ଭୁବନେଶ୍ୱର : ଓଡ଼ିଶାର ନିଜସ୍ୱ ଖାଦ୍ୟ ସୁରକ୍ଷା ବିଲ୍କୁ ରାଜ୍ୟ କ୍ୟାବିନେଟର ମଂଜୁରୀ ମିଳିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ବିଲ ସମ୍ପର୍କରେ ଆଲୋଚନା ପରେ ଏହାକୁ ସବୁଜ ସଂକେତ ଦିଆଯାଇଛି । ଆସନ୍ତା ଗାନ୍ଧୀ ଜୟନ୍ତୀରୁ ଏହି ଯୋଜନା ଆରମ୍ଭ ହେବ ।
Sambad is now on WhatsApp
Join and get latest news updates delivered to you via WhatsApp
ଏ ସଂପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି ଯେ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରଥମ ଦଫାରେ ୨୫ ଲକ୍ଷ ହିତାଧିକାରୀ ଉପକୃତ ହେବେ। ମୋଟ ୧୧ଟି ମାପଦଣ୍ଡରେ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ। ଗରିବ ଓ ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇ ଏ ଯୋଜନାରେ ଅନ୍ତର୍ଭୃକ୍ତ କରାଯିବ। ଏଥିପାଇଁ ପ୍ରଥମ ୬ ମାସରେ ୨୨୦ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହେବ। ରାଜ୍ୟ ସରକାରଙ୍କ ପାଣ୍ଠିରୁ ଏହି ଖର୍ଚ୍ଚ ଭରଣ କରାଯିବ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀ ଏହା ଦ୍ୱାରା ଉପକୃତ ହୋଇପାରିବେ। ଏହି ଯୋଜନାରେ ହିତାଧିକାରୀଙ୍କୁ କିଲୋପ୍ରତି ୧ ଟଙ୍କାରେ ମୁଣ୍ଡପିଛା ମାସିକ ୫ କେଜି ଚାଉଳ ମିଳିବ । ଆସନ୍ତା ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ଚାଉଳ ବଣ୍ଟନ କରାଯିବ ।
କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍କିମ ସମ୍ପର୍କରେ ଘୋଷଣା କରିଥିଲେ । ବାରମ୍ବାର ଅନୁରୋଧ ସତ୍ତ୍ୱେ କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବାହାରେ ଥିବା ହିତାଧୀକାରୀମାନଙ୍କୁ ଅନ୍ତର୍ଭୁକ୍ତ ନ କରିବାରୁ ରାଜ୍ୟ ବାଧ୍ୟ ହୋଇ ଏହି ନିଷ୍ପତ୍ତି ନେଇଥିଲା ବୋଲି ସେ କହିଥିଲେ ।