ଭୁବନେଶ୍ୱର : ଚଳିତ ବର୍ଷ ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଆରମ୍ଭ ହୋଇଥିବା ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଆଜି ଠାରୁ ବ୍ଲକ୍ ସ୍ତରରେ ଆରମ୍ଭ ହୋଇଛି। ଆଜି ୪ଟି ବ୍ଲକ୍ର ୧୦୮ଟି ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ପାଇଁ ୨୯.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳର ଲୋକଙ୍କ ସହ ସିଧାସଳଖ ଆଲୋଚନା ଜରିଆରେ ସେମାନେ ଆବଶ୍ୟକ କରୁଥିବା ପ୍ରକଳ୍ପଗୁଡ଼ିକୁ ମୁଖ୍ୟମନ୍ତ୍ରୀ ତୁରନ୍ତ ମଞ୍ଜୁର କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ୍ର ୩୨ଟି ପଞ୍ଚାୟତ ପାଇଁ ୮.୧୨ କୋଟି ଟଙ୍କା, କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ୍ର ୧୫ଟି ପଞ୍ଚାୟତ ପାଇଁ ୪.୩୮ କୋଟି ଟଙ୍କା, ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ୍ର ୩୬ଟି ପଞ୍ଚାୟତ ପାଇଁ ୯ କୋଟି ଟଙ୍କା ଏବଂ ଯାଜପୁର ଜିଲ୍ଲାର ସଦର ବ୍ଲକ୍ର ୨୫ଟି ପଞ୍ଚାୟତ ପାଇଁ ୮ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି।
କାର୍ଯ୍ୟକ୍ରମ ଅବସରରେ ବ୍ଲକ୍ ସ୍ତରରେ ଥିବା ପ୍ରତିନିଧିମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ ଗାଁର ବିକାଶ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟର ବିକାଶ ପାଇଁ ସେ ସବୁବେଳେ ଥ୍ରି-ଟି ବା ଟ୍ରାନ୍ସପରେନ୍ସି, ଟିମ୍ ଓ୍ଵାର୍କ ଓ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ଟେକ୍ନୋଲୋଜି ବା ପ୍ରଯୁକ୍ତି ବିଦ୍ୟା ଦ୍ୱାରା ସେ ଗାଁ ଲୋକଙ୍କ ପାଖରେ ପହଞ୍ଚି ପାରୁଥିବା ବେଳେ ଗାଁର ବିକାଶ ପାଇଁ ସବୁ ଲୋକ ଗୋଟିଏ ଜାଗାରେ ଏକାଠି ହେବା ହେଉଛି ଟିମ୍ ଓ୍ଵାର୍କର ପ୍ରତୀକ। ଆଗରୁ ଗାଁକୁ ଆସୁଥିବା ଟଙ୍କା ବିଷୟରେ ମାତ୍ର ୪/୫ ଜଣ ଲୋକ ଜାଣିପାରୁଥିଲା ବେଳେ ଏବେ ମଞ୍ଜୁର ହେଉଥିବା ସବୁ ପ୍ରକଳ୍ପକୁ ହଜାର ହଜାର ଲୋକ ଏକ ସମୟରେ ଜାଣିପାରୁଛନ୍ତି। ଏହା ହେଉଛି ଟ୍ରାନ୍ସପରେନ୍ସି ବା ସ୍ୱଚ୍ଛତାର ପ୍ରତୀକ। ତେଣୁ ଏହି କାର୍ଯ୍ୟକ୍ରମ ଥ୍ରି-ଟି ମନ୍ତ୍ରର ଶ୍ରେଷ୍ଠ ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଗାଁର ବିକାଶ ପାଇଁ ସମସ୍ତେ ଉତ୍ସର୍ଗୀକୃତ ମନୋଭାବ, ସଂକଳ୍ପ ଓ ନିଷ୍ଠା ସହ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବିକାଶ ଓ ସେବା ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ। ଏହା ଦ୍ୱାରା ବିକାଶ ତ୍ୱରାନ୍ଵିତ ହୋଇପାରିବ ଓ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ଏହା ଏକ ଶକ୍ତିଶାଳୀ ଅସ୍ତ୍ର ହେବ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।