କରୋନାରୁ ସୁସ୍ଥ ହେଉଛି ଓଡ଼ିଶା: କ୍ରମାଗତ ଚତୁର୍ଥ ଦିନରେ ଆକ୍ରାନ୍ତ କମ, ସୁସ୍ଥ ବେଶୀ

ବିଗତ ଚାରି ଦିନରେ ଯାଜପୁର ଜିଲ୍ଲାରୁ ସର୍ବାଧିକ ୭୦ ଜଣ ସୁସ୍ଥ

ଭୁବନେଶ୍ୱର: ଓଡ଼ିଶା ସଫଳତାର ସହିତ କରୋନା ମୁକାବିଲା କରୁଛି । ବିଗତ ୪ ଦିନର ରେକର୍ଡକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେଉଛି । ଚାରି ଦିନ ମଧ୍ୟରେ ୨୮୫ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩୨୮ ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୨୯ଟି ଜଲ୍ଲାରୁ ମୋଟ ୧୭୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ରାଜ୍ୟରେ ଆଜି ୬୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ୨୭ ତାରିଖରେ ୭୬ ଜଣ ଓ ୨୬ ତାରିଖରେ ୭୯ ଜଣ କରୋନା ଭାଇରସ ଆକ୍ରାନ୍ତ ହୋଇଥିଲେ । ଅର୍ଥାତ କ୍ରମାଗତ ୪ ଦିନରେ ରାଜ୍ୟରେ ୨୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଅପରପକ୍ଷେ କରୋନା ଭାଇରସରେ ରାଜ୍ୟରେ ଆଜି ଯାଏଁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୭୭ ଜଣ ସୁସ୍ଥ ହୋଇଛନ୍ତି । ଅର୍ଥାତ ରାଜ୍ୟରେ କରୋନାରୁ ୫୬.୭୦ ପ୍ରତିଶତ ରୋଗୀ ସୁସ୍ଥ ହୋଇଛନ୍ତି । ରାଜ୍ୟରେ କାଲି ପର୍ଯ୍ୟନ୍ତ ୫୩.୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ଆଜି ରାଜ୍ୟର ବିଭିନ୍ନ ୯ଟି ଜିଲ୍ଲାରୁ ୯୦ ଜଣ (ଜଗତ୍‌ସିଂହପୁରରୁ ୨୩, ଯାଜପୁରରୁ ୨୨, ଭଦ୍ରକରୁ ୨୧, ଗଂଜାମରୁ ୧୫, କଟକରୁ ୩, ଖୋର୍ଦ୍ଧା ଓ ସମ୍ବଲପୁରରୁ ୨-୨ ଜଣ ଓ ବାଲେଶ୍ୱର ଓ ନୟାଗଡ଼ରୁ ଜଣେ ଲେଖାଏ) ରୋଗୀ ଭଲ ହୋଇଛନ୍ତି । ଗତକାଲି ୭୫ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ୨୭ ତାରିଖରେ ୭୯ ଓ ୨୬ ତାରିଖରେ ୮୪ ଜଣ ରୋଗୀ କରୋନା ଭାଇରସ ବିପକ୍ଷରେ ବିଜୟୀ ହୋଇଥିଲେ । ଅର୍ଥାତ କ୍ରମାଗତ ୪ ଦିନରେ ରାଜ୍ୟରେ ୩୨୮ ଜଣ ସୁସ୍ଥ ହୋଇଛନ୍ତି ।

image source-cdc

ଏହି ଚାରି ଦିନ ମଧ୍ୟରେ ଗଂଜାମ ଜିଲ୍ଲାରୁ ୬୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଯାଜପୁର ଜିଲ୍ଲାରୁ ୭୦ ଜଣ, ବାଲେଶ୍ୱର ଜିଲ୍ଲାରେ ୨୯ ଜଣ, କଟକରେ ୨୩ ଜଣ, ଭଦ୍ରକରେ ୫୫ ଜଣ, ଜଗତ୍‌ସିଂହପୁରରେ ୨୩ ଜଣ, ପୁରୀରେ ୧୯ ଜଣ, ଖୋର୍ଦ୍ଧାରେ ୯ ଜଣ, କେନ୍ଦ୍ରାପଡ଼ାରେ ୮ ଜଣ, ନୟାଗଡ଼ରେ ୬ ଜଣ, ବଲାଙ୍ଗୀର ଓ କେନ୍ଦୁଝରରେ ୪ ଜଣ, ସମ୍ବଲପୁରରେ ୩ ଜଣ, କନ୍ଧମାଳ ଓ ମୟୂରଭଂଜରେ ୨-୨ ଜଣ, ବୌଦ୍ଧ, ସମ୍ବଲପୁର, ସୁନ୍ଦରଗଡ଼ରେ ଜଣେ କରୋନାରୁ ସୁସ୍ଥ ହୋଇଛନ୍ତି ।

 

ସମ୍ବନ୍ଧିତ ଖବର