ଋଣଭାର ସହି ନପାରି ଚାଷୀଙ୍କ ଆତ୍ମହତ୍ୟା

ସିମୁଳିଆ : ଋଣଭାର ସହି ନପାରି ଆଜି ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। ଏ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ୍‌ ଅଧୀନ ବରି ଗ୍ରାମରେ। ସୂଚନା ମିଳିଛି; ବରି ଗାଁର ଚାଷୀ ମଙ୍ଗଳ ଶିଅଳ ମାର୍କୋଣା ସ୍ଥିତ କାନରା ବ୍ୟାଙ୍କରୁ ୪ ଲକ୍ଷ ଟଙ୍କା କୃଷି ଓ ଗୃହଋଣ କରିଥିଲେ। ସେହିପରି ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ, ସିମୁଳିଆ ଶାଖା ଅଧୀନ ଚଣ୍ଡିଘର ସେବା ସମବାୟ ସମିତିରୁ ମଧ୍ୟ ୭୫ ହଜାର ୩୭୮ ଟଙ୍କା ଋଣ କରିଥିଲେ। ଏହାକୁ ଛାଡ଼ି ଗାଁ ଲୋକଙ୍କର ମଧ୍ୟ କିଛି ହାତଉଧାରୀ ଥିଲା। ଧାନଚାଷ ଅମଳ ପରେ ଋଣ ସୁଝିଦେବେ ବୋଲି ଭାବିଥିଲେ। ହେଲେ ଧାନଗଛରେ ରୋଗପୋକ ଯୋଗୁ ଚାଷ କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ଭଲ ଅମଳ ନହେବା ଆଶଙ୍କାରେ ମଙ୍ଗଳ ମାନସିକ ଭାରସାମ୍ୟ ହରାଇବସିଥିଲେ। ଶେଷରେ ଋଣ ସୁଝିବା ଚିନ୍ତା ତାଙ୍କୁ ମାଡ଼ିବସିଥିଲା। ସେଥିରୁ ମଙ୍ଗଳ ମୁକୁଳି ନପାରି ଶେଷରେ ଜୀବନ ହାରିଦେଲେ। ବିଷ ପିଇ ଗୁରୁତର ହେବା ପରେ ପରିବାର ଲୋକ ତାଙ୍କୁ ପ୍ରଥମେ ମାର୍କୋଣା ଓ ପରେ ଭଦ୍ରକ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ମଙ୍ଗଳଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

ବରଗଡ଼ରେ ପୁଣି ବିଷ ପିଇଲେ ଚାଷୀ

ବରଗଡ଼ : ଚଳିତ ମାସ ତୃତୀୟଥର ପାଇଁ ଜିଲ୍ଲାରେ ଚାଷୀ ଆତ୍ମହତ୍ୟା ଘଟଣା ଅଭିଯୋଗ ହୋଇଛି। ବିଷ ପିଇ ବରଗଡ଼ ସଦର ବ୍ଲକ ତୋରା ଗ୍ରାମର ଅକ୍ଷୟ ଧରେଇ (୫୮)ଙ୍କ ମୃତ୍ୟୁ ଘଟିଛି। ଋଣ ବୋଝ ଯୋଗୁଁ ଅକ୍ଷୟ ବେଶ୍‌ କିଛି ଦିନ ହେଲା ମାନସିକ ଅବସାଦରେ ରହୁଥିଲେ। ଏଥିପାଇଁ ସେ ବିଷ ପିଇଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ କହିବା ହେଲା ଅକ୍ଷୟ ୯ ଏକର ଜମିରେ ଧାନ ଚାଷ କରିଥିଲେ। ଭଲ ଧାନ ହୋଇଥିଲେ ବି ଚକଡା ପୋକ ଯୋଗୁଁ ସବୁକିଛି ନଷ୍ଟ ହୋଇଯାଇଥିଲା। ଚାଷ କାମ ପାଇଁ ଅକ୍ଷୟ ବିଭିନ୍ନ ସୋସାଇଟି, ବ୍ୟାଙ୍କରୁ ଋଣ ଏବଂ ହାତଉଧାରି ବାବଦକୁ ମୋଟ ୩ ଲକ୍ଷ ଟଙ୍କା ଆଣିଥିଲେ। ତେବେ ଚକଡା ପୋକ ଲାଗିବାରୁ ଫସଲ ବ୍ୟାପକ ଭାବରେ ନଷ୍ଟ ହୋଇଥିଲା। ଋଣ ଚିନ୍ତା ଯୋଗୁଁ ରବିବାର ରାତିରେ ଅକ୍ଷୟ ଘରେ ବିଷ ପିଇ ଦେଇଥିଲେ। ଆଜି ସକାଳୁ ଘରଲୋକେ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର