ଲକ୍ଷ୍ୟ ନିର୍ବାଚନ, ଏଜେଣ୍ଡା ବିକାଶ

୧୨ହଜାର ୭୯୦ କୋଟିର ଅତିରିକ୍ତ ବଜେଟ୍‌, ଗ୍ରାମାଞ୍ଚଳ ଓ ଭିତ୍ତିଭୂମି ବିକାଶ ଉପରେ ନଜର, କୃୃଷି ଋଣଛାଡ଼ ପାଇଁ ଅର୍ଥ ବରାଦ ହୋଇନାହିଁ, ରାଜ୍ୟ ଋଣ ପରିମାଣ ୭୬ହଜାର କୋଟି ଛୁଇଁଲା

ଭୁବନେଶ୍ୱର : ଆର୍ଥିକ ଚାପ ସତ୍ତ୍ୱେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ୧୨ହଜାର ୭୯୦ କୋଟି ଟଙ୍କାର ଏକ ବଡ଼ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଛନ୍ତି। ପ୍ରମୁଖ କିଛି ବର୍ଗଙ୍କୁ ତୁଷ୍ଟୀକରଣ କରିବା ଲାଗି ଏଥିରେ ଢେର୍‌ ଉଦ୍ୟମ କରାଯାଇଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଭିତ୍ତିଭୂମି ପାଇଁ ଅତିରିକ୍ତ ବଜେଟ୍‌ରେ ଅଧାରୁ ଅଧିକ ଅର୍ଥ ବ୍ୟୟ ବରାଦ କରାଯାଇଛି। କେବଳ ସେତିକି ନୁହେଁ, ସରକାର ବିକାଶକୁ ଏଜେଣ୍ଡା କରି ନିର୍ବାଚନୀ ମଇଦାନକୁ ଓହ୍ଲାଇବାକୁ ସଜବାଜ ହେଉଛନ୍ତି, ଏ କଥା ବି ଅତିରିକ୍ତ ବଜେଟ୍‌ରୁ ଆଭାସ ମିଳୁଛି।

ଗୋଟିଏ ପଟେ ନୂଆଦିଲ୍ଲୀରେ ବିଜେଡି ସାଂସଦ ପିନାକୀ ମିଶ୍ର ଆଗୁଆ ନିର୍ବାଚନ ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିସନଙ୍କୁ ଭେଟିଛନ୍ତି। ଏପଟେ ଲୋକସଭା ସହିତ ବିଧାନସଭା ଏକକ ନିର୍ବାଚନ ପରିଚାଳନା ପାଇଁ ଅତିରିକ୍ତ ବଜେଟ୍‌ ପ୍ରସ୍ତାବରେ( ୪୧ କୋଟି) ଅର୍ଥ ବରାଦ କରାଯାଇଥିବା ଦେଖାଯାଇଛି। ଏହା ବି ସରକାରଙ୍କର ନିର୍ବାଚନୀ ପ୍ରସ୍ତୁତି ସଂପର୍କରେ ସଙ୍କେତ ଦେଉଛି।

ଆଜି ବିଜେପି ବିଧାୟକଙ୍କ ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ଅତିରିକ୍ତ ବଜେଟ୍‌ ପ୍ରସ୍ତାବ ଗୃହକୁ ଆଣିଥିଲେ। ମୂଳ ବଜେଟ୍‌ ଓ ଅତିରିକ୍ତ ବଜେଟ୍‌କୁ ମିଶାଇଲେ, ୨୦୧୮-୧୯ ଆର୍ଥିକ ବର୍ଷରେ ମୋଟ ବ୍ୟୟବରାଦ କ୍ଷେତ୍ରରେ ସରକାର ସର୍ବକାଳୀନ ରେକର୍ଡ କରିବାକୁ ଉଦ୍ୟମ କରିଛନ୍ତି। ଏହି ବର୍ଷରେ ମୋଟ ୧ଲକ୍ଷ ୩୨ହଜାର ୮୧୮ କୋଟି ଟଙ୍କା ବିନିଯୋଗ ହେବା ପାଇଁ କ୍ଷେତ୍ର ପ୍ରସ୍ତୁତି ହୋଇଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସପ୍ତମ ଅର୍ଥ କମିସନଙ୍କ ବକେୟା ୬୦% ପ୍ରଦାନ ପାଇଁ କୌଣସି ବ୍ୟୟ ବରାଦ ହୋଇନାହିଁ। ସେହିପରି ଚାଷୀଙ୍କ ଋଣଛାଡ ନେଇ ମଧ୍ୟ ଅର୍ଥ ବରାଦ କରିନାହାନ୍ତି ସରକାର।

ଅର୍ଥମନ୍ତ୍ରୀ ଶ୍ରୀ ବେହେରା ଆଗୁଆ ତଥା ବଡ଼ ଅତିରିକ୍ତ ବଜେଟ୍‌ ସଂପର୍କରେ ଯୁକ୍ତି ରଖି କହିଥିଲେ, ବାର୍ଷିକ ବ୍ୟୟବରାଦ ପରବର୍ତୀ ସମୟରେ ରାଜ୍ୟ ସରକାର ନୂତନ ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ଅନେକ ନିଷ୍ପତ୍ତି ନେଇଛନ୍ତି। ପ୍ରଚଳିତ କେନ୍ଦ୍ର ଯୋଜନା ଓ କେନ୍ଦ୍ର ପ୍ରବର୍ତିତ ଯୋଜନା ଓ ଭାରତ ସରକାରଙ୍କ ଦ୍ୱାରା ଘୋଷିତ ନୂତନ କେନ୍ଦ୍ରୀୟ ପ୍ରବର୍ତିତ ଯୋଜନା ପାଇଁ ଅତିରିକ୍ତ ବ୍ୟୟ ବରାଦର ଆବଶ୍ୟକତା ଥିଲା। ସେହିଭଳି ଓଡ଼ିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମ ଅର୍ଥର ଭରଣା ଜରୁରି ହୋଇପଡିଥିଲା। ଏଣୁ ସରକାର ଆଗୁଆ ବଜେଟ୍‌ କରିବାକୁ ବାଧ୍ୟ ହୋଇଛନ୍ତି।

ଏହି ଅବସରରେ ଅତିରିକ୍ତ ବଜେଟ୍‌ ରୂପରେଖ ବର୍ଣ୍ଣନା କରି ଅର୍ଥମନ୍ତ୍ରୀ ଆହୁରି କହିଥିଲେ, ଏଥିରେ ଶିକ୍ଷା ସହାୟକଙ୍କୁ ନିୟମିତ ଦରମା ପାଇଁ ଅର୍ଥ ବରାଦ କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ମେଧାବୃୃତ୍ତି ପ୍ରଦାନ ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ଚାରିପାଖର ବିକାଶ, ସ୍ୱାଭିମାନ ଅଞ୍ଚଳରେ ଦିଆଯାଇଥିବା ପ୍ରତିଶ୍ରୁତି, ରାଜଧାନୀ ରାଜରାସ୍ତାକୁ ଚିକ୍‌ ଚିକ୍‌ କରିବା, ଏଲ୍‌ଇଡି ଯୋଜନା ପର୍ଯ୍ୟନ୍ତ ସବୁ କ୍ଷେତ୍ରକୁ ସରକାର ଗୁରୁତ୍ୱ ଦେଇଛନ୍ତି।

କାର୍ଯ୍ୟକ୍ରମ ବ୍ୟୟ କ୍ଷେତ୍ରରେ ୬୦୯୭ କୋଟି ବ୍ୟୟବରାଦ ହୋଇଛି, ଯେଉଁଥିରୁ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ପାଇଁ ୪୦୦ କୋଟି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ବିଜୁ ପକ୍କା ଘର ପାଇଁ ୧୫୦୦ କୋଟି, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ୨୦୬୫ କୋଟି ଟଙ୍କା ଖର୍ଚ୍ଚ ହେବ। ସ୍ୱଚ୍ଛ ଭାରତ ମିସନ ପାଇଁ ବଜେଟ୍‌ରେ ୧୦୦୦ କୋଟି, ଜାତୀୟ ଗ୍ରାମୀଣ ଜୀବିକା ମିସନ ପାଇଁ ୨୧୧ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଆମ ଘରେ ଏଲ୍‌ଇଡି ଯୋଜନା ପାଇଁ ୧୦୦ କୋଟି ଟଙ୍କାର ଦିଆଯାଇଛି। କେନାଲ ବନ୍ଧ ରାସ୍ତାର ନବୀକରଣ ପାଇଁ ମଧ୍ୟ ୨୦୦ କୋଟି ଖର୍ଚ୍ଚ ହେବ।

ଏହାବ୍ୟତୀତ ସହରାଞ୍ଚଳ ଉନ୍ନୟନ ପାଇଁ ୫୮୯ କୋଟି ବ୍ୟୟ ବରାଦ ହୋଇଛି, ଯେଉଁଥିରୁ ସରକାରଙ୍କ ବଡ଼ ଯୋଜନା ଜାଗା ମିସନ ପାଇଁ ୧୦୦ କୋଟି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ପାଇଁ ୩୦୦ କୋଟି, ଅମୃତ ଯୋଜନା ପାଇଁ ୮୦ କୋଟି ଟଙ୍କା, ଓଡ଼ିଶା ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ପାଣ୍ଠି ପାଇଁ ୨୨ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି।

ସାମାଜିକ କ୍ଷେତ୍ରରେ ୧୩୫୦ କୋଟିର ବ୍ୟୟ ବରାଦ ମଧ୍ୟରୁ ସର୍ବଶିକ୍ଷା ଯୋଜନାରେ ରାଜ୍ୟ ସହାୟତା ବାବଦରେ ୨୪୨ କୋଟି, ମଧ୍ୟାହ୍ନ ଭୋଜନ ପାଇଁ ରାଜ୍ୟ ସହାୟତା ବାବଦକୁ ୨୩ କୋଟି, ଅନୁସୂଚିତ ଜାତି ଓ ଜନଜାତି ମେଧାବୃତ୍ତି ପାଇଁ ୨୬୩ କୋଟି ବ୍ୟୟ ବରାଦ ହୋଇଛି।

ଅନ୍ୟପକ୍ଷରେ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହିନକାନ୍ତ ପାଣ୍ଡେ କହିଥିଲେ ଯେ ଅତିରିକ୍ତ ବଜେଟ୍‌ରେ ପ୍ରଶାସନିକ ବ୍ୟୟ ବାବଦରେ ୧୮୦୦ କୋଟି ଟଙ୍କା, କାର୍ଯ୍ୟକ୍ରମ ବ୍ୟୟ କ୍ଷେତ୍ରରେ ୯୬୧୧ କୋଟି ଟଙ୍କା, ବିପର୍ଯ୍ୟୟ ଓ ପ୍ରଶମନ ପାଣ୍ଠି ପାଇଁ ୧୩୬୪ କୋଟି ଟଙ୍କା ଏବଂ ରାଜ୍ୟ ବଜେଟ୍‌ରୁ ସ୍ଥାନାନ୍ତର ସ୍ୱରୂପ ୧୫ କୋଟି ଟଙ୍କା ଏମିତି ୪ଟି କ୍ଷେତ୍ରକୁ ମିଶାଇ ମୋଟ ୧୨ହଜାର ୭୯୦ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ୍‌ ପ୍ରସ୍ତୁତ କରାଯାଇଛି।

ଅତିରିକ୍ତ ବଜେଟ୍‌ରେ ଯେଉଁ ବ୍ୟୟବରାଦ କରାଯାଇଛି, ତାର ପ୍ରାୟ ଏକ ତୃତୀୟାଂଶରୁ ଅଧିକ ଅର୍ଥାତ୍‌ ୫୧୬୬ କୋଟି ଟଙ୍କା ସହବନ୍ଧିତ ଅର୍ଥାତ୍‌ ଟାଏଡ୍‌-ଅପ୍‌ ସମ୍ବଳ ସୂତ୍ରରୁ ମିଳିବ। ସେହିପରି ଅଣବନ୍ଧିତ (ଅନ୍‌ ଟାଏଡ୍‌) ସମ୍ବଳରୁ ୧୦୦୦କୋଟି ଟଙ୍କା ଆସିବ। ବିଭିନ୍ନ ଯୋଜନା ପାଇଁ ମୂଳ ବଜେଟ୍‌ରେ ଦିଆଯାଇଥିବା ଅର୍ଥରୁ ପାଖାପାଖି ୧୦୮୨ କୋଟି ଖର୍ଚ ହୋଇପାରିବ ନାହିଁ ବୋଲି ହିସାବ କରାଯାଇଛି। ଏ ଟଙ୍କା ଅତିରିକ୍ତ ବଜେଟ୍‌ରେ ଅନ୍ୟ ଖର୍ଚ ପାଇଁ ବରାଦ ହୋଇଛି। ଏବଂ ସଞ୍ଚୟ ଓ ଫେରସ୍ତ ବାବଦରେ ୫୫୪୨ କୋଟି ଟଙ୍କା ମିଳିବ ଯାହାକୁ ଅତିରିକ୍ତ ବ୍ୟୟ ବରାଦ ବାବଦରେ ଖର୍ଚ କରାଯିବ ବୋଲି ଶ୍ରୀ ପାଣ୍ଡେ ହିସାବ ଦେଇଛନ୍ତି।

ଏହା ସତ୍ତ୍ୱେ ଆର୍ଥିକ ସ୍ଥିତି ଆୟତ୍ତ ବାହାରକୁ ଯାଇନି ବୋଲି ସରକାର ଯୁକ୍ତି ରଖିଛନ୍ତି। ଦର୍ଶାଇଛନ୍ତି, ମୂଳ ବଜେଟ୍‌ରେ ସରକାର ପ୍ରସ୍ତାବ ରଖିଥିଲେ ଯେ ବଢାଚଢା ଖର୍ଚ୍ଚକୁ ଭରଣା କରିବା ଲାଗି ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୧୯ ହଜାର ୬୭୮କୋଟି ଟଙ୍କାର ଋଣ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଏ ମଧ୍ୟରୁ ଖୋଲା ବଜାରରୁ ପ୍ରାୟ ୧୨ହଜାର ୩୨ କୋଟି ଟଙ୍କା ଋଣ ଉଠାଇବାକୁ ଲକ୍ଷ୍ୟ ରଖାଯାଇଥିଲା। ଏବେ ସୁଦ୍ଧା ପ୍ରାୟ ୪ହଜାର କୋଟି ଟଙ୍କା ସରକାର ଖୋଲା ବଜାରରୁ ଋଣ ଉଠାଇଛନ୍ତି। ଏଥିସହିତ ବର୍ତ୍ତମାନ ସୁଦ୍ଧା ରାଜ୍ୟର ସମୁଦାୟ ଋଣ ପରିମାଣ ୭୬ ହଜାର ୪୨୮ କୋଟିରେ ପହଞ୍ଚିଛି।

ରାଜସ୍ୱ ଆୟ ବୃଦ୍ଧି ସଂପର୍କରେ ସୂଚନା ଦେଇ ଶ୍ରୀ ପାଣ୍ଡେ କହିଥିଲେ, ଗତବର୍ଷ ତୁଳନାରେ ଚଳିତବର୍ଷ ନିଜସ୍ୱ ଟିକସ କ୍ଷେତ୍ରରେ ୩୩.୦୯% ଅଭିବୃଦ୍ଧି ଘଟିଛି। ସେହିପରି ଅଣଟିକସ କ୍ଷେତ୍ରରେ ଏହି ହାର ୩୪.୯୫% ରହିଛି। ଉଭୟ ଟିକସ ଓ ଅଣଟିକସ ମିଶାଇଲେ, ଅଭିବୃଦ୍ଧି ହାର ହାରାହାରି ୩୪% ହେଉଛି। ଏମିତିରେ ବି ରାଜ୍ୟ ସରକାରଙ୍କୁ ଜିଏସ୍‌ଟି କ୍ଷତିପୂରଣ ବାବଦରେ ଗତବର୍ଷ ୯ମାସ ପାଇଁ ୨୨୬୪ କୋଟି ଟଙ୍କା ମିଳିଥିଲା। ଏବର୍ଷ ଏଯାଏ ୯୬୮ କୋଟି ଟଙ୍କା ମିଳିଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ମୂଳ ବଜେଟ୍‌ରେ ୧ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କାର ବାର୍ଷିକ ବଜେଟ୍‌ (୨୦୧୮-୧୯ ଆର୍ଥିକ ବର୍ଷ) ଉପସ୍ଥାପନ କରିଥିଲେ। ବିଗତ ବର୍ଷ ତୁଳନାରେ ବଜେଟ୍‌ରେ ୧୨.୩% ବୃଦ୍ଧି ଘଟିଥିଲା। ଅର୍ଥମନ୍ତ୍ରୀ ସେତେବେଳେ କହିଥିଲେ, ରାଜ୍ୟର ନିଜସ୍ୱ ଓ କେନ୍ଦ୍ରୀୟ ଟିକସ ଓ ଅନୁଦାନ ଆଦି ମିଶାଇ ମୋଟ ୧ଲକ୍ଷ ୨୦୦ କୋଟି ଟଙ୍କା ମିଳିବ। ଏଥିରୁ କେନ୍ଦ୍ରୀୟ ଟିକସ ବାବଦରେ ରାଜ୍ୟ ଅଂଶ ବାବଦକୁ ୩୬ ହଜାର ୫୮୬ କୋଟି, ରାଜ୍ୟର ନିଜସ୍ୱ ଟିକସ ୨୮ ହଜାର ୫୫୦ କୋଟି ଟଙ୍କା, ନିଜସ୍ୱ ଅଣ ଟିକସ ବାବଦରେ ୧୦ହଜାର ୩୦୦ କୋଟି ଟଙ୍କା ଓ କେନ୍ଦ୍ରୀୟ ଅନୁଦାନ ବାବଦରେ ୨୪ ହଜାର ୭୬୪ କୋଟି ଟଙ୍କା ମିଳିବ।

ବ୍ୟୟବରାଦ: କାହା ପାଇଁ କେତେ

ମୋ ସ୍କୁଲ ଅଭିଯାନ- ୩୫ କୋଟି
ଏସ୍‌ଟି ଏସ୍‌ସି ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି- ୨୬୩ କୋଟି
ଅନ୍ୟାନ୍ୟ ପଛୁଆ ବର୍ଗ ତଥା ସଂଖ୍ୟାଲଘୁଙ୍କ ଆବାସ ନିର୍ମାଣ- ୨୦ କୋଟି
ସ୍ୱାସ୍ଥ୍ୟସେବା ପାଇଁ ୩୦୧ କୋଟି
ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତୀକରଣ ଯୋଜନା- ୫୦ କୋଟି
ସମନ୍ଵିତ ଶିଶୁ ଉନ୍ନୟନ ଯୋଜନା- ୮୦ କୋଟି
ମଧୁବାବୁ ପେନ୍‌ସନ୍‌ ଯୋଜନା- ୨୫ କୋଟି
ପୁଲିସ, ଅଗ୍ନିଶମ ସେବା ଓ କାରାଗାର ଗୃହ ନିର୍ମାଣ- ୫୦ କୋଟି
ରାଜ୍ୟ ରାଜଧାନୀ ପ୍ରକଳ୍ପ- ୬୮ କୋଟି
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କୋଠାବାଡ଼ି ନିର୍ମାଣ- ୧୧ କୋଟି
୧ ଟଙ୍କିଆ ଚାଉଳ ପ୍ରଦାନ ଯୋଜନାରେ ଅଧିକ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା- ୮୧ କୋଟି
ନକ୍ସଲ ପ୍ରଭାବିତ ଅଞ୍ଚଳରେ ସଡ଼କ ପୁନଃନିର୍ମାଣ
ଯୋଜନା- ୧୩୫ କୋଟି
ରାଜ୍ୟ ରାଜପଥ ଉନ୍ନୟନ ପ୍ରକଳ୍ପ- ୪୦ କୋଟି
ସଡ଼କ ଉନ୍ନୟନ କାର୍ଯ୍ୟକ୍ରମ- ୫୦ କୋଟି
ବିଜୁ ଏକ୍ସପ୍ରେସ୍‌ ମାର୍ଗ- ୩୦ କୋଟି
ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱର ଉନ୍ନତିକରଣ ପାଇଁ ଉଦ୍ଦିଷ୍ଟ ଅଭଡ଼ା ଯୋଜନା- ୨୦ କୋଟି
ସମନ୍ଵିତ ଯୁବ ବର୍ଗ ଉନ୍ନୟନ କାର୍ଯ୍ୟକ୍ରମ- ୫୩ କୋଟି
ଓଡ଼ିଶା ବିଶ୍ୱକପ୍‌ ହକି ୨୦୧୮- ୨୩ କୋଟି
ଅନ୍ୟାନ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ- ୧୬ କୋଟି
ସ୍ୱତନ୍ତ୍ର ଉନ୍ନୟନ ପାଣ୍ଠି- ୧୦୦ କୋଟି
ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭ୍‌- ୧୨ କୋଟି
ପଶ୍ଚିମାଞ୍ଚଳ ଓଡ଼ିଶା ଉନ୍ନୟନ ପରିଷଦକୁ ଅନୁଦାନ ପ୍ରଦାନ- ୨୦ କୋଟି
ବସ୍‌ ଟର୍ମିନାଲ୍‌ ଓ ଆନୁସଙ୍ଗିକ ଭିତ୍ତିଭୂମିର ଉନ୍ନତିକରଣ- ୨୦ କୋଟି
ସବୁଜ ମହାନଦୀ ମିସନ- ୩୦ କୋଟି
ଆଦିବାସୀ ଅଞ୍ଚଳରେ ମିଲେଟ୍‌ର ପ୍ରୋତ୍ସାହନ ନିମିତ୍ତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ- ୧୦୦ କୋଟି
ପୋଷଣୀୟ କୃଷି ପାଇଁ ଜାତୀୟ ମିସନ- ୪୫ କୋଟି
ଜାତୀୟ ଉଦ୍ୟାନ ମିସନ- ୪୫ କୋଟି
କୃଷି ଓ ବୈଷୟିକ ଜ୍ଞାନର ସଂପ୍ରସାରଣ ଜାତୀୟ ମିସନ- ୩୨ କୋଟି
ହସ୍ତତନ୍ତ ଶିଳ୍ପର ପ୍ରୋତ୍ସାହନ- ୧୦ କୋଟି
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରିମିୟମ- ୨୦୦ କୋଟି
ଶସ୍ୟ ଋଣ ନିମିତ୍ତ ରିହାତି ସୁଧ- ୧୩୬ କୋଟି
ବରଗଡ଼ ଚିନିକଳ ପୁନରୁଦ୍ଧାର- ୬ କୋଟି
ବେସରକାରୀ ମହାବିଦ୍ୟାଳୟଗୁଡ଼ିକୁ ଅନୁଦାନ- ୨୭ କୋଟି
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା- ୩୪ କୋଟି
ଭାଗବତ ଟୁଙ୍ଗିର ପୁନରୁଦ୍ଧାର ଓ ନବୀକରଣ- ୯ କୋଟି

ସମ୍ବନ୍ଧିତ ଖବର