କରୋନାଭାଇରସ ପାଇଁ ସତର୍କତା: ଓଡ଼ିଶା ସରକାର ଜାରି କଲେ ଟ୍ରୋଲ୍‌ ଫ୍ରି ନମ୍ବର

ଭୁବନେଶ୍ୱର: ଚୀନରୁ ବ୍ୟାପିଥିବା ‘କରୋନାଭାଇରସ’ ପାଇଁ ଓଡ଼ିଶା ସରକାର ସତର୍କତା ଅବଲମ୍ବନ କରିଛନ୍ତି। ଏଥି ପାଇଁ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। ଟୋଲ ଫ୍ରି ନମ୍ବରଗୁଡ଼ିକ ହେଲା ୦୬୭୪-୨୩୯୦୪୬୬ ଓ ୯୪୩୯୯୯୪୮୫୭। କରୋନା ଭୂତାଣୁ ସଂକ୍ରମଣ ଜନିତ ସୂଚନା ପାଇଲେ ଯୋଗାଯୋଗ କରନ୍ତୁ ବୋଲି ସ୍ୱାସ୍ଥ୍ୟ ବିଭାଗ ଅପିଲ କରିଛି। ରାଜ୍ୟ ଜନସ୍ୱାସ୍ଥ୍ୟ ନିୟନ୍ତ୍ରଣ କକ୍ଷ ଅଧିକାରୀମାନେ ଆବଶ୍ୟକ ସହଯୋଗ କରିବେ।

ସୂଚନାଯୋଗ୍ୟ, କରୋନାଭାଇରସ ନେଇ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶନିବାର ଆଡଭାଇଜରି ଜାରି କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ଆଡଭାଇଜରି ସହ ପ୍ରମୁଖ ଡାକ୍ତରଖାନାକୁ ଚିଠି ପଠାଇଛି। କରୋନାଭାଇରସ ଚିହ୍ନଟ, ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ଚିଠିରେ ଉଲ୍ଲେଖ ରହିଛି।

Image Source: Zee News

ସେହିଭଳି ଭୁବନେଶ୍ୱର ଓ ଝାରସୁଗୁଡ଼ା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ନୋଟିସ ଜାରି ହୋଇଛି। ବିମାନବନ୍ଦରରେ ସଦିଗ୍ଧଙ୍କୁ ଚିହ୍ନଟ ଓ ପରୀକ୍ଷା ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି। କଟକର ଏସ୍‌ସିବି, ବୁର୍ଲା ମେଡିକାଲ ଓ କ୍ୟାପିଟାଲ ହସ୍‌ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱତନ୍ତ୍ର ଓ୍ଵାର୍ଡ, ଜଣେ ନୋଡ଼ାଲ ଅଫିସର ଓ ଚିକିତ୍ସା କମିଟି ପାଇଁ ନିର୍ଦ୍ଦେଶ ହୋଇଛି। ସେହିପରି ପାରାଦୀପ ବନ୍ଦର ଓ ରେଳବାଇକୁ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ।

କରୋନାଭାଇରସ ନେଇ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର କେତେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଶୁକ୍ରବାର ଦିନ ଦେଶର ବିଭିନ୍ନ ବିମାନବନ୍ଦରରେ ପ୍ରାୟ ୪୦୮୨ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୯୬ଟି ବିମାନରେ ଆସିଥିବା ପ୍ରାୟ ୨୦,୮୪୪ ଜଣ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । କରୋନାଭାଇରସ୍‌ରେ ଚୀନରେ ଏପର୍ଯ୍ୟନ୍ତ ୫୬ ଜଣ ଲୋକଙ୍କ ଜୀବନ ଯାଇଛି।

ସମ୍ବନ୍ଧିତ ଖବର