କଙ୍ଗାରୁ କୋର୍ଟ ଓ ଖାପ୍‌ ପଞ୍ଚାୟତ ଉପରେ କାର୍ଯ୍ୟାନୁଷ୍ଠାନ : ଅନର କିଲିଂ ରୋକିବାକୁ ଏସ୍‌ଓପି ଜାରି

ଭୁବନେଶ୍ୱର : ଅନର କିଲିଂ ଏକ ଜଘନ୍ୟ ଅପରାଧ। ଏହାକୁ ରୋକିବାକୁ ହେଲେ ପ୍ରଥମେ କଙ୍ଗାରୁ କୋର୍ଟ ଓ ଖାପ ପଞ୍ଚାୟତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ଆଜି ରାଜ୍ୟ ସରକାର ଅନର କିଲିଂ ଉପରେ କେତେକ ଗାଇଡଲାଇନ୍‌ ଜାରି କରିଛନ୍ତି। ଏହି ଗାଇଡଲାଇନ୍‌ ପାଳନ କରିବାକୁ ରାଜ୍ୟ ସରକାର ପୁଲିସ ଡିଜି, କ୍ରାଇମ୍‌ବ୍ରାଞ୍ଚ ଏଡିଜି, ପଞ୍ଚାୟତିରାଜ ବିଭାଗ, ପ୍ରମୁଖ ଶାସନ ସଚିବ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ କଡ଼ା ନିର୍ଦେଶ ଦେଇଛନ୍ତି।

ଗାଇଡ ଲାଇନ୍‌ରେ କୁହାଯାଇଛି, ପ୍ରଥମେ ରାଜ୍ୟର ଯେଉଁ ସବୁ ଜିଲ୍ଲା, ତହସିଲ ବା ପଞ୍ଚାୟତଗୁଡ଼ିକ ଏହାକୁ ସେମାନଙ୍କ ପ୍ରଥା ବୋଲି ବିଶ୍ୱାସ କରୁଛନ୍ତି, ସେଗୁଡ଼ିକୁ ପୁଲିସ ଓ ପ୍ରଶାସନ ଚିହ୍ନଟ କରିବେ। ଏହି ସବୁ ଅଞ୍ଚଳରେ ଅନ୍ୟ ଜାତିରେ ବିବାହ ହେଉଥିଲେ ସ୍ଥାନୀୟ ପୁଲିସ ଏହା ଉପରେ ତୀକ୍ଷ୍ଣ ନଜର ରଖିବ। ଏପରିକି ଉଭୟ ବର ଓ କନ୍ୟା ପରିବାରର ସବିଶେଷ ତଥ୍ୟ ରଖିବ ସ୍ଥାନୀୟ ପୁଲିସ। କୌଣସି ସ୍ଥାନରେ କଙ୍ଗାରୁ କୋର୍ଟ କିମ୍ବା ଖାପ୍‌ ପଞ୍ଚାୟତ ବସିବା ଖବର ପାଇବା କ୍ଷଣି ନିଜେ ଥାନା ଇନ୍ସପେକ୍ଟର ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହିତ ଘଟଣାସ୍ଥଳକୁ ଯିବେ। ଆବଶ୍ୟକ ହେଲେ ଫୋର୍ସ ସହିତ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିବେ। କଙ୍ଗାରୁ କୋର୍ଟ କିମ୍ବା ଖାପ୍‌ ପଞ୍ଚାୟତ ଚାଲୁଥିଲେ ପୁଲିସ ଏହାର ଭିଡିଓ ସୁଟିଂ କରି ପରବର୍ତ୍ତୀ ସମୟରେ ପ୍ରମାଣ ପାଇଁ କୋର୍ଟରେ ଉପସ୍ଥାପନ କରାଇବେ। କଙ୍ଗାରୁ କୋର୍ଟ, ଖାପ ପଞ୍ଚାୟତ ରୋକିବାକୁ ପୁଲିସ ନିଜ ଆଡ଼ୁ ମାମଲା ରୁଜୁ କରି ପାରିବେ। ଯାହାର ତଦାରଖ ଏସ୍‌ପି ଓ ଡିଏସ୍‌ପି ର‍୍ୟାଙ୍କର ଅଧିକାରୀ କରିବେ।

ଯଦି କେଉଁଠୁ ଅନରକିଲିଂ ଖବର ଆସୁଥିବ, ପୁଲିସ ସେଠାରେ ପହଞ୍ଚି ଉଭୟ ବର, କନ୍ୟା ଏବଂ କନ୍ୟା ପରିବାରକୁ ସୁରକ୍ଷା ଦେବେ। ସେମାନଙ୍କୁ ତୁରନ୍ତ ସ୍ଥାନୀୟ କୋର୍ଟ ନେଇ ବିବାହ ପଞ୍ଜୀକୃତ କରାଇବେ। ଯଦି କୌଣସି ପୁଲିସ ଅଧିକାରୀ ଅନର କିଲିଂ ରୋକିବାରେ ଅବହେଳା କରନ୍ତି, ସେମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ସଂପୃକ୍ତ ପୁଲିସ ଅଧିକାରୀଙ୍କୁ ଗିରଫ ମଧ୍ୟ କରାଯାଇପାରେ। ଅନର କିଲିଂ ମାମଲାର ବିଚାର ଫାଷ୍ଟଟ୍ରାକ୍‌ କୋର୍ଟରେ କରିବା ସହ ୬ ମାସ ମଧ୍ୟରେ ଏହାର ଶୁଣାଣି ଶେଷ କରିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି।

ସାରା ଦେଶରେ ଦିନକୁ ଦିନ ଅନର କିଲିଂ ଭଳି ଅପରାଧ ବଢ଼ି ଚାଲିଛି। ଅନର କିଲିଂ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶକ୍ତିବାହିନୀ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ସୁପ୍ରିମକୋର୍ଟରେ ରିଟ୍‌ ପିଟିସନ୍‌ ଦାଖଲ କରିଥିଲେ। କୋର୍ଟ ଏହା ଉପରେ ଶୁଣାଣି କରି ସମସ୍ତ ରାଜ୍ୟରେ ଅନର କିଲିଂ ରୋକିବା ଉପରେ ଏସ୍‌ଓପି ପାଳନ କରିବାକୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର