ଭୁବନେଶ୍ୱର : ଜିଲ୍ଲା ଖଣିଜ ଫାଉଣ୍ଡେସନ (ଡିଏମ୍ଏଫ୍) ପାଣ୍ଠି ଆଦାୟରେ ଓଡ଼ିଶା ଦେଶରେ ସବୁଠୁ ଆଗୁଆ। ମାର୍ଚ୍ଚ ୨୦୧୮ ସୁଦ୍ଧା ୪,୪୫୩କୋଟି ଟଙ୍କା ଏଥିରେ ଆଦାୟ ହୋଇଛି। କିନ୍ତୁ ଏହା ଯେଉଁ ଉଦ୍ଦେଶ୍ୟରେ ଯାହା ପାଇଁ ବ୍ୟବହାର ହେବା କଥା ହେଉନାହିଁ। ଏହାର ପ୍ରକୃତ ହିତାଧିକାରୀଙ୍କ ପାଇଁ ଏହି ଅର୍ଥ ଖର୍ଚ୍ଚ ହେଉନି। ମାର୍ଚ୍ଚ ସୁଦ୍ଧା ଜିଲ୍ଲା ଖଣିଜ ପାଣ୍ଠିରୁ ବିଭିନ୍ନ ପ୍ରକଳ୍ପ ପାଇଁ ୨୫୮୮କୋଟି ଟଙ୍କା ଅନୁମୋଦନ ହୋଇଥିଲେ ହେଁ ଏଥିରୁ ୩୩% ଅର୍ଥ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ରାସ୍ତା, ବ୍ରିଜ୍ ପାଇଁ, ୨୫% ପାନୀୟ ଜଳ ପାଇଁ ଅନୁମୋଦନ ହୋଇଛି। କିନ୍ତୁ ଏଥିରୁ ମାତ୍ର ୨୦.୫% ଅର୍ଥ ଖର୍ଚ୍ଚ ହୋଇପାରିଛି। କିପରି ଓ କେଉଁ ପ୍ରକଳ୍ପରେ କେତେ ଅର୍ଥ ଖର୍ଚ୍ଚ ହେବ ସେନେଇ ଆବଶ୍ୟକ ପ୍ଲାନିଂ ଏବଂ ପରିଚାଳନା ହୋଇପାରୁନଥିବାରୁ ଏହି ସମସ୍ୟା ଉପୁଜିଛି ବୋଲି ନିକଟରେ ହୋଇଥିବା ସର୍ଭେରୁ ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନଭାଏରନମେଣ୍ଟ ପକ୍ଷରୁ ଦେଶର ୧୨ଟି ଖଣିଜ ରାଜ୍ୟ ଉପରେ ହୋଇଥିବା ସର୍ଭେରେ ଜଣାପଡ଼ିଛି ଯେ, ଓଡ଼ିଶାର ଚାରିଟି ଜିଲ୍ଲା କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୁଳ ଓ ଝାରସୁଗୁଡ଼ାରେ ସବୁଠୁ ଅଧିକ ଜିଲ୍ଲା ଖଣିଜ ପାଣ୍ଠି ଆଦାୟ ହୋଇଛି। କେନ୍ଦୁଝରରେ ୧୫୨୪କୋଟି, ଅନୁଗୁଳରେ ୮୩୬କୋଟି, ସୁନ୍ଦରଗଡ଼ରେ ୭୮୦କୋଟି, ଝାରସୁଗୁଡ଼ାରେ ୨୭୫କୋଟି ଆଦାୟ ହୋଇଛି। ଏଥିରୁ ୬୫% ଲୁହାପଥର, କ୍ରୋମାଇଟ୍ ଓ ବକ୍ସାଇଟ୍ ଖଣି ଖନନରୁ ଆସିଛି। ଏହି ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ସଂଶୋଧିତ ଆଇନ-୨୦୧୫ ଅନୁଯାୟୀ, ଓଡ଼ିଶାରେ ଯେପରି ଖଣିଜ ପାଣ୍ଠି ବିନିଯୋଗ ହେବା କଥା ତାହା ହୋଇପାରିନାହିଁ।
କେବଳ ଏତିକି ନୁହେଁ ଡିଏମ୍ଏଫ୍ର ପ୍ଲାନିଂ ଏବଂ ପରିଚାଳନା ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ରାଜନେତା (ସାଂସଦ ଓ ବିଧାୟକଙ୍କ) ନିୟନ୍ତ୍ରଣରେ ରହିଥିବାରୁ ଗ୍ରାମସଭାକୁ ଗୁରୁତ୍ୱ ଦିଆଯାଉନି କି ପଞ୍ଚାୟତସ୍ତରୀୟ ଓ ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ ସେମାନଙ୍କ ପକ୍ଷ ରଖିବାକୁ ଦିଆଯାଉନି। କେନ୍ଦୁଝରରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବାବେଳେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଡାକ୍ତର ନାହାନ୍ତି। କିନ୍ତୁ ଡିଏମ୍ଏଫ୍ ପାଣ୍ଠିରେ ଏଠାରେ ୩୨୦କୋଟି ଟଙ୍କା ବ୍ୟୟରେ ମେଡିକାଲ କଲେଜ ନିର୍ମାଣ କରାଯାଉଛି। ଭୂତଳ ଜଳ ବିଶୋଧିତ ହୋଇପଡ଼ିଥିବାବେଳେ ପାଇପ୍ ପାଣି ଯୋଗାଣ ବଦଳରେ ଟ୍ୟୁବେଓ୍ଵଲ୍ ଖୋଳାଯାଉଛି। ଏପରିକି ଯେଉଁ ଲୋକମାନେ ଖଣି ଦ୍ୱାରା ପ୍ରଭାବିତ ହେଉଛନ୍ତି ସେମାନଙ୍କ ପାଇଁ କମ୍ ଅର୍ଥ ଖର୍ଚ୍ଚ କରି ଜିଲ୍ଲାର ବାକି ଅଞ୍ଚଳରେ ଅଧିକ ଅର୍ଥ ଖର୍ଚ୍ଚ ହେଉଛି। ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଓ କେନ୍ଦୁଝରର କିଛି ଅଞ୍ଚଳ ସିଡ୍ୟୁଲ-୫ ଅନ୍ତର୍ଗତ ହୋଇଥିବାବେଳେ ଏଠାରେ ଗ୍ରାମସଭାର ନିଷ୍ପତ୍ତି ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ବିନା ଗ୍ରାମସଭାରେ ସବୁ କାର୍ଯ୍ୟ ହେଉଛି।
ସୁନ୍ଦରଗଡ଼ରେ ୨୩୮କୋଟି ଜିଲ୍ଲା ଖଣିଜ ପାଣ୍ଠିରେ ଥିବାବେଳେ ଏଥିରୁ ୬୮% ଅର୍ଥ ପାଇପ୍ ପାଣି ଯୋଗାଣରେ ଖର୍ଚ୍ଚ ହେଉଛି। ଆଶ୍ଚର୍ଯ୍ୟର ବିଷୟ ଏହି ପାଇପ୍ ପାଣି ଯୋଗାଣ ପ୍ରକଳ୍ପ ପୌରାଞ୍ଚଳରେ ହେଉଛି। ଯେତେବେଳେକି ଏହି ଅଞ୍ଚଳର ଲୋକ ସିଧାସଳଖ ଖଣି ଖନନ ଦ୍ୱାରା ପ୍ରଭାବିତ ନୁହେଁ। । ଜିଲ୍ଲାରେ ନବଜାତ ଶିଶୁ ମୃତ୍ୟୁ ହାର ଚିନ୍ତାଜନକ ଥିବାବେଳେ ଏଠାରେ ମାତ୍ର ୩କୋଟି ଟଙ୍କା ଏହି ଉଦ୍ଦେଶ୍ୟରେ ଖର୍ଚ୍ଚ ହୋଇଛି। ଅନୁଗୁଳରେ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅବସ୍ଥା ଚିନ୍ତାଜନକ ଥିବାବେଳେ ଏଠାରେ ୫୦% ଡାକ୍ତର ପଦବି ଖାଲି ପଡ଼ିଛି। କିନ୍ତୁ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକର ଉନ୍ନତୀକରଣ ଏବଂ ଡାକ୍ତର ନିଯୁକ୍ତି ପାଇଁ ଜିଲ୍ଲାର ମୋଟ୍ ଡିଏମ୍ଏଫ୍ ୨୪୨କୋଟିର ୫.୬% ଖର୍ଚ୍ଚ ହୋଇଛି। ଝାରସୁଗଡ଼ାରେ ୧୩.୨କୋଟି ବିମାନବନ୍ଦରକୁ ବିଦ୍ୟୁତ ଯୋଗାଣରେ ଖର୍ଚ୍ଚ ହୋଇଛି। ଏପରିକି କେତେକ ଅଞ୍ଚଳରେ ଖର୍ଚ୍ଚ ହେବାକୁ ଥିବା ଜିଲ୍ଲା ଖଣିଜ ପାଣ୍ଠିର ୮୦% ଅର୍ଥ ରାସ୍ତା ଓ ବ୍ରିଜ୍ ନିର୍ମାଣରେ ଖର୍ଚ୍ଚ ହେଉଛି ବୋଲି କୁହାଯାଇଛି।
ଏହି ସର୍ଭେ ରିପୋର୍ଟ ନେଇ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି ଯେ, ଜିଲ୍ଲାରେ ସ୍ୱାସ୍ଥ୍ୟବ୍ୟବସ୍ଥା, ଖଣିଦ୍ୱାରା ପ୍ରଭାବିତ ଲୋକଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଖରି ପ୍ରଭାବିତ ଅଞ୍ଚଳ ଲୋକଙ୍କୁ ବିସ୍ଥାପନ କରିବା ପରେ ସେମାନଙ୍କର ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ନିକଟସ୍ଥ ଘରୋଇ ସ୍କୁଲରେ ପଢ଼ାଯାଉଛି। ଜିଲ୍ଲାରେ ମେଡିକାଲ କଲେଜ ଖୋଲିବା ଦ୍ୱାରା ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ମିଳିବ। ଅଧିକ ବିଶେଷଜ୍ଞ ଓ ଡାକ୍ତର ନିୟୋଜିତ ହେବେ। ଏହା କେବଳ ଜିଲ୍ଲା ନୁହେଁ ରାଜ୍ୟ ପାଇଁ ଆବଶ୍ୟକ। ସେହିପରି ପାଇପ୍ ପାଣି ଯୋଗାଇବା କାର୍ଯ୍ୟ ଚାଲିଥିବାବେଳେ ଏହାକୁ କାର୍ଯ୍ୟକାରୀ କରିବାକୁ ବହୁ ସମୟ ଲାଗିବ। ତେଣୁ ଟ୍ୟୁବେଓ୍ଵଲ୍ ମାଧ୍ୟମରେ ତୁରନ୍ତ ପାଣି ଯୋଗାଯାଉଛି।