କଟକ : ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ବିଭିନ୍ନ ହୋଟେଲ୍, କ୍ଲବ୍ ଇତ୍ୟାଦି ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ସେସବୁ ସ୍ଥାନରେ ଅଗ୍ନିନିର୍ବାପକ ବ୍ୟବସ୍ଥା ସଂପୂର୍ଣ୍ଣ ସୁରକ୍ଷିତ ରହିଛି କି ନାହିଁ, ତାହା ଯାଞ୍ଚ କରିବାକୁ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। କଟକ, ଭୁବନେଶ୍ୱର, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଇତ୍ୟାଦି ସ୍ଥାନରେ ଥିବା ପ୍ରମୁଖ ହୋଟେଲ୍, କ୍ଲବ୍ ଓ ପାର୍ଟି ଆୟୋଜନ ସ୍ଥଳ ଗୁଡ଼ିକରେ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରାଯାଇଛି। ଏଥିରେ ଅଗ୍ନିଶମ ବିଭାଗର ୨୦ଟି ଟିମ୍ ସାମିଲ ହୋଇଥିଲେ। ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀମାନେ ଏହାର ନେତୃତ୍ୱ ନେଇଥିଲେ। କେଉଁଠି କି ପ୍ରକାର ତ୍ରୁଟି ରହିଛି, ସେ ସଂପର୍କରେ ଆୟୋଜକ ମାନଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି। ଅଗ୍ନି ନିର୍ବାପକ ବ୍ୟବସ୍ଥା ସଂପର୍କରେ ସେଠାରେ ନିୟୋଜିତ କର୍ମଚାରୀମାନେ କେତେ ଅବଗତ ଅଛନ୍ତି, ସେ ସଂପର୍କରେ ମଧ୍ୟ ଯାଞ୍ଚ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମା କହିବା ଅନୁଯାୟୀ ଏହି ଯାଞ୍ଚ ବେଳେ ଅନେକ ସ୍ଥାନରେ ଅଗ୍ନି ନିରାପତ୍ତା କ୍ଷେତ୍ରରେ ତ୍ରୁଟି ପରିଲକ୍ଷିତ ହୋଇଛି। ସେମାନଙ୍କୁ ଡିସେମ୍ବର ୩୧ ତାରିଖ ସଂଧ୍ୟା ସୁଦ୍ଧା ଅଗ୍ନି ନିରାପତ୍ତା ବ୍ୟବସ୍ଥା ସଜାଡ଼ିବାକୁ କୁହାଯାଇଛି। ସାଧାରଣ ଲୋକ ଯେଭଳି ସଂପୂର୍ଣ୍ଣ ସୁରକ୍ଷିତ ଢଙ୍ଗରେ ଉତ୍ସବ ପାଳନ କରିପାରିବେ, ତାହାକୁ ଗୁରୁତ୍ୱ ଦିଆଯାଉଛି। ଏ ପ୍ରକାର ଯାଞ୍ଚ ଦେଶର ପ୍ରମୁଖ ସହର ଗୁଡ଼ିକରେ ବି ଆରମ୍ଭ ହୋଇଛି। କିନ୍ତୁ ଏହି ନିୟମର ଯଦି କେହି ଖିଲାପ କରନ୍ତି ତେବେ ସେମାନଙ୍କ ବିରୋଧରେ ଓଡ଼ିଶା ଫାୟାର ପ୍ରିଭେନ୍ସନ୍ ଓ ଫାୟାର ସେଫ୍ଟି ନିୟମ-୨୦୧୭ ଅନୁଯାୟୀ ଆଇନଗତ ପଦକ୍ଷେପ ନିଆଯିବ। ଅଗ୍ନି ନିରାପତ୍ତାର ଗୁରୁତ୍ୱ ଏବଂ ଆବଶ୍ୟକତା ସଂପର୍କରେ ସଚେତନ କରାଇବା ମଧ୍ୟ ଆଜି ନିଆଯାଇଥିବା ପଦକ୍ଷେପର ଉଦ୍ଦେଶ୍ୟ ବୋଲି ଶ୍ରୀ ଶର୍ମା କହିଛନ୍ତି।