ଓଡ଼ିଶାକୁ ମିଳିଲା ‘ଏଗ୍ରିକଲଚରାଲ ଲିଡରସିପ୍ ଆଵାର୍ଡ଼’

ଭୁବନେଶ୍ବର : ମତ୍ସ୍ୟ ସମ୍ପଦ ବିକାଶ କ୍ଷେତ୍ରରେ ମହତ୍ତ୍ବପୂର୍ଣ୍ଣ ଅବଦାନ ପାଇଁ ୨୦୧୯ ମସିହା ପାଇଁ ଓଡ଼ିଶାକୁ ଦେଶର ସର୍ବୋତ୍ତମ ରାଜ୍ୟ ଭାବେ ପୁରସ୍କୃତ କରାଯାଇଛି। ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବାରୁ ଏଗ୍ରିକଲଚର ଟୁଡେ ଗ୍ରୁପ ପକ୍ଷରୁ ଓଡ଼ିଶାକୁ ଏଗ୍ରିକଲଚର ଲିଡରସିପ୍ ଆଵାର୍ଡ଼ ପ୍ରଦାନ କରାଯାଇଛି। ଆଜି ନୂଆଦିଲ୍ଲୀସ୍ଥିତ ଏକ ହୋଟେଲରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ଓଡ଼ିଶା ପକ୍ଷରୁ ରାଜ୍ୟ ଆବାସିକ କମିସନର ସଞ୍ଜୀବ ମିଶ୍ର ପୁରସ୍କାର ଗ୍ରହଣ କରିଥିଲେ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ମିଳିବା ପରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଅରୁଣ କୁମାର ସାହୁ ରାଜ୍ୟର ମତ୍ସ୍ୟଜୀବୀ ଓ ମତ୍ସ୍ୟଚାଷୀମାନଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇବା ସହ ଏହି ପୁରସ୍କାର ରାଜ୍ୟରେ ମତ୍ସ୍ୟ ଉତ୍ପାଦନକୁ ଅଧିକ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି।

ପ୍ରକାଶଥାଉକି, ମଧୁରଜଳ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଭାରତରେ ପଞ୍ଚମ ସ୍ଥାନ ଅଧିକାର କରିଥିବାବେଳେ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନରେ ଅଷ୍ଟମ ସ୍ଥାନ ଅଧିକାର କରିଛି।

କେରଳର ରାଜ୍ୟପାଳ ପି.ସଦାଶିବମ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ ନିମନ୍ତେ ମନୋନୀତ କରିଥିବା ରାଜ୍ୟ ସରକାର ଜଣାଇଛନ୍ତି। ପୁରସ୍କାର ପ୍ରଦାନ ଉତ୍ସବରେ କେରଳ ରାଜ୍ୟପାଳ ପି.ସଦାଶିବମ, ସାଂସଦ ସୁରେଶ ପ୍ରଭୁ ଓ ଏଗ୍ରିକଲଚର ଟୁଡେ ଗ୍ରୁପ୍ ଅଧ୍ୟକ୍ଷ ଏମ.ଜେ. ଖାନ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର