ଆନ୍ଦୋଳନକୁ ନେଇ ଅଗ୍ନିଶମ କର୍ମଚାରୀ ଦୁଇ ଭାଗ

କଟକ : ଆନ୍ଦୋଳନକୁ ନେଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଦୁଇ ଭାଗ ହୋଇଯାଇଛନ୍ତି। ଦରମାରେ ଅସଙ୍ଗତି ଦୂର ପାଇଁ ଗୋଟିଏଗୋଷ୍ଠୀ ସୋମବାରଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଡିଜିଙ୍କ ସହ ଆଲୋଚନା କରି ଆନ୍ଦୋଳନରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଥିବା ବେଳେ ଅନ୍ୟପଟେ ଆନ୍ଦୋଳନରେ ରାଜ୍ୟର ବିଭିନ୍ନ ଦମକଳ କେନ୍ଦ୍ରର ପ୍ରାୟ ୫ହଜାର କର୍ମଚାରୀ ସାମିଲ ହେବେ ବୋଲି ଦାବି କରାଯାଉଛି। ଏଭଳି ସ୍ଥିତିରେ ଦମକଳ କେନ୍ଦ୍ରଗୁଡ଼ିକ ଜରୁରିକାଳୀନ କାର୍ଯ୍ୟବେଳେ ବିପର୍ଯ୍ୟୟ ମୁକାବିଲା କିପରି କରିବ ତାକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟପଟେ କାର୍ଯ୍ୟବନ୍ଦ ଆନ୍ଦୋଳନ ଦମକଳ କେନ୍ଦ୍ର ଉପରେ କିଛି ପ୍ରଭାବ ପକାଇବ ନାହିଁ ବୋଲି ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀ କହିଛନ୍ତି। ରାଜ୍ୟର ସବୁ ଦମକଳ କେନ୍ଦ୍ରରେ ହୋମଗାର୍ଡ ଓ ସିଭିଲ୍‌ ଡିଫେନ୍ସ କର୍ମଚାରୀମାନେ ନିୟୋଜିତ ଅଛନ୍ତି। ସେମାନଙ୍କୁ ପରିଚାଳନା କରିବାକୁ ଅଫିସରମାନେ ରହିଛନ୍ତି।

ସୂଚନାନୁଯାୟୀ, ୨୦୧୦ ପରଠୁ ପୁଲିସ୍‌ କର୍ମଚାରୀମାନେ ବର୍ଦ୍ଧିତ ଦରମା ଓ ଗ୍ରେଡ୍‌ ପେ’ ପାଇଆସୁଥିଲେ ବି ଅଗ୍ନିଶମ କର୍ମଚାରୀମାନେ ପୁରୁଣା ଗ୍ରେଡ୍‌ ପେ’ ପାଉଛନ୍ତି। ୨୦୧୨ରେ ଏଏସ୍‌ଓଙ୍କ ଗ୍ରେଡ୍‌ ପେ’ ୪୦୦ ଟଙ୍କା ବଢାଯାଇଥିଲା ବେଳେ ପୁଲିସ୍‌ ଏଏସ୍‌ଆଇଙ୍କର ୨୮୦୦ ଟଙ୍କା କରାଯାଇଥିଲା। ଏହି ଅସଙ୍ଗତି ବାବଦରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। କିନ୍ତୁ କିଛି ସୁଫଳ ନମିଳିବାରୁ ଦୁଇ ଦୁଇ ଥର କାର୍ଯ୍ୟବନ୍ଦ ଆନ୍ଦୋଳନକୁ କର୍ମଚାରୀମାନେ ଓହ୍ଲାଇଥିଲେ। କିନ୍ତୁ ସବୁଥର ସରକାର କିଛି ଦିନ ସମୟ ମାଗିବାରୁ ଆନ୍ଦୋଳନକୁ ବାତିଲ କରାଯାଉଥିଲା। ହେଲେ ଏବେ ପୁଣି ଥରେ ଆନ୍ଦୋଳନ ଡାକରା ଦିଆଯାଇଥିଲାବେଳେ କର୍ମଚାରୀଙ୍କ କିଛି ଗୋଷ୍ଠୀ ଡିଜିଙ୍କ ସହ ଆଲୋଚନା କରି ଓହରିଯିବାକୁ ନିଷ୍ପତ୍ତି ନେଇଥିବା ଆନ୍ଦୋଳନ ଆବାହକ ପ୍ରକାଶ ଚନ୍ଦ୍ର ପାତ୍ର, ଧୀରାଜ ବିଧାର, ଲଲାଟେନ୍ଦୁ ମହାପାତ୍ରଙ୍କ ଦସ୍ତଖତରେ ଏକ ପ୍ରେସ୍‌ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ହେଲେ ଏହକୁ ଅନ୍ୟ ଗୋଷ୍ଠୀ ପକ୍ଷରୁ ଖଣ୍ଡନ କରାଯାଇଥିଲବେଳେ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର