ବାତ୍ୟା ମୁକାବିଲାରେ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ପ୍ରଶଂସା

ଭୁବନେଶ୍ବର: ବାତ୍ୟା ତିତ୍‌ଲି ଓଡ଼ିଶା ରାଜ୍ୟ ସରକାର ସଫଳ ମୁକାବିଲା କରିଛନ୍ତି। ଏହି ସଫଳତା ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାର। ସରକାରଙ୍କର ‘ଜିରୋ କାଜୁଆଲିଟି’ ପ୍ରସ୍ତୁତିକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଏନ୍‌ଡିଏମ୍‌ଏ)ର ଚଳିତମାସ ପ୍ରକାଶିତ ଡିଜିଟାଲ ପତ୍ରିକା ‘ଆପଦା ସମ୍ବାଦ’ରେ ଏହି ପ୍ରଶଂସାପୂର୍ଣ୍ଣ ଆଲେଖ୍ୟ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ସ୍ବତନ୍ତ୍ର ରିଲିଫ୍ କମିସନର ବିଷ୍ଣୁପଦ ସେଠୀ ରାଜ୍ୟ ପ୍ରଶାସନର ସହାୟତାରେ ବାତ୍ୟା ମୁକାବିଲା ପରିଚାଳନା କରିଛନ୍ତି। ଏହି ପ୍ରସ୍ତୁତି ଓ ମୁକାବିଲାକୁ ବିରୋଧୀ ଦଳ ବିଫଳତା ବୋଲି ଦର୍ଶାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଏନ୍‌ଡିଏମ୍‌ଏ ଓଡ଼ିଶାର ଏହି କାର୍ଯ୍ୟକୁ ପ୍ରଶଂସା କରିବା ରାଜ୍ୟ ସରକାରଙ୍କର ଦକ୍ଷତାକୁ ପ୍ରମାଣ କରିଛି।

ଏହି ପତ୍ରିକାର ନଭେମ୍ବର ସଂଖ୍ୟାରେ ଆରବ ସାଗରରେ ଉଠିଥିବା ଲାବାନ୍‌ ଓ ବଙ୍ଗୋପସାଗରରେ ଉଠିଥିବା ତିତ୍‌ଲି ସଂକ୍ରାନ୍ତରେ ଉଲ୍ଲେଖ ରହିଛି। ଲାବାନ୍‌ ଉପକୂଳ ଛୁଇଁବା ପୂର୍ବରୁ ଦୁର୍ବଳ ହୋଇଯାଇଥିବା ବେଳେ ତିତ୍‌ଲି ତା’ର ପ୍ରକୋପ ବିସ୍ତାର କରିଥିଲା। ୧୪୯ କିଲୋମିଟର ବେଗରେ ପବନ ଓଡ଼ିଶା ଭିତରକୁ ମାଡ଼ି ଆସିଥିଲା। ଜିରୋ କାଜୁଆଲିଟି ପାଇଁ ଖାଲୁଆ ଅଞ୍ଚଳରୁ ସରକାର ସ୍ଥାନାନ୍ତରଣ କରିଥିଲେ। ଦୁଇଦିନ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା ହୋଇଥିବା ବେଳେ ଖୋର୍ଦ୍ଧା ରୋଡ୍‌-ବିଶାଖାପାଟଣା ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଥିଲା। ମୁକାବିଲା ପାଇଁ ସୁରକ୍ଷା ବଳଙ୍କ ସହ ଏନ୍‌ଡିଆରଏଫ୍‌ ଟିମ୍‌ ଆଲର୍ଟ କରାଯାଇଥିବା ବେଳେ ବାତ୍ୟା ପର ବନ୍ୟାର ମଧ୍ୟ ସଫଳ ମୁକାବିଲା କରାଯାଇଥିଲା। କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରାଳୟ, ଏନ୍‌ଡିଏମ୍‌ଏ, ଏନ୍‌ଡିଆରଏଫ୍‌ ଓ ଭାରତୀୟ ପାଣିପାଗ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ କେନ୍ଦ୍ର କ୍ୟାବିନେଟ୍‌ ସଚିବ ପି.କେ ସିହ୍ନା ତିତ୍‌ଲି ନେଇ ଏନ୍‌ସିଏମ୍‌ସି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ତିତ୍‌ଲିରେ ୯୩ ଜଣ ମୃତ୍ୟୁବରଣ କରିଥିବା ବେଳେ ୭୭ ଜଣ ଓଡ଼ିଶାରୁ ରହିଥିଲେ। ଗଜପତିରୁ ୫୨, ଗଞ୍ଜାମରୁ ୧୯, କନ୍ଧମାଳରୁ ୨, କେଉଁଝର, ନୟାଗଡ଼, ଅନୁଗୁଳ ଏବଂ କଟକରୁ ଜଣେ ଲେଖାଏଁ ଏହି ତାଲିକାରେ ରହିଥିବା ବେଳେ ୬୦ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ସଫଳ ମୁକାବିଲା ଯୋଗୁ ଏହି ସଂଖ୍ୟା ଦୁଇଅଙ୍କରେ ସୀମିତ ରହିଥିଲା। ସେହିଭଳି ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ୍‌ରେ ୧୪ ଓ ଭିଜୟନଗରମ୍‌ରେ ୨ ଜଣ ଏଭଳି ମୋଟ୍‌ ୧୬ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୧୪ ଲକ୍ଷ ଲୋକ ଏହି ବାତ୍ୟା ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିଲେ। ଯାହାକୁ ସମ୍ପୃକ୍ତ ଡିଜିଟାଲ ପତ୍ରିକାରେ ପ୍ରସଂଶା କରାଯାଇଛି।

ସମ୍ବନ୍ଧିତ ଖବର