ଓଡ଼ିଶା ବନ ଉନ୍ନୟନ ନିଗମ ପରୀକ୍ଷା ବାତିଲ ପ୍ରସଙ୍ଗ : ପରୀକ୍ଷାର୍ଥୀଙ୍କୁ ଫେରସ୍ତ ମିଳିବ ଯାତାୟାତ ଖର୍ଚ୍ଚ

ଭୁବନେଶ୍ବର : ବନ ଉନ୍ନୟନ ନିଗମ ପକ୍ଷରୁ କନିଷ୍ଠ ଓ ସହକାରୀ ପରିଚାଳକ ପଦବି ନିମନ୍ତେ ଗତ ୨୮ ତାରିଖରେ ବାତିଲ ହୋଇଥିବା ପରୀକ୍ଷା ପାଇଁ କେନ୍ଦ୍ରରେ ପହଞ୍ଚିଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ନିଗମ ପକ୍ଷରୁ ଯାତାୟାତ ଖର୍ଚ୍ଚ ପ୍ରଦାନ କରାଯିବ। ଏଥିପାଇଁ ଗତକାଲି ବନ ଉନ୍ନୟନ ନିଗମ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କିନ୍ତୁ ପରୀକ୍ଷା କେବେ ହେବ ସେ ନେଇ ନିଗମ ସ୍ପଷ୍ଟ କରି ନଥିବାରୁ ପରୀକ୍ଷାକୁ ନେଇ ଅନିଶ୍ଚିତତା ବଢ଼ିଛି। ପାଖାପାଖି ୨୨୦୦ ପରୀକ୍ଷାର୍ଥୀ ପରୀକ୍ଷାକୁ ପ୍ରତୀକ୍ଷା କରିଥିବା ବେଳେ ନିଗମ କେବଳ ପରୀକ୍ଷା ବାତିଲ ପାଇଁ ଯାତାୟାତ ଖର୍ଚ୍ଚ ପ୍ରଦାନ କରିବ ବୋଲି ସ୍ପଷ୍ଟ କରିଛି। ପରୀକ୍ଷା ଦିନ କେ‌ତେକ ସ୍ଥାନରେ ପ୍ରଶ୍ନପତ୍ର ପ୍ୟାକେଟ୍‌ ଖୋଲା ହୋଇଯାଇଥିବାରୁ ପ୍ରଶ୍ନପତ୍ର ପ୍ରଘଟ ହୋଇଛି। ଏଣୁ ପ୍ରଶ୍ନପତ୍ର ପରିବର୍ତ୍ତନ କରିବା ପାଇଁ ପରୀକ୍ଷାର୍ଥୀ ଦାବି କରିଥିଲେ ମଧ୍ୟ ଏହା ପରିବର୍ତ୍ତନ ହେବ କି ନାହିଁ ସେ ନେଇ ମଧ୍ୟ ନିଗମ ସ୍ପଷ୍ଟ କରିନାହିଁ। ଫଳରେ ପରୀକ୍ଷାର୍ଥୀ ଦ୍ବନ୍ଦ୍ବରେ ଅଛନ୍ତି। ଅନ୍ୟପଟେ ଯେଉଁମାନଙ୍କୁ ଆଡ୍‌ମିଟ୍‌ କାର୍ଡ ମିଳିଛି ସେମାନଙ୍କୁ ହିଁ କେବଳ ଯାତାୟାତ ଖର୍ଚ୍ଚ ପ୍ରଦାନ ପାଇଁ ନିଗମ ନିଷ୍ପତ୍ତି ନେଇଛି। ଏହାକୁ ନେଇ ମଧ୍ୟ ବିବାଦ ‌ଦେଖାଦେଇଛି।

ସୂଚନାଯୋଗ୍ୟ, ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି) ପକ୍ଷରୁ ସହକାରୀ ଓ କନିଷ୍ଠ ପରିଚାଳକ ପଦରେ ନିଯୁକ୍ତି ପାଇଁ ହୋଇଥିବା ବିଜ୍ଞାପନକୁ ଆଧାର କରି ୨ହଜାର ୨୦୦ ଆବେଦନପତ୍ର ଆସିଥିଲା। ଗତ ମାସ ୨୮ ତାରିଖରେ ମଦର୍ସ ପବ୍ଲିକ୍‌ ସ୍କୁଲ୍‌ରେ ପରୀକ୍ଷା ଥିଲା। ପଞ୍ଜରୀକରଣ ପାଇଁ ମାତ୍ର ଜଣେ କର୍ମଚାରୀ ବସିଥିବାରୁ ପରିଚାଳନାଗତ ତ୍ରୁଟି ଦେଖାଯାଇଥିଲା। ୧୦ଟାରୁ ପରୀକ୍ଷା ହେବାକୁ ଥିବା ବେଳେ ୧୧ଟା ସୁଦ୍ଧା ଆରମ୍ଭ ହୋଇ ପାରି ନଥିଲା। ପରିସରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବାରୁ ଶେଷରେ କର୍ତ୍ତୃପକ୍ଷ ପରୀକ୍ଷା ବାତିଲ କରିଥିଲେ।

ସମ୍ବନ୍ଧିତ ଖବର