ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ

ଭୁବନେଶ୍ୱର : ରାଜ୍ୟରେ ମହିଳା ଓ ଶିଶୁଙ୍କୁ ନିରାପତ୍ତା ଓ ସୁରକ୍ଷା ସଂପର୍କିତ ଏକ ଲମ୍ବା ତାଲିକା ଆଜି ମୁଖ୍ୟମନ୍ତ୍ରୀ ବିଧାନସଭାରେ ରଖିଛନ୍ତି। ସିଧା ସିଧା କହିଛନ୍ତି, ରାଜ୍ୟର ମହିଳା, ଶିଶୁ ଓ ସମାଜର ଦୁର୍ବଳ ଶ୍ରେଣୀ ସୁରକ୍ଷାକୁ ସରକାର ଗୁରୁତ୍ୱ ଦେବାକୁ ଯାଇ କେବଳ ଏସବୁ ଅପରାଧ ଉପରେ ତୁରନ୍ତ ମାମଲା ରୁଜୁ କରୁଛନ୍ତି, ତା ନୁହେଁ, ବରଂ ପୀ଼ଡ଼ିତାଙ୍କୁ ତ୍ୱରିତ ଓ ଆଖିଦୃଶିଆ ନ୍ୟାୟ ପ୍ରଦାନ କରିବା ଲାଗି ମଧ୍ୟ ପଦକ୍ଷେପ ନିଆଯାଉଛି।

‘ମହିଳା ଓ ନାବାଳିକାଙ୍କ ପ୍ରତି ହିଂସା ବଢୁଛି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ’ ସଂପର୍କରେ ବିରୋଧୀ ଦଳର ମୁତଲବୀ ପ୍ରସ୍ତାବ ଆଲୋଚନାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ହେଉଥିବା ଅପରାଧକୁ ଦମନ କରିବା ଲାଗି କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୁଲିସ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ଏସିଡ୍‌ ଫିଙ୍ଗା ଘଟଣା ହେଉ କିମ୍ବା ଯୌନ ନିର୍ଯାତନା ଅଥବା ଟଣାଓଟରା ଆଦି ଘଟଣାକୁ ଗୁରୁତ୍ୱ ସହ ଗ୍ରହଣ କରିବାକୁ କୁହାଯାଇଛି। ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ଘଟୁଥିବା ଜଘନ୍ୟ ଅପରାଧର ତଦନ୍ତ ବରିଷ୍ଠ ପୁଲିସ ଅଧିକାରୀ କରିବେ ଓ ତ୍ୱରିତ ଶୁଣାଣି, ନ୍ୟାୟ ପ୍ରଦାନ ଲାଗି ସ୍ୱତନ୍ତ୍ର ପିପି ନିଯୁକ୍ତି ଦିଆଯିବ। ସେହିଭଳି ଶିକ୍ଷା ସହାୟକ, ଷ୍ଟାଫ୍‌ ନର୍ସ ଆଦି କ୍ଷେତ୍ରରେ ଥିବା ଅବିବାହିତ କର୍ମଜୀବୀଙ୍କ ସଂପର୍କରେ ଖବର ଓ ନଜର ରଖିବା ଲାଗି ଥାନାମାନଙ୍କୁ ନିର୍ଦେଶ ଯାଇଛି। ମହିଳା ହଷ୍ଟେଲ, ମହିଳା କଲେଜ ଓ ପ୍ରଶିକ୍ଷଣ କେନ୍ଦ୍ର ଆଦି ସ୍ଥାନରେ ଆବଶ୍ୟକସ୍ଥଳେ ପୁଲିସ ପାଟ୍ରୋଲିଂ ଓ ସହାୟତା ପାଇଁ ମଧ୍ୟ ସରକାର ନିର୍ଦେଶ ଦେଇଛନ୍ତି।

ମଲ୍‌, ସିନେମା ହଲ୍‌, ବସଷ୍ଟାଣ୍ଡ ଆଦି ସ୍ଥାନରେ ସିସିଟିଭି ଲଗାଇବା ଉପରେ ସରକାର ଗୁରୁତ୍ୱାରୋପ କରୁଥିବା ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ସବୁଠାରେ ସ୍ୱତନ୍ତ୍ର ମହିଳା ଓ ଶିଶୁ ହେଲ୍‌ପଲାଇନ୍‌ ବ୍ୟବସ୍ଥା କରାଯାଇଛି, ଯେମିତିକି ଜଣେ ଅଭିଯୋଗ କରିବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ଏଣୁ ବିଧାୟକମାନେ ରାଜନୀତିରୁ ଉର୍ଧ୍ୱକୁ ଉଠି ରାଜ୍ୟର ବିଶେଷ କରି ଦୁର୍ବଳ ଶ୍ରେଣୀର ସମନ୍ଵିତ ବିକାଶ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଲତବୀ ପ୍ରସ୍ତାବ ଆଲୋଚନା ପ୍ରାରମ୍ଭରେ ପରିସଂଖ୍ୟାନ ଓ ତଥ୍ୟ ରଖି ରାଜ୍ୟର ଆଇନଶୃଙ୍ଖଳା ମୁକାବିଲା ପାଇଁ ସରକାରଙ୍କ ଆଉ କେତେକ ପଦକ୍ଷେପ ସଂପର୍କରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। କହିଥିଲେ, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ଓ ନିୟନ୍ତ୍ରଣାଧୀନ ରହିଛି। ଦେଶର ଅନ୍ୟ ରାଜ୍ୟ ତୁଳନାରେ ବେଶ୍‌ ଭଲ ରହିଛି। ରାଜ୍ୟରେ ମାଓ ହିଂସା କମିଲାଣି ଓ ସାଧାରଣ ଲୋକଙ୍କ ମୃତ୍ୟୁ ମଧ୍ୟ କମିଛି। ମାଓ ପ୍ରଭାବିତ ଅଞ୍ଚଳରେ ଇତିମଧ୍ୟରେ କୌଣସି ବଡ଼ଧରଣର ହିଂସାକାଣ୍ଡ ଘଟିନାହିଁ। ବରଂ ୨୦୧୮ରେ ବହୁ ମାଓବାଦୀ ଗିରଫ ହୋଇଛନ୍ତି ଓ ଏନ୍‌କାଉଣ୍ଟରରେ ୫ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଛି। ମାଓ ସଂଗଠନ ବୃଦ୍ଧି ପାଇବା ପରିବର୍ତେ ଦୁର୍ବଳ ହେବାରେ ଲାଗିଛି। ଇତିମଧ୍ୟରେ କେନ୍ଦ୍ର ସରକାର କେନ୍ଦୁଝର, ମୟୂରଭଂଜ, ଗଜପତି, ଯାଜପୁର, ଢେଙ୍କାନାଳକୁ ମାଓ ପ୍ରଭାବିତ ଅଞ୍ଚଳ ତାଲିକାରୁ ବାଦ୍‌ ଦେଇଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଗୃହକୁ ସୂଚନା ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ନା ଶ୍ରମିକ ନା ଛାତ୍ର ଅଶାନ୍ତି ଘଟିଛି ନା ଶିଳ୍ପ କାରଣରୁ ଆଇନଶୃଙ୍ଖଳା ଉଜୁ଼ଡିଯିବାର ନଜିର ରହିଛି। ସାଂପ୍ରଦାୟିକ ପରିସ୍ଥିତିକୁ ମଧ୍ୟ ସରକାର ରୋକିବାରେ ସକ୍ଷମ ହୋଇଛନ୍ତି। ୨୦୦୫ ମସିହାରେ ରାଜ୍ୟ ସରକାର ପୁଲିସ ଷ୍ଟେସନରେ ମହିଳା ଓ ଶିଶୁ ଡେସ୍କ ପ୍ରତିଷ୍ଠା କରିଛନ୍ତି। ବର୍ତମାନ ରାଜ୍ୟର ୫୩୭ ଥାନାରେ ମହିଳା ଓ ଶିଶୁ େ଼ଡସ୍କ କାର୍ଯ୍ୟ କରୁଛି। ପ୍ରତି ମହିଳା ଓ ଶିଶୁ ଡେସ୍କରେ ଜଣେ ଲେଖା ମହିଳା ସବ୍‌ ଇନ୍‌ସପେକ୍ଟର ଓ ଏଏସ୍‌ଆଇଙ୍କୁ ଡେସ୍କ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି। ସେମାନେ କେବଳ ମହିଳା ଓ ଶିଶୁ ନିର୍ଯାତନା ମାମଲାର ତଦାରଖ କରିବେ। ଏହାବ୍ୟତୀତ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ମାମଲାର ତଦନ୍ତ ପାଇଁ ୨୯ଟି ଜିଲ୍ଲାରେ ସ୍ୱତନ୍ତ୍ର ତଦନ୍ତକାରୀ ୟୁନିଟ୍‌ ଗଠନ କରାଯାଇଛି। ଓଡ଼ିଶା ହେଉଛି ଦେଶରେ ପ୍ରଥମ ରାଜ୍ୟ, ଯେଉଁଠାରେ ପ୍ରତି ଜିଲ୍ଲାରେ ଇଣ୍ଟିଗ୍ରେଟେଡ୍‌ ଆଣ୍ଟି ହ୍ୟୁମାନ୍‌ ଟ୍ରାଫିକିଂ ୟୁନିଟ୍‌ ଗଠନ ହୋଇଛି। ୬ଟି ମହିଳା ଥାନା ଜରିଆରେ ମହିଳାଙ୍କ ସୁରକ୍ଷା ପାଇଁ ଧ୍ୟାନ ଦିଆଯାଉଛି। ରାଉରକେଲା, ବ୍ରହ୍ମପୁର, ସମ୍ବଲପୁରରେ ନୂତନ ସାଇବର କ୍ରାଇମ ଥାନା କାର୍ଯ୍ୟକାରୀ ହେଉଛି।

ସମ୍ବନ୍ଧିତ ଖବର