀ କାନୁନ୍‌ଗୋ ମତବ୍ୟକ୍ତ କରିଥିଲେ। ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର କହିଲେ, ଅସାଧୁ ଉପାୟରେ ପ୍ରତିଷ୍ଠିତ ଗଣତନ୍ତ୍ର କେବେ ସ୍ଥାୟୀ ହୋଇପାରିବ ନାହିଁ। ଜାତି, ଟଙ୍କା ଓ ବିଚାରଧାରା ଉପରେ ପ୍ରଭାବିତ ନ ହୋଇ ଭଲ ପ୍ରତିନିଧିଙ୍କୁ ବାଛିବାକୁ ପଡ଼ିବ ବୋଲି ଶ୍ରୀ ମିଶ୍ର କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପି ମୁଖପାତ୍ର ଭୃଗୁ ବକ୍ସିପାତ୍ର, ସଜ୍ଜନ ଶର୍ମା, ବିଜେଡିର ତେଜେଶ୍ୱର ପରିଡ଼ା, ସୁଲୋଚନା ଦାସ, କଂଗ୍ରେସ ନେତା ଗଣେଶ୍ୱର ବେହେରା, ସିପିଆଇଏମ୍‌ର ସନ୍ତୋଷ ଦାସ, ସିପିଆଇ ନେତା ସୌରୀବନ୍ଧୁ କର, ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ଆଇନଜୀବୀ ଧନେଶ୍ୱର ମହାନ୍ତି, ଆଇନଜୀବୀ ଧରଣୀଧର ନାୟକ, ସାମ୍ବାଦିକ ଅଶୋକ ପ୍ରଧାନ ଓ ଡା.ସେବା ମହାପାତ୍ର ପ୍ରମୁଖ ଆଲୋଚକ ଭାବେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମର ବିଭିନ୍ନ ଅଧିବେଶନରେ ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର, ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ନିର୍ଦେଶକ ବୈକୁଣ୍ଠନାଥ ପାଣିଗ୍ରାହୀ ଓ ପୂର୍ବତନ ପୁଲିସ ମହାନିର୍ଦେଶକ ଅମିୟ ଭୂଷଣ ତ୍ରିପାଠୀ ପ୍ରମୁଖ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ଓଡ଼ିଶା ଇଲେକ୍ସନ୍‌ ଓ୍ଵାଚ୍‌ର ସଂଯୋଜକ ରଂଜନ ମହାନ୍ତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର